fbpx

ଏକ ମାସ ପାଇଁ ଛାଡି ଦିଅନ୍ତୁ ମାଂସାହାରୀ ଖାଦ୍ୟ, ଦେଖିବାକୁ ପାଇବେ ଚକିତ କରିଦେବା ଭଳି ପରିବର୍ତ୍ତନ

ନୂଆଦିଲ୍ଲୀ: ଏଥିରେ କୌଣସି ସନ୍ଦେହ ନାହିଁ ଯେ, ନନଭେଜ୍ ଫୁଡ୍ ଖାଉଥିବା ଲୋକଙ୍କ ଲାଗି ଚିକେନ ମଟନ ଛାଡିବା ବହୁତ ମୁସ୍କିଲ ହୋଇଯିବ । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ଆପଣ ମାତ୍ର ଗୋଟିଏ ମାସ ଲାଗି ମାଂସାହାରୀ ଭୋଜନ ଠାରୁ ଦୂରେଇ ରହନ୍ତୁ ଓ ଏହାଦ୍ୱାରା ଆପଣଙ୍କ ଶରୀରରେ ଜବରଦସ୍ତ ପରିବର୍ତ୍ତନ ନଜର ଆସିବ ତେବେ ଆପଣଙ୍କ ଜବାବ ନିଶ୍ଚୟ ହଁ ରହିବ ।
ହାଇଦ୍ରାବାଦର କେୟାର ହସ୍ପିଟାଲ ବରିଷ୍ଠ ଚିକିତ୍ସକ ଅଥର ପାଶା କହିଛନ୍ତି ଉଦ୍ଭିଦ ଜାତୀୟ ଖାଦ୍ୟ ଅର୍ଥାତ୍ ଶାକାହାରୀ ଖାଦ୍ୟରେ ବହୁ ଅଧିକ ଫାଇବର ରହିଥାଏ ଯାହା ଆପଣଙ୍କ ପାଚନ ତନ୍ତ୍ରକୁ ମଜଭୂତ କରିଥାଏ ଓ ବିଭିନ୍ନ ପ୍ରକାର ପେଟ ରୋଗରୁ ସୁରକ୍ଷା ଦେଇଥାଏ । ଯଦି ଆପଣଙ୍କ ପେଟ ସୁସ୍ଥ ରହିବ ତ ଆପଣଙ୍କ ସଂପୂର୍ଣ୍ଣ ଶରୀର ସୁସ୍ଥ ରହିବ ।
ବିଶ୍ୱ ଅର୍ଥନୀତି ଫୋରମର ମତ ଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ବିଶେଷ କରି ଆମେରିକା ଓ ୟୁରୋପ ଦେଶମାନଙ୍କରେ ଶାକାହାରୀଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ସେହିପରି ଉଜାଲା ସିଗନସ୍ ଗ୍ରୁପ ଅଫ୍ ହସ୍ପିଟାଲର ଡାଏଟିସିଆନ ଡା. ଏକତା ସିଂହୱାଲ କହିଛନ୍ତି ବହୁ କାରଣ ରହିଛି ଯେଉଁଥିପାଇଁ ମାଂସାହାରୀ ଲୋକମାନେ ଶାକାହାରୀ ହେଉଛନ୍ତି । ଏଥିମଧ୍ୟରୁ ନୈତିକ ଓ ପରିବେଶଗତ କାରଣ ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲାଭ ପ୍ରମୁଖ ଅଟେ । ଏହା ବ୍ୟତିତ ଏବେ ନନଭେଜ ଫୁଡର ବହୁ ବିକଳ୍ପ ଭେଜ୍ ଫୁଡ୍ ବି ବଜାରରେ ଉପଲବ୍ଧ । ଏହି କ୍ରମରେ ଆପଣ ଗୋଟିଏ ମାସ ମାଂସହାରୀ ଖାଦ୍ୟ ବନ୍ଦ କରି କଲେ ଆପଣଙ୍କ ଶରୀରରେ କ’ଣ ପ୍ରତିକ୍ରିୟା ଦେଖାଦେବ ଆସନ୍ତୁ ଜାଣିବା ।
କୋଷ୍ଠକାଠିନ୍ୟରୁ ମୁକ୍ତି:
ଉଦ୍ଭିଦ ଜାତ ଖାଦ୍ୟରେ ଅଧିକ ଫାଇବର ରହିଥିବା କାରଣରୁ ଏହା ହଜମ ପ୍ରକ୍ରିୟାକୁ ଉନ୍ନତ କରି ପେଟକୁ ସୁସ୍ଥ ରଖିଥାଏ । ଫଇବରଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଓଜନ ହ୍ରାସ:
ଉଦ୍ଭିଦ ଜାତ ଖାଦ୍ୟରେ ନନଭେଜ୍ ଫୁଡ୍ ଠାରୁ କମ୍ କ୍ୟାଲୋରୀ ରହିଥାଏ ଓ ଫାଇବର ଅଧିକ ରହିଥାଏ । ଫଳରେ ବାରମ୍ବାର ଭୋକ ଲାଗେ ନାହିଁ । କ୍ୟାଲୋରୀ କମ୍ ହେବାରୁ ଓଜନ ନିୟନ୍ତ୍ରଣ ହୋଇଥାଏ ।
କୋଲେଷ୍ଟ୍ରଲ କମ୍ ହୋଇଥାଏ:
ନନ୍ ଭେଜ୍ ଖାଦ୍ୟରେ ବିଶେଷ ରୂପରେ ସାଚୁରେଟେଡ୍ ଓ ଟ୍ରାନ୍ସ ଫ୍ୟାଟ ଅଧିକ ରହିଥାଏ ଯାହା କୋଲେଷ୍ଟ୍ରଲ ବଢିବାର କାରଣ ହୋଇଥାଏ । ଏହି ଖାଦ୍ୟ ଛାଡିବା ବା ସୀମିତ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତରରେ ସୁଧାର ଆସିଥାଏ । ଏହାଦ୍ୱାରା ହୃଦରୋଗର ଆଶଙ୍କା ବି କମିଥାଏ ।
ଭରପୁର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ:
ଉଦ୍ଭିଦ ଜାତ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୁର ରହିଥାଏ । ଏହି ଆଣ୍ଟିଅକ୍ସିଡାଣ୍ଟ ମାନସିକ ଚାପ ଓ କୋଷିକା କ୍ଷୟକୁ ରୋକିଥାଏ । ଫଳରେ ମୋଟାମୋଟି ଭାବରେ ସ୍ୱାସ୍ଥ୍ୟ ଭଲ ରହିବା ସହ କ୍ରନିକ ଡିଜିଜ୍ ର ଆଶଙ୍କା ହ୍ରାସ ପାଇଥାଏ ।
ଶକ୍ତି ମିଳିଥାଏ:
ଉଦ୍ଭିଦ ଜାତ ଖାଦ୍ୟରୁ ଭିଟାମିନ, ମିନେରାଲ୍ ଓ କମ୍ପେ୍ଲକ୍ସ କାର୍ବୋହାଇଡ୍ରେଟ ମିଳିଥାଏ ଯାହା ସାରା ଦିନ ଆପଣଙ୍କୁ ଫୁର୍ତ୍ତି ରଖିଥାଏ ।

 

Get real time updates directly on you device, subscribe now.