ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ ଓ ତାଙ୍କର ସହଯୋଗୀ ଗିଟୁ । ପୋକ୍ସୋ କୋର୍ଟ ଉଭୟଙ୍କୁ କ୍ଲିନଚିଟ୍ ଦେଇଛନ୍ତି ।
ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ଓଡ଼ିଆ ଫିଲ୍ମ ଜଗତର ଚର୍ଚିତ ହାସ୍ୟ କଳାକାର ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମୁପମ୍ ଅସଦାଚରଣ କରିବା ଅଭିଯୋଗ ହୋଇଥିଲା । ଏନେଇ ପପୁ ପମପମ ଓରଫ ତତ୍ତ୍ୱ ପ୍ରକାଶ ଶତପଥୀଙ୍କ ନାମରେ ଗତ ୨୦୧୬ ମସିହା ଜୁନ୍ ୨୫ରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଜୁଲାଇ ୧ ତାରିଖରେ ପୋକ୍ସୋ କୋର୍ଟରେ ପପୁଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଥିଲା । ଆଇପିସିର ଧାରା ୩୪୧, ୩୨୩ ଏବଂ ୩୫୪ ଏବଂ ସେକ୍ସନ୍ ୮ ଓ ୧୨ରେ ପୋକ୍ସୋ କୋର୍ଟରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । କମିସନରେଟ୍ ପୁଲିସ ଏହି ଘଟଣାରେ ପପୁ ଓ ତାଙ୍କର ଜଣେ ସହଯୋଗୀ ଗିଟୁଙ୍କୁ ପୁରୀରୁ ଗିରଫ କରିଥିଲା । ତେବେ ଉଭୟଙ୍କୁ ଅଗଷ୍ଟ ୧୦ରେ ହାଇକୋର୍ଟରୁ ଜାମିନ ମିଳିଥିଲା ।
କ୍ଲିନ୍ ଚିଟ୍ ପାଇବା ପରେ ପପୁ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ‘ସେ ଝିଅଟି ଆମ ଘର ପାଖ ପିଲା । ଯିବା ଆସିବା ବେଳେ ମୋ ସହ ଫଟୋ ଉଠାଇବାକୁ କୁହେ । ମୋତେ ଥରେ ଆକ୍ଟିଙ୍ଗ କରିବାକୁ କହିଥିଲା । ଭଲ ରେଜଲ୍ଟ କଲେ ଆକ୍ଟିଙ୍ଗ କରେଇବି ବୋଲି ମୁଁ କହିଥିଲି । କିନ୍ତୁ ଅଚାନକ୍ କିଛି ଚ୍ୟାନେଲରେ କଳା କପଡ଼ା ବାନ୍ଧି କିଛି କହିଲେ, ଯାହା ପରେ ଝିଅ ମଧ୍ୟ ଏକ ଚ୍ୟାନେଲରେ ଯାଇ କହିଥିଲା । ତାକୁ କିଏ ଶିଖାଶିଖି କରି ଏସବୁ କରିବା ପାଇଁ କହିଥିବା ଲାଗୁଛି । ମୋ ବିଷୟରେ ବିଛ ପ୍ରଚାର କରିଥିବା ଲୋକଙ୍କ ବିରୋଧରେ ମୁଁ ମାନହାନୀ କେସ୍ କରିବି ।’