fbpx

କେଉଁ କ୍ଷେତ୍ରରେ ଫୋକସ୍ କରିବ Budget-2024? ହୋଇପାରେ ବଡ଼ ଘୋଷଣା… କିଏ ପାଇବେ ଫାଇଦା

ଓଡ଼ିଶା ଭାସ୍କର: ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହି ବଜେଟକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ଲାଗି ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ର, କୃଷକ, ଟାକ୍ସଦାତା ଏବଂ ଉଦ୍ୟୋଗପତି ପର୍ଯ୍ୟନ୍ତ, ସମସ୍ତେ ଏହି ବଜେଟରେ ହେବାକୁ ଥିବା ଘୋଷଣାକୁ ଅପେକ୍ଷା କରି ରହିଛନ୍ତି । ଅନେକ ଆଶା ଆକାଂକ୍ଷା ସହ ବଜେଟ-୨୦୨୪କୁ ଅପେକ୍ଷା କରି ରହିଛନ୍ତି ଭାରତର ପ୍ରତ୍ୟେକ ନାଗରିକ । ବଜେଟ ସେଶନର ପ୍ରଥମ ଦିନରୁ ସରକାର ସ୍ପଷ୍ଟ କରିଛନ୍ତି ଯେ, ଚଳିତବର୍ଷ ବଜେଟ ୨୦୪୭ ପର୍ଯ୍ୟନ୍ତ ଭାରତକୁ ବିକଶିତ ରାଷ୍ଟ୍ର ଭାବରେ ଗଢି ତୋଳିବା ପାଇଁ ଏକ ରୋଡ୍ ମ୍ୟାପ୍ ହେବ । ତେବେ ଆସନ୍ତୁ ଜାଣିବା ଏଥର ବଜେଟରେ କେଉଁ ସବୁ କ୍ଷେତ୍ର ଉପରେ ରହିପାରେ ଫୋକସ୍ ।

ରୋଜଗାର:

ଚଳିତବର୍ଷ ବଜେଟରେ ରୋଜଗାର ଉପରେ ବିଶେଷ ଫୋକସ୍ କରିପାରନ୍ତି ସରକାର । ବଢୁଥିବା ଶ୍ରମଶକ୍ତିକୁ ବୃଦ୍ଧି କରିବା ପାଇଁ ୨୦୩୦ ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥାକୁ ନନ୍-ଆଗ୍ରିକଲଚରାଲ ସେକ୍ଟରରେ ବାର୍ଷିକ ହାରାହାରି ପ୍ରାୟ ୭୮.୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ହେବ । ଏହାଦ୍ୱାରା ଡିମାଣ୍ଡ ଏବଂ ସପ୍ଲାଏ କମ୍ ନ ହେବା ସହ ସନ୍ତୁଳନ ରହିବ । ତେଣେୁ ଏହି ବଜେଟରେ ନିଯୁକ୍ତି ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବଡ଼ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି ।

ଇନଫ୍ରା ଏବଂ କୃଷି:

ବଜେଟରେ ପୁଞ୍ଜିଗତ ଖର୍ଚ୍ଚ ଉପରେ ମଧ୍ୟ ସରକାରଙ୍କ ଫୋକସ୍ ରହିପାରେ । ସରକାର ଇନଫ୍ରାଷ୍ଟ୍ରକଚର ଏବଂ କୃଷି ଉପରେ ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ଏଥରର ବଜେଟରେ କୃଷକମାନଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନା, ପିଏମ କିଷାନ ଯୋଜନାକୁ ନେଇ ମଧ୍ୟ ବଡ଼ ଘୋଷଣା କରିପାରନ୍ତି ମୋଦୀ ସରକାର ।

ପିଏମ ଆବାସ ଫଣ୍ଡରେ ବୃଦ୍ଧି:

ଅର୍ଥମନ୍ତ୍ରୀ ଏହି ବଜେଟରେ ପିଏମ ଆବାସ ଯୋଜନା ପାଇଁ ଫଣ୍ଡକୁ ଆହୁରି ବୃଦ୍ଧି କରିବା ପାଇଁ ମଧ୍ୟ ଘୋଷଣା କରିପାରନ୍ତି । ପିଏମ କିଷାନ ଯୋଜନା ମାଧ୍ୟମରେ କୃଷକଙ୍କୁ ମିଳୁଥିବା ବାର୍ଷିକ ୬ ହଜାର ଟଙ୍କାରେ ଏବେ ବୃଦ୍ଧି ହୋଇପାରେ । ନିଜ ଅଭିଭାଷଣରେ ରାଷ୍ଟ୍ରପତି ଇନକମ୍ ଟାକ୍ସକୁ ନେଇ ମଧ୍ୟ ସଂକେତ ଦେଇଛନ୍ତି । ତେବେ ମଧ୍ୟବିତ୍ତ ପରିବାରକୁ ଇନକ୍ମ ଟାକ୍ସରେ ମଧ୍ୟ କିଛି ଫାଇଦା ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ଟାକ୍ସ ରେଜିମରେ ଇନକମ୍ ଟାକ୍ସ ସ୍ଲାବ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି ।

ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା!

ଜୁନ୍ ୭ ତାରିଖରେ ଏକ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ମଧ୍ୟବିତ୍ତ ହେଉଛନ୍ତି ଦେଶ ପାଇଁ ବିକାଶର ଚାଳକ । ତେଣୁ ସେମାନଙ୍କୁ ସୁବିଧା ଯୋଗାଇଦେବା ଆମର ପ୍ରାଥମିକତା । ମଧ୍ୟବିତ୍ତ ପରିବାର କିପରି ସଞ୍ଚୟ କରିପାରିବେ ଏବଂ ସେମାନଙ୍କ ଜୀବନକୁ ଆହୁରି ସହଜ କରିପାରିବେ, ସେ ନେଇ ନିୟମ ପ୍ରସ୍ତୁତ କରାଯିବ ବୋଲି କହିଥିଲେ ମୋଦୀ । ତେଣୁ ଏହି ବଜେଟରେ ମଧ୍ୟବିତ୍ତଙ୍କ ପାଇଁ କିଛି ବଡ଼ ଉପହାର ଆଣିପାରନ୍ତି ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.