fbpx

କ’ଣ ହୋଇଥାଏ ନିର୍ବାଚନ ସମୟରେ ଜବତ ଟଙ୍କା ଓ ମଦ: ନିର୍ବାଚନ କମିଶନଙ୍କ କ’ଣ ରହିଥାଏ ପଦକ୍ଷେପ

ନୂଆଦିଲ୍ଲୀ: ଦେଶରେ ୨୦୨୪ ଲୋକସଭା ନିର୍ବାଚନ ବିଗୁଲ ବାଜି ସାରିଛି । ଅଷ୍ଟାଦଶ ଲୋକସଭା ଲାଗି ପ୍ରାର୍ଥୀ ଚୟନ କାମ ୧୯ ଏପ୍ରିଲରୁ ଏ ଜୁନ୍ ମଧ୍ୟରେ କରାଯିବ । ଜୁନ୍ ୪ ତରିଖରେ ହେବ ଭୋଟ ଗଣନା । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦେଶରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଯାଏ । ଏହାସହିତ ନିର୍ବାଚନ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳର ପ୍ରସ୍ତୁତି ଜୋରଦାର ହୋଇଯାଏ । ଭୋଟରଙ୍କୁ ଆକୃଷ୍ଟ କରିବା କାମ ଆରମ୍ଭ ହୋଇଯାଏ ।

ଏହି କାରଣରୁ ନିର୍ବାଚନ ସମୟରେ ପ୍ରତିଦିନ କୋଟି କୋଟି ଟଙ୍କା ଜବତ କରାଯାଇଥାଏ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିର୍ବାଚନ ସମୟରେ ଅବୈଧ ଭାବରେ କିମ୍ବା ନିୟମ ବିରୁଦ୍ଧରେ ବ୍ୟବହାର କରାଯାଉଥିବା ନଗଦ ଅର୍ଥ ଓ ମଦ ପୋଲିସ ଦ୍ୱାରା ଜବତ କରାଯାଏ । ତେବେ ପ୍ରଶ୍ନ ଉଠୁଛି କି ନିର୍ବାଚନ ସମୟରେ ଜବତ କରାଯାଉଥିବା ଏହି କୋଟି କୋଟି ଟଙ୍କା ଓ ମଦ କ’ଣ ହୋଇଥାଏ ବା ଏହା କେଉଁଠିକୁ ଯାଇଥାଏ ।

ନିର୍ବାଚନରେ ଅଧିକାଂଶ କଳାଧନର ଉପଯୋଗ କରାଯାଏ । ନିର୍ବାଚନ ଆୟୋଗ ନିର୍ବାଚନ ଲଢିବା ପାଇଁ ପଇସା ଖର୍ଚ୍ଚ କରିବାର ଯେଉଁ ସୀମା ଧାର୍ଯ୍ୟ କରିଥାନ୍ତି ତାହାଠାରୁ ବହୁଗୁଣ ଅଧିକ ଅର୍ଥ ପ୍ରାର୍ଥୀ ଖର୍ଚ୍ଚ କରିଥାନ୍ତି । ନିର୍ବାଚନରେ କଳାଧନକୁ ସେହି କାମରେ ଉପଯୋଗ କରାଯାଏ ଯାହାର କୌଣସି ହିସାବ ଦିଆଯାଏ ନାହିଁ । ଏହି କାରଣରୁ ଦଳ ଓ ପ୍ରାର୍ଥୀଙ୍କ ପାଖରେ ଅଲଗା ଅଲଗା ସ୍ଥାନରୁ ବହୁମାତ୍ରାରେ ଟଙ୍କା ଆସି ପହଞ୍ଚିଥାଏ । ପୋଲିସ କିନ୍ତୁ ଏଥିପାଇଁ ପ୍ରସ୍ତୁତ ରହିଥାଏ । ପୋଲିସ ସନ୍ଦିଗ୍ଧ ବାହାନ ଓ ଲୋକଙ୍କୁ ଚେକିଂ ଓ ପଚରାଉଚୁରା କରିଥାଏ । ଏହା ବ୍ୟତିତ ପୋଲିସକୁ ଏହାର ସୂତ୍ରରୁ ମଧ୍ୟ ଏ ବିଷୟରେ ଜଣାପଡିଯାଏ । ପରେ ପୋଲିସ ଚଢାଉ କରି ଟଙ୍କା ଓ ମଦ ଜବତ କରିଥାଏ ।

ତେବେ ପୋଲିସ ନିର୍ବାଚନ ସମୟରେ ଯେଉଁ କ୍ୟାସ୍ ଜବତ କରିଥାଏ ତାକୁ ଆୟକର ବିଭାଗକୁ ଦେଇଥାଏ । ପୋଲିସ ଯେଉଁ ବ୍ୟକ୍ତିଙ୍କ ଠାରୁ କ୍ୟାସ୍ ଜବତ କରିଥାଏ ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତି ଏହାକୁ ଦାବୀ ବି କରିପାରେ । କିନ୍ତୁ ଏଥିପାଇଁ ତାଙ୍କୁ ସେହି ଅର୍ଥ ତାଙ୍କର ଓ ତାହା ଅବୈଧ ରୂପରେ ରୋଜଗାର କରାଯାଇନାହିଁ ବୋଲି ପ୍ରମାଣ ଦେବାକୁ ପଡିଥାଏ । କିନ୍ତୁ ଜବତ କରାଯାଇଥିବା ପଇସା ଉପରେ ଯଦି କେହି ଦାବୀଦାର ନ ଆସନ୍ତି ତେବେ ତାକୁ ସରକାରଙ୍କ ରାଜସ୍ୱରେ ସାମିଲ କରିଦିଆଯାଏ ।
ସେହିପରି ନିର୍ବାଚନ ସମୟରେ ଜବତ ମଦକୁ ଗୋଟିଏ ସ୍ଥାନରେ ଏକତ୍ର କରାଯାଇ ନଷ୍ଟ କରିଦିଆଯାଏ ।

Get real time updates directly on you device, subscribe now.