ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିଷୟରେ କ’ଣ କହିଲେ କଙ୍ଗନା ରାଣାୱତ?

ନୂଆଦିଲ୍ଲୀ: ବାଂଲାଦେଶରେ ଇସ୍କନ ସହ ଜଡ଼ିତ ଚିନ୍ମୟ କୃଷ୍ଣ ଦାସଗିରଫ ହେବା ପରେ ଭାରତ ସହ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଭାରତ ଶୁକ୍ରବାର ପୁଣି ଚିନ୍ତା ପ୍ରକଟ କରିଛି। ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ସାଂସଦ କଙ୍ଗନା ରାଣାୱତ ମଧ୍ୟ ବାଂଲାଦେଶ ସହ ଚାଲିଥିବା ବିବାଦ ଉପରେ ମନ୍ତବ୍ୟ ଦେଇଛନ୍ତି। ବିଜେପି ସାଂସଦ କହିଛନ୍ତି, ବାଂଲାଦେଶରେ ସାଧୁ ସନ୍ଥମାନଙ୍କ ଦୁର୍ଦ୍ଦଶା ଆମ ପାଇଁ ଅତ୍ୟନ୍ତ ଚିନ୍ତାଜନକ। କିନ୍ତୁ ସବୁଠାରୁ ବଡ ସମସ୍ୟା ହେଉଛି ଏହାକୁ ନେଇ ଭାରତରେ କୌଣସି ଆନ୍ଦୋଳନ ହେଉନାହିଁ।

ସୋସିଆଲ ମିଡିଆରେ ‘ଅଲ୍ ଆଇଜ୍ ଅନ୍ ବାଂଲାଦେଶ’ ଭଳି କୌଣସି ଗତିବିଧି ନାହିଁ। ଏହି ସ୍ଥିତି ମଧ୍ୟ ଚିନ୍ତାଜନକ। ବାଂଲାଦେଶର ଅନ୍ତରୀଣ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସଙ୍କୁ ନେଇ କଙ୍ଗନା ରଣାୱତ ମଧ୍ୟ ବୟାନ ଦେଇଛନ୍ତି । ସେ କହିଛନ୍ତି, ସେମାନେ କ୍ଷମତାକୁ ଆସିବା ପରଠାରୁ ଏତେ ଅଶାନ୍ତି ସୃଷ୍ଟି ହୋଇଛି। ଆମେ କେବଳ ଏତିକି କହିପାରିବା ଯେ ଏହି କଠିନ ସମୟରେ ଆମେ ବାଂଲାଦେଶୀ ଓ ହିନ୍ଦୁମାନଙ୍କ ସହ ଠିଆ ହୋଇଛୁ।

ଶୁକ୍ରବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ସେଠାରେ ଥିବା ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲେ। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏହି ସାମ୍ବାଦିକ ସମ୍ମିଳନୀ ପରେ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ବାଂଲାଦେଶ କହିଛି ଯେ କୋଲକାତାର ଡେପୁଟି ହାଇକମିସନ ବାହାରେ ବାଂଲାଦେଶର ଜାତୀୟ ପତାକା ଜାଳି ଦିଆଯାଇଛି।