fbpx

କ୍ୟାବିନେଟର ଅଧା ମନ୍ତ୍ରୀ ୪ଟି ଜିଲ୍ଲାର, ୧୬ ଜିଲ୍ଲାରୁ କୌଣସି ବିଧାୟକ ସ୍ଥାନ ପାଇଲେନି: ଅସନ୍ତୁଷ୍ଟ ଗୋଷ୍ଠୀ ଓ ପାଇଲଟ ଏବେ କରିବେ କ’ଣ?

ନୂଆଦିଲ୍ଲୀ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ହଟିଗଲା ବୋଲି ସମସ୍ତେ ଭାବୁଥିବେ । ତେବେ ଏହା ସମ୍ପୂର୍ଣ୍ଣ ଭୁଲ୍ କଥା ବୋଲି କ୍ୟାବିନେଟରୁ ସ୍ପଷ୍ଟ ଜଣାପଡ଼ୁଛି । କ୍ୟାବିନେଟର ଅଧା ମନ୍ତ୍ରିମଣ୍ଡଳ କେବଳ ୪ଟି ଜିଲ୍ଲାକୁ ନେଇ ଗଠିତ ହୋଇଥିବା ବେଳେ ୧୬ଟି ଜିଲ୍ଲାରୁ କୌଣସି ବିଧାୟକ ସ୍ଥାନ ପାଇନାହାନ୍ତି । ତେବେ ବର୍ତ୍ତମାନ ପାଇଲଟଙ୍କ ରୋଲ୍ କ’ଣ ରହିବ ସେ ନେଇ କିଛି କୁହାଯାଇ ନାହିଁ । ନା ସେ ଉପମୁଖ୍ୟମନ୍ତ୍ରୀ ପଦ ପାଇଲେ ନା ପ୍ରଦେଶ ଅଧ୍ୟକ୍ଷ ପଦରେ ରହିପାରିଲେ । ତେଣୁ ତାଙ୍କୁ ଅନ୍ୟ ରାଜ୍ୟର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇପାରେ ବୋଲି ଶୁଣାଯାଉଛି ।

ତେବେ କ୍ୟାବିନେଟରେ ପାଇଲଟଙ୍କ କିଛି ଅନୁଗତଙ୍କୁ ସ୍ଥାନ ମିଳିବା ପରେ ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ହେଁ ଏହା ଶତ ପ୍ରତିଶତ ନୁହେଁ । ଟପ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଲୋୟର ଅର୍ଡରରେ ଖେଳାଇବା ଯାହା ତାଙ୍କର ଅବସ୍ଥା ବର୍ତ୍ତମାନ ସେପରି ହୋଇଯାଇଛି । ଏକଦା ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟତମ ଦାବିଦାର ଥିବା ପାଇଲଟ ଯେ ବର୍ତ୍ତମାନ ସନ୍ତୁଷ୍ଟ ଥିବେ, ତାହା ଭାବିବା ଭୁଲ୍ । ତେବେ ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ସେ ସୁଚାରୁରୂପେ ତୁଲାଇବେ ବୋଲି ପୂର୍ବରୁ ପାଇଲଟ କହିସାରିଛନ୍ତି । ତେବେ ୬ ଜଣ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦରେ ଅଧିଷ୍ଠିତ କରାଇବା ଗେମକୁ କେହି ମଧ୍ୟ ବୁଝିପାରୁ ନାହାନ୍ତି । ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ଏପରି ଥଇଥାନ ସୃଷ୍ଟି କରାଯାଥିବା ଚର୍ଚ୍ଚା ହେଉଛି । ତେବେ ଗେହଲଟଙ୍କ ନୂଆ ଟିମରେ ଜାତୀୟ ସମୀକରଣର ଛାପ ରହିଥିବା ବେଳେ ଆଞ୍ଚଳିକ ଚିତ୍ର ଦେଖିବାକୁ ମିଳିନାହିଁ । ୩୩ଟି ଜିଲ୍ଲାରୁ ମାତ୍ର ୧୬ଟି ଜିଲ୍ଲାରୁ ମନ୍ତ୍ରୀ ବାଛିବା ଠିକ୍ ନିଷ୍ପତ୍ତି ହୋଇନପାରେ । ମୋଟ ୧୫ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ କିଛି ବିଧାୟକ ଏଥିରୁ ବାଦ୍ ପଡ଼ିବା ପରେ ଅସନ୍ତୋଷ କୁହୁଳିଛି । ଗେହଲଟଙ୍କ ନିକଟତର କୁହାଯାଉଥିବା ଟିକାରାମ ଜୁଲିଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନଥିବା ସହ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଇ ନଥିବାରୁ ଏହା ମଧ୍ୟ ଅନେକ ପ୍ରଶ୍ନ ଛିଡ଼ା କରାଇଛି ।

Get real time updates directly on you device, subscribe now.