fbpx

ରୋଚକ ଏହି ପ୍ରେମ କାହାଣୀ… ଦୁଇ ହୃଦୟର ମିଳନକୁ ଅଟକାଇ ପାରିଲା ନାହିଁ ଛାଡ଼ପତ୍ର

ବିବାହ ଏକ ପବିତ୍ର ବନ୍ଧନ । ଏକ ସାମାଜିକ ଅନୁଷ୍ଠାନ । ବିବାହ, ଦୁଇ ବ୍ୟକ୍ତି ନୁହେଁ ବରଂ ଦୁଇ ପରିବାରକୁ ଏକାଠି କରିଥାଏ । ଏହି ଦୁନିଆରେ କିଏ କାହାକୁ ଭେଟିବ ତାହା ପୂର୍ବ ନିର୍ଦ୍ଧାରିତ । ଯେତେ ଦୂରରେ ଥିଲେ ବି କେଉଁ ନା କେଉଁ ମାଧ୍ୟମରେ ମନର ମଣିଷ ସହ ଆମର ଭେଟ ହୋଇଥାଏ । କଥାରେ ଅଛି, କିଛି ସମ୍ପର୍କର ଡ଼ୋରୀ ଇଶ୍ୱରଙ୍କ ଅଧୀନ । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଗାଜିଆବାଦରେ । ଏହି ଦମ୍ପତ୍ତି ପରସ୍ପରର ହାତ ଧରି ସାତ ଜନ୍ମର ସାଥି ହୋଇଥିଲେ । କିନ୍ତୁ କୌଣସି କାରଣ ବଶତଃ ବୈବାହିକ ଜୀବନ ବେଶି ଦିନ ତିଷ୍ଟି ପାରିନଥିଲା । ତେଣୁ ଦୁହେଁ ଛାଡ଼ପତ୍ର ନେଇଥିଲେ ।

କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ଛାଡ଼ପତ୍ରର ୫ ବର୍ଷ ପରେ ପୁଣି ଦୁହେଁ ଏକାଠି ହେଲେ । ସେମାନଙ୍କ ମଧ୍ୟରେ ଥିବା ସବୁ ତିକ୍ତତା ଦୁରେଇଯାଇଥିଲା । ଦୁହେଁ ପୁଣି ଖୁସି ଖୁସି ପରସ୍ପରକୁ ଜୀବନସାଥି ଭାବରେ ବାଛିବାର ନିଷ୍ପତ୍ତି ନେଇଥିଲେ । ସୂଚନାରୁ ପ୍ରକାଶ ୨୦୧୨ରେ ବିନୟ ଜାୟସୱାଲ ଏବଂ ପୂଜା ଚୌଧୁରୀ ବିବାହ କରିଥିଲେ । ଗାଜିଆବାଦ ସ୍ଥିତ କୌଶମ୍ବି ନିବାସୀ ଥିଲେ ସେମାନେ । କିନ୍ତୁ ବିବାହର ପ୍ରଥମ ବର୍ଷରୁ ହିଁ ଦୁହିଙ୍କ ମଧ୍ୟରେ ଛୋଟ ଛୋଟ କଥାରୁ ମନମାଳିନ୍ୟ, ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା । ଶେଷରେ ଦୁହେଁ ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଗାଜିଆବାଦ ଫ୍ୟାମିଲି କୋର୍ଟ, ହାଇକୋର୍ଟ ପରେ ସୁପ୍ରିମକୋର୍ଟରେ ଦୁହିଙ୍କ କେସ୍ ଚାଲଥିିଲା । ୨୦୧୮ରେ ସେମାନଙ୍କ ଛାଡ଼ପତ୍ର ମଞ୍ଜୁର ହୋଇଥିଲା । ଏହା ପରେ ୫ ବର୍ଷ ଧରି ସେମାନେ ଅଲଗା ରହୁଥିଲେ ।

ଚଳିତ ବର୍ଷ ଅଗଷ୍ଟ ମାସରେ ବିନୟ ହୃଦଘାତର ଶିକାର ହୋଇଥିଲେ । ଏଥିପାଇଁ ତାଙ୍କର ଓପନ୍ ହାର୍ଟ ସର୍ଜରୀ କରିବାକୁ ପଡ଼ିଥିଲା । ତେବେ ସୋଶିଆଲ ମିଡ଼ିଆର କିଛି ବନ୍ଧୁମାନଙ୍କ ସହଯୋଗରେ ପୂଜା(ବିନୟଙ୍କ ପୂର୍ବତନ ପତ୍ନୀ)ଙ୍କୁ ତାଙ୍କ ପୂର୍ବତନ ସ୍ୱାମୀ ବିନୟଙ୍କ ସର୍ଜରୀ ବିଷୟରେ ଜାଣିବାକୁ ପାଇଥିଲେ । ଏହା ପରେ ପୂଜା ତାଙ୍କୁ ଦେଖା କରିବା ପାଇଁ ହସ୍ପିଟାଲ ପହଁଚିଥିଲେ । ସେଠରେ ପୂଜା ବିନୟଙ୍କ ଏପରି ଅବସ୍ଥା ଦେଖି ଭାବୁକ ହୋଇ ଯାଇଥିଲେ । ବିନୟଙ୍କ ସେବା ସୁଶ୍ରୁଶା କରୁଥିଲେ ପୂଜା । ସମୟକ୍ରମେ ଦୁହିଁଙ୍କ ମଧ୍ୟରେ ଥିବା ଦୂରତା ଧିରେ ଧିରେ କମିଥିଲା । ଦୁହେଁ ପୁରୁଣା କଥା ଭୁଲି ପରସ୍ପରକୁ କ୍ଷମା କରିଥିଲେ । ଦମ୍ପତ୍ତିଙ୍କ ମଧ୍ୟରେ ପୁଣି ଥରେ ପ୍ରେମ ଉଜ୍ଜିବୀତ ହୋଇଥିଲା । ଦୁହେଁ ପୁଣି ଥରେ ବିବାହ କରବା ପାଇଁ ନିଷ୍ପତ୍ତି ନେଇଥିଲେ ।

ତେବେ୨୩ ନଭେମ୍ବର, ୨୦୨୩ରେ ପରିବାର ଏବଂ ସୀମିତ ସମ୍ପର୍କୀୟଙ୍କ ମଧ୍ୟରେ ଗାଜିଆବାଦ ସ୍ଥିତ ଆର୍ଯ୍ୟ ସମାଜ ମନ୍ଦିରରେ ବିନୟ ଏବଂ ପୂଜାଙ୍କ ବିବାହ ସବୁ ରୀତିନୀତି ଅନଚଯାୟୀ ସମ୍ପନ୍ନ ହୋଇଥିଲା । କହିରଖୁଛୁ ବିନୟ ଜାୟସୱାଲ ‘ସେଲ୍‌’ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିବାବେଳେ ତାଙ୍କ ପତ୍ନୀ ପାଟଣାରେ ଶିକ୍ଷକତା କରୁଥିଲେ । ଏହି ଦମ୍ପତ୍ତି ପ୍ରେମର ଏକ ନିଆରା ଉଦାହରଣ ସୃଷ୍ଟି କରି ବିଭିନ୍ନ ସୋଶିଆଲ ମିଡ଼ିଆରେ ଟ୍ରେଣ୍ଡ୍ କରିବା ସହ ବେଶ ଚର୍ଚ୍ଚାରେ ଅଛନ୍ତି ।

Get real time updates directly on you device, subscribe now.