fbpx

ଆଇପିଏଲ୍ ଟ୍ରଫିରେ ସଂସ୍କୃତରେ କ’ଣ ଲେଖାଯାଇଛି?

ଓଡ଼ିଶା ଭାସ୍କର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ଏହାର ଶେଷ ଶେଷ ଚରଣରେ ପହଞ୍ଚିଛି। ୧୬ ତମ ସିଜନର ଅନ୍ତିମ ମ୍ୟାଚ୍ ଆଜି (ମେ ୨୮) ଅହମ୍ମଦାବାଦର ଖେଳାଯିବ। ଟାଇଟଲ୍ ପାଇଁ ଏମଏସ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜୁରାଟ ଟାଇଟାନ୍ସ (ଜିଟି) ସଂଘର୍ଷ କରିବେ। ଫାଇନାଲରେ ଜିତିଥିବା ଦଳକୁ ଆଇପିଏଲ୍ ଟ୍ରଫି ପ୍ରଦାନ କରାଯିବ ଏବଂ ପରବର୍ତ୍ତୀ ସିଜିନ୍ ଆରମ୍ଭ ପର୍ଯ୍ୟନ୍ତ ଏହାକୁ ଏକ ବର୍ଷ ପର୍ଯ୍ୟନ୍ତ ଫ୍ରାଞ୍ଚାଇଜ୍ ରଖିଥାଏ।

ତେବେ ଏହି ପ୍ରତିଦ୍ୱନ୍ଦ୍ୱିତା ଯେଉଁ ସୁନେଲି ରଙ୍ଗର ଟ୍ରଫି ପାଇଁ ହେଉଛି ତା’ ଉପରେ ସଂସ୍କୃତରେ କ’ଣ ଲେଖାଅଛି ତାହାକୁ ନେଇ ଏବେ ଚର୍ଚା ଆରମ୍ଭ ହୋଇଛି। ଅଧିକାଂଶ ଖେଳାଳି ଏବଂ ପ୍ରଶଂସକ ଏ ବିଷୟରେ ପୂରା ଅଜ୍ଞ ଅଛନ୍ତି। ଏହାର କାରଣ ହେଲା ଏହି ପଂକ୍ତିଟି ଏତେ ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଛି ଯେ ଖାଲି ଆଖିରେ ଏହାକୁ ପଢ଼ିବା ସମ୍ଭବ ହେଉନାହିଁ। ସେହିଭଳି ଏହି ଚର୍ଚିତ ଲିଗ୍‌ରେ ଖେଳୁଥିବା ଅଧିକାଂଶ ଖେଳାଳି ମଧ୍ୟ ସଂସ୍କୃତ ଭାଷା ଜାଣି ନାହାନ୍ତି।

ତେବେ ନିକଟରେ ଏକ ବୈଦିକ ଗୁରୁକୁଳ ଆଇପିଏଲ୍‌ ଟ୍ରଫିରେ ଲେଖାଥିବା ସଂସ୍କୃତ ଲେଖାର ଅନୁବାଦ କରି ଏହାକୁ ଟ୍ଵିଟରରେ ପ୍ରକାଶ କରିଛି। ତଦନୁଯାୟୀ ଆଇପିଏଲ୍‌ ଟ୍ରଫିରେ ଅତି ଛୋଟ ଛୋଟ ଅକ୍ଷରରେ ସଂସ୍କୃତରେ ‘ୟତ୍ର ପ୍ରତିଭା ଅବସର ପ୍ରପ୍ନୋତିଃ’ ବୋଲି ଲେଖା ହୋଇଛି। ଯାହାର ମାନେ ହେଉଛି ‘ଯେଉଁଠି ପ୍ରତିଭା ଓ ସୁଯୋଗର ମିଳନ’ ହୋଇଥାଏ। ଏଣୁ ଆଇପିଏଲର ଅସଲ ଲକ୍ଷ୍ୟ ହେଉଛି ପ୍ରତିଭାବାନ ଖେଳାଳିଙ୍କୁ ସେମାନଙ୍କ ପ୍ରତିଭାର ପରିପ୍ରକାଶ ପାଇଁ ମଞ୍ଚ ଏବଂ ସୁଯୋଗ ପ୍ରଦାନ କରିବା।

ଯାହା ଏହି ଲିଗ୍‌ ଗତ ୧୬ ବର୍ଷ ହେବ କରି ଆସୁଛି। ବହୁ ଯୁବ ତାରକା ଆଇପିଏଲ୍‌ ପ୍ରଦର୍ଶନ ବଳରେ ହିଁ ନିଜ ନିଜର ଜାତୀୟ ଦଳରେ ସ୍ଥାନ ପାଉଛନ୍ତି। ଅନେକ ଜିରୋରୁ ହିରୋ ପାଲଟି ଯାଉଛନ୍ତି। ଯଶସ୍ୱୀ ଜୈସ୍ବାଲ, ରିଙ୍କୁ ସିଂହ, ଧ୍ରୁବ ଯୁରେଲ, ତିଳକ ବର୍ମା, ଜୀତେଶ ଶର୍ମାଙ୍କ ଭଳି ଖେଳାଳି ଆଇପିଏଲ ପାଇଁ ହିଁ ଲୋକଲୋଚନକୁ ଆସି ପାରିଛନ୍ତି।

Get real time updates directly on you device, subscribe now.