fbpx

ଉତ୍ତରକାଶୀ ସୁଡ଼ଙ୍ଗର ଭବିଷ୍ୟତ କ’ଣ ହେବ: ଜନସମାଗମ ସ୍ଥାନ ଏବେ ଜନଶୂନ୍ୟ, ଏତେବଡ଼ ଘଟଣା ପାଇଁ ଦାୟୀ କିଏ?

Advertisement

ନୂଆଦିଲ୍ଲୀ: ନଭେମ୍ବର ୧୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୭ ଦିନ ଧରି ଫଶି ରହିବା ପରେ ଶେଷରେ ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗ ଭିତରୁ ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ତେବେ ଗତ ୨୮ ତାରିଖରେ ସମସ୍ତ ଶ୍ରମିକଙ୍କୁ ସୁଡ଼ଙ୍ଗ ଭିତରୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ଏବେ ସମସ୍ତ ଶ୍ରମିକ ସୁସ୍ଥ ଅଛନ୍ତି ଓ ଖୁବଶୀଘ୍ର ସେମାନେ ନିଜ ନିଜ ଘରକୁ ଫେରିବେ ବୋଲି ଜଣାପଡ଼ିଛି ।

ତେବେ ଏହି ଦୁର୍ଘଟଣା ପରେ ଏବେ ଉତ୍ତରକାଶୀର ସୁଡ଼ଙ୍ଗର କ’ଣ ହେବ? ଏହି ସୁଡ଼ଙ୍ଗ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଚାରଧାମ ପ୍ରକଳ୍ପର ଏକ ଅଂଶ । ମୌସୁମୀ ସମୟରେ ଯମୁନେତ୍ରୀ ପର୍ଯ୍ୟନ୍ତ କିପରି ଲୋକମାନେ ସହଜରେ ପହଞ୍ଚି ପାରିବେ ସେଥିପାଇଁ ଏକ ରାସ୍ତା ନିର୍ମାଣ କରିବା ଏହା ପଛର ଉଦ୍ଦେଶ୍ୟ । ୨୯ ତାରିଖ ଦିନ ମେଶିନ ସମେତ ଅପରେସନ ଟିମ୍ ଚାଲିଯିବା ପରେ ସେହି ସ୍ଥାନରେ ନିର୍ଜନତା ଦେଖିବାକୁ ମିଳିଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସମୟରେ ବନ୍ଦ କରାଯାଇଥିବା ସୁଡ଼ଙ୍ଗ ନିକଟ ରାସ୍ତାକୁ ଖୋଲି ଦିଆଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ କର୍ମୀ ମୁତୟନ ରହିଛନ୍ତି ।

ଏହା ମଧ୍ୟରେ ସୁରଙ୍ଗର ସେଫଟି ଅଡିଟ କରିବାକୁ ସରକାର ଆଦେଶ ଦେଇଛନ୍ତି । ଏହି କାମ କରୁଥିବା ଶ୍ରମିକଙ୍କୁ ବ୍ରେକ୍ ଦିଆଯାଇଛି । ତେଣୁ ଏବେ ସୁଡ଼ଙ୍ଗର ଭବିଷ୍ୟତ କ’ଣ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡ ସରକାରଙ୍କ ସଚିବଙ୍କ ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କିଛି ଏଜେନ୍ସି ଦ୍ୱାରା ଏହି ରେସକ୍ୟୁ ଅପରେସନ ଚାଲିଥିଲା । ଏନଡିଆରଏଫର ୬୦ କର୍ମଚାରୀ, ୨୦ ଷ୍ଟାଣ୍ଡବାଏ କର୍ମଚାରୀ ସମସ୍ତେ ଏବେ ଫେରି ଯାଇଛନ୍ତି । ‘ଚାର ଧାମ ଯାତ୍ରା ଅଲ ୱେଦର ରୋଡ଼’ ପ୍ରୋଜେକ୍ଟର ଲମ୍ବ ୯୦୦ କିମି ରହିଥିବା ବେଳେ ସିଲକ୍ୟାରା ସୁଡ଼ଙ୍ଗ ପ୍ରକଳ୍ପର ଲମ୍ବ ୪.୫ କିମି । ଏଥିପାଇଁ ୧୨ ହଜାର କୋଟି ବ୍ୟୟ ବରାଦ ହୋଇଛି ।

ତେବେ ଏହାର ନିର୍ମାଣର ତ୍ରୁଟିକୁ ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ଏ ବାବଦରେ ନିର୍ମାଣ ଏଜେନ୍ସି ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ପକ୍ଷରୁ କୌଣସି ବୟାନ ଜାରି କରାଯାଇନାହିଁ । ତେବେ କିଛିଦିନ ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣେ ପୋଲିସ କର୍ମୀ କହିଥିବା ବେଳେ ଶ୍ରମିକଙ୍କୁ ଦୁଇଦିନ ପାଇଁ ଆରାମ ଦିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ସୁରକ୍ଷା ଅଡିଟ ହେବା ପର୍ଯ୍ୟନ୍ତ କାମ ବନ୍ଦ ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଏହି ଘଟଣାର କାରଣ ଜାଣିବା ପାଇଁ ଉତ୍ତରାଖଣ୍ଡ ସରକାର ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଭୂସ୍ଖଳନ କାରଣରୁ ସୁଡ଼ଙ୍ଗ ଅଚାନକ ଭୁଶୁଡ଼ି ପଡ଼ିଥିବାରୁ ଏତେବଡ଼ ଦୁର୍ଘଟଣା ଘଟିଥିଲା । ତେଣୁ ଏହାର ତଦନ୍ତ କରାଯିବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.