fbpx

କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି? କେବଳ ଏହି ୩ଟି କଥାକୁ ଧ୍ୟାନ ଦିଅନ୍ତୁ…

ଓଡିଶା ଭାସ୍କର: ସୁନ୍ଦର ଘନ ଓ ଲମ୍ବା କେଶ ରଖିବାକୁ ସମସ୍ତେ ବେଶ ପସନ୍ଦ କରିଥାନ୍ତି। ବିଶେଷକରି ସୁନ୍ଦର କେଶ ମହିଳାଙ୍କ ସୁନ୍ଦରତାକୁ ଆହୁରି ବଢ଼ାଇଥାଏ। ହେଲେ ଆଜିର ଦିନରେ କେଶ ଝଡ଼ିବା ସମସ୍ୟାକୁ ନେଇ ପ୍ରାୟ ସମସ୍ତେ ଚିନ୍ତାରେ ପଡିଛନ୍ତି। ମଜବୁତ, ଲମ୍ବା ଓ ଘନ କେଶ ପାଇଁ ଆମେ ମାର୍କେଟରୁ ଅନେକ ପ୍ରକାରର ପ୍ରଡକ୍ଟ ଆଣି ବ୍ୟବହାର କରିଥାନ୍ତି। କିନ୍ତୁ କେଶ ଝାଡ଼ିବା ସମସ୍ୟାକୁ ନେଇ ଆମେ କଣ କରିବା ସେଥିଲାଗି ଦ୍ୱନ୍ଦ୍ୱରେ ପଡିଯାଇଥାନ୍ତି। ତେବେ କଣ ଆପଣଙ୍କୁ ଜଣା ଅଛି, ଏହାର ସମାଧାନ ପାଇଁ ଆମକୁ କଣ କରିବାକୁ ପଡିବ?

କେଶ ଝଡ଼ିବା ସମସ୍ୟା ସମାଧାନ ଲାଗି ଆମକୁ ବେଶୀ କିଛି କରିବାକୁ ପଡ଼ିବନି ବରଂ କେବଳ କିଛି କଥାକୁ ଧ୍ୟାନ ଦେବାକୁ ପଡିବ। ଆମକୁ ଜଣା ଯେ, ଆମର ଜୀବନଶୈଳୀରେ ପରିବର୍ତ୍ତନ ଯଥା: ଖାଇବା, ଶୋଇବା ଓ ସାଧାରଣ କଥାକୁ ଧ୍ୟାନ ନ ଦେବା ଭଳି କାରଣରୁ କେଶ ଝଡ଼ିବା ଦେଖାଦେଇଥାଏ। ତେବେ ଏଭଳି ପରିସ୍ଥିତିରେ ଆମକୁ କିଛି ଔଷଧ କିମ୍ବା କୌଣସି ବ୍ରାଣ୍ଡ କମ୍ପାନୀ ତେଲର ଆବଶ୍ୟକତା ନାହିଁ। ଦୈନଦିନ କେବଳ ସୁସ୍ଥକର ଖାଦ୍ୟ ସେବନ କରନ୍ତୁ। ଖାଦ୍ୟରେ ସବୁଜ ପନିପରିବା ସହ ଲୌହଯୁକ୍ତ ଖାଦ୍ୟ ଅନ୍ତର୍ଭୂକ୍ତ କରନ୍ତୁ। ଏହା ବ୍ୟତୀତ ଭିଟାମିନ୍-ସି ସମୃଦ୍ଧ ଖାଦ୍ୟ ଯେପରିକି କିୱି, କମଳା, ବ୍ଲାକବେରୀ ଇତ୍ୟାଦି ସେବନ କରନ୍ତୁ। ଏହା କେଶକୁ ସିଲ୍କ ଏବଂ ଷ୍ଟ୍ରଙ୍ଗ କରିଥାଏ। ଦୈନନ୍ଦିନ ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସ ଅନ୍ତର୍ଭୁକ୍ତ କରନ୍ତୁ। ସେହିପରି ଡାଲି, ଅଣ୍ଡା ଏବଂ ମାଛ ପରି ପ୍ରୋଟିନ୍ ଜାତୀୟ ଖାଦ୍ୟ ମଧ୍ୟ କେଶ ପାଇଁ ବେଶ ଉପକାରୀ।

ଅନ୍ୟପଟେ ପର୍ୟ୍ୟାପ୍ତ ଶୋଇବା ଅଭ୍ୟାସ କରନ୍ତୁ। ଅତିକମରେ ଦିନକୁ ୮ରୁ ୯ ଘଣ୍ଟା ଶୋଇବା ଅଭ୍ୟାସ କରନ୍ତୁ। କାରଣ ପର୍ୟ୍ୟାପ୍ତ ଶୋଇବା ଫଳରେ କେଶକୁ ରକ୍ତ ସଞ୍ଚାଳନ ସଠିକ୍ ହୋଇଥାଏ। ଫଳରେ କେଶ ଲମ୍ବା ହୋଇଥାଏ। ଏଥିସହ ଚାପ ଓ ଚିନ୍ତା ମଧ୍ୟ ଦୂର ହୁଏ। ଆଉ ହଁ, ପର୍ୟ୍ୟାପ୍ତ ଶୋଇବା ଫଳରେ ଶରୀରରୁ ଅନେକ ସମସ୍ୟା ସାଧାରଣରେ ଭଲ ମଧ୍ୟ ହୋଇଯାଇଥାଏ। ସେହିପରି କେଶ ପାଇଁ ତେଲ ବହୁ ଆବଶ୍ୟକ, ଏଣୁ ସମୟ ସମୟରେ କେଶରେ ତେଲ ଲଗାନ୍ତୁ। ନିଜ କେଶ ଅନୁଯାୟୀ ଆଲମୋଣ୍ଡ, ଅଲିଭ୍, ନଡିଆ ତେଲ କିମ୍ବା ଅନ୍ୟାନ୍ୟ ତେଲ ଲଗାଇପାରିବେ, ଏଥିରେ କୌଣସି ଅସୁବିଧା ନାହିଁ । ତେବେ ଅତି କମରେ ଦିନକୁ ୨୦ ମିନିଟ୍ ପାଇଁ କେଶକୁ ମସାଜ୍ କରନ୍ତୁ। କେଶ ଧୋଇବାର ୨ରୁ ୩ ଘଣ୍ଟା ପୂର୍ବରୁ ତେଲ ଲଗାନ୍ତୁ। ତେବେ ଏଭଳି କରିବାର କିଛି ଦିନ ଭିତରେ ଦେଖିବେ ଯେ, ଆପଣଙ୍କର କେଶ ଝଡ଼ିବା ସମସ୍ୟାର ସମାଧାନ ହୋଇଯିବ।

Get real time updates directly on you device, subscribe now.