fbpx

ସୀମା ବିବାଦକୁ ନେଇ ଗର୍ଜିଲେ ବିଜେଡି ଓ କଂଗ୍ରେସ ନେତା, କହିଲେ ‘ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଉନି କେନ୍ଦ୍ର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାର କୌଣସି ତଥ୍ୟକୁ ନନେଇ ଦେଇଛନ୍ତି ଭୁଲ ଉତ୍ତର । ସୀମା ବିବାଦ ଓଡ଼ିଶାରେ ଅଛି ଏହାର ସମାଧାନ ପାଇଁ ରାଜ୍ୟ ସରକାର କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ତଥ୍ୟ ଉପସ୍ଥାପନ କଲେ ମଧ୍ୟ କେନ୍ଦ୍ର ସରକାର ଦେଖୁନାହାନ୍ତି । ବିଜେଡି ସରକାରକୁ ହଇରାଣ କରୁଛନ୍ତି ଏବଂ ଓଡ଼ିଶାକୁ ଅବହେଳା କରୁଛନ୍ତି । ଓଡ଼ିଶାର ସ୍ୱାର୍ଥକୁ ଦେଖୁ ନାହାନ୍ତି । ଏଭଳି ମତ ଦେଇଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସେହିପରି ପ୍ରମିଳା କହିଛନ୍ତି ଯେ ଓବିସି ସମ୍ପର୍କରେ ସର୍ଭେ କଲେ ବିଜେପିର ଅସୁବିଧା କଣ ହେଉଛି? ବିଜେପି ଡ୍ରାମା କରୁଛି ଆମେ ସତ କହିଲେ ଅସୁବିଧା କଣ? ଗୋଟିଏ ବର୍ଗର ସର୍ଭେ ହେଲେ ତଥ୍ୟ ଜଣାପଡ଼ିବ । ତାଲିକା ପ୍ରକାଶ କରିବେ ନ କରିବେ ସରକାର ଯେତେବେଳେ ନିଷ୍ପତ୍ତି ନେଇଛନ୍ତି ବିଚାର କରିବେ । ଯାହା ସାମ୍ବିଧାନିକ ବିଧିବ୍ୟବସ୍ଥା ଥିବ ତାହା ହେବ । ଏଥିରେ ବିଜେପି ଅଯଥା ଅଳିଆ ପୂରାଉଛି କାହିଁକି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି ।

ସେହିପରି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ରାଜ୍ୟର ସୀମା ବିବାଦକୁ ନେଇ ଓଡ଼ିଶାରେ କୌଣସି ବିବାଦ ନଥିବା ଦର୍ଶାଯାଇଛି । ଦେଶର ୯ଟି ରାଜ୍ୟେର ସୀମା ବିବାଦ ଥିବାବେଳେ ସେଥିରେ ଓଡ଼ିଶାର ନାଁ ନାହିଁ । ଯାହାକୁ ନେଇ କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ ଗର୍ଜିଛନ୍ତି । ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଆମ ରାଜ୍ୟର ୧୦ଟି ଲେଖାଏଁ ଗାଁକୁ ନିଜ ଅକ୍ତିଆରକୁ ନେଇ ସେଇଠି ଭୋଟ କଲେଣି । ବିଧାନ ସଭାରୁ ଦାଣ୍ଡ ଦୁଆର ପର୍ଯ୍ୟନ୍ତ ସୀମା ବିବାଦକୁ ନେଇ ଚର୍ଚ୍ଚା ଚାଲିଛି । ତଦାରଖ ପାଇଁ ସ୍ୱତନ୍ତ୍ର ଟିମ ଯାଇ ବୁଲିକି ଆସିଛି । ଆଉ ମୋଦୀ ସରକାର କହୁଛନ୍ତି ଆମର ସୀମା ବିବାଦ ନାହିଁ । ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କୁ ଏନେଇ ରିପୋର୍ଟ ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀ ରାଉତରାୟ ।

Get real time updates directly on you device, subscribe now.