fbpx

Carbon Border Tax କ’ଣ: ଭାରତ ସମେତ ଅନ୍ୟ ଦେଶମାନେ କାହିଁକି ଏହାକୁ ବିରୋଧ କରୁଛନ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ କାର୍ବନ ବର୍ଡର ଟ୍ୟାକ୍ସକୁ ନେଇ ଚର୍ଚ୍ଚା ଜାରି ରହିଛି । ନିକଟରେ ଇଜିପ୍ଟରେ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀ (କପ-୨୭) ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ଭାରତ, ଚୀନ ସହିତ ଅନେକ ଦେଶ କାର୍ବନ ବର୍ଡର ଟ୍ୟାକ୍ସକୁ ନେଇ ଆପତ୍ତି ଜାହିର କରିଥିଲେ । ତେବେ ଏହି କାର୍ବନ ବର୍ଡର ଟ୍ୟାକ୍ସ କ’ଣ ଓ ଏହା ଦ୍ୱାରା ସାରା ଦୁନିଆ ଉପରେ କି ପ୍ରକାର ପ୍ରଭାବ ପଡ଼ିବ ତାହା ଜାଣିବା ଆମ ସମସ୍ତଙ୍କ ପାଇଁ ନିହାତି ଜରୁରୀ ।

ବିଭିନ୍ନ ଦେଶ ମୁତାବକ, କାର୍ବନ ବର୍ଡର ଟ୍ୟାକ୍ସର ପ୍ରଭାବ ଅନ୍ତର୍ଜାତୀୟ ସ୍ତରର ବାଣିଜ୍ୟ ଉପରେ ପଡ଼ିବ । ତେଣୁ ଏହାକୁ ହେୟ ଜ୍ଞାନ କରିଯିବା ଅନୁଚିତ । ଭାରତ, ବ୍ରାଜିଲ, ସାଉଥ ଆଫ୍ରିକା ଓ ଚୀନକୁ ନେଇ ୨୦୦୯ରେ ଗଠନ କରାଯାଇଥିବା ବେସିକ୍ସ ସଂଗଠନ ଏହାକୁ ବିରୋଧ କରିଥିଲେ । ଯେଉଁ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ନିୟମକୁ କାର୍ଯ୍ୟକାରୀ କରିବା ନେଇ କଠୋର ନିୟମ ଲାଗୁ କରିନାହାନ୍ତି, ସେହି ଦେଶଗୁଡ଼ିକ ଉପରେ ଆମଦାନୀ ଶୁଳ୍କ ଲାଗୁ କରିବା ନେଇ ଆଲୋଚନା ହେଉଛି । ଏହାକୁ କାର୍ବନ ବର୍ଡର ଟ୍ୟାକ୍ସ କୁହାଯାଉଛି ।

ଏପରି ଦେଶଗୁଡ଼ିକ ଉପରେ ଆମଦାନୀ ଶୁଳ୍କ ଲାଗୁ କରିବା ଦ୍ୱାରା ସେମାନଙ୍କର ଅର୍ଥବ୍ୟବସ୍ଥା ନିମ୍ନଗାମୀ ହୋଇଯିବ । ନୂଆ ଦ୍ରବ୍ୟ ଉପରେ ଏହି ଟ୍ୟାକ୍ସ ଲାଗୁ କରିବା ନେଇ ୟୁରୋପୀୟ ସଂଘ ଯୋଜନା ପ୍ରସ୍ତୁତ କରିଛି । ଷ୍ଟିଲ, ସିମେଣ୍ଟ, ଫର୍ଟିଲାଇଜର, ଆଲୁମିନିୟମ ଓ ବିଜୁଳି ପରି କାର୍ବନ ନିଗର୍ମନ କରୁଥିବା ସାମଗ୍ରୀ ଉପରେ ଏହି ଟ୍ୟାକ୍ସ ଲାଗୁ କରିବାକୁ ଯୋଜନା କରାଯାଇଛି ।

ୟୁରୋପୀୟ ସଂଘ ବିଶ୍ୱର ତୃତୀୟ ବୃହତ ଟ୍ରେଡିଂ ପାର୍ଟନର ହୋଇଥିବା ବେଳେ ଏହି ଟ୍ୟାକ୍ସ ଲାଗୁ ହେଲେ ଭାରତୀୟ ଦ୍ରବ୍ୟର ମୂଲ୍ୟରେ ବୃଦ୍ଧି ଘଟିବ । ବିଶ୍ୱରେ ଭାରତୀୟ ସାମଗ୍ରୀର ଦର ବଢ଼ିବା ଫଳରେ ତା’ର ଚାହିଦା ହ୍ରାସ ପାଇବ । ଏହି ଟ୍ୟାକ୍ସ ଭାରତୀୟ ସାମଗ୍ରୀ ଉପରେ ଏକପ୍ରକାରର ଚ୍ୟାଲେଞ୍ଜ ସୃଷ୍ଟି କରିବ । କାର୍ବନ ନିର୍ଗମନ କରୁଥିବା ରାଷ୍ଟ୍ରଙ୍କ ଉପରେ ରୋକ ଲଗାଇବା ଲକ୍ଷ୍ୟରେ ଏହି ଟ୍ୟାକ୍ସ ଯୋଜନା ପ୍ରଣୟନ କରାଯାଇଛି । ତେବେ ଏହି ଟ୍ୟାକ୍ସ ଲାଗୁ ହେବା ଦ୍ୱାରା ଜଳବାୟୁ ଉପରେ ଏହାର ସୁପ୍ରଭାବ ପଡ଼ିବ । ତେଣୁ ଏହାକୁ ବିରୋଧ କରାଯିବା ଅନୁଚିତ ବୋଲି ସଂଘ କହିଛି ।

ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ବିକଶିତ ଦେଶଗୁଡ଼ିକ ଉପରେ କୌଣସି ପ୍ରକାରର ଚାପ ପ୍ରୟୋଗ କରାଯିବା ଅନୁଚିତ । କେବଳ କୋଇଲା ନୁହେଁ, ଅନ୍ୟ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ଧୀରେଧୀରେ ହ୍ରାସ କରାଯିବା ଆବଶ୍ୟକ ବୋଲି ଭାରତ ପକ୍ଷରୁ କୁହାଯାଇଛି । ପ୍ୟାରିସ ଚୁକ୍ତି ମୁତାବକ, ନିଜର ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ଦେଶ କିଛି ପଦକ୍ଷେପ ନେବା ଆବଶ୍ୟକ । ଏହି ନିର୍ଗମନକୁ ହ୍ରାସ କରିବାକୁ ହେଲେ ଏକ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବା ଜରୁରୀ ବୋଲି ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ।

Get real time updates directly on you device, subscribe now.