fbpx

ୱାଗନର ମୁଖ୍ୟ ପ୍ରିଗୋଝିନ ନୁହଁନ୍ତି ଜେଲ୍ କୋଠରୀରେ ବନ୍ଦୀ ଏହି ବ୍ୟକ୍ତି ହେଉଛନ୍ତି ପୁଟିନଙ୍କ ବଡ ଶତ୍ରୁ

ମସ୍କୋ:ରୁଷରେ ଗୃହଯୁଦ୍ଧର ସଂକଟକୁ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ୨୪ ଘଣ୍ଟା ମଧ୍ୟରେ ଟାଳି ଦେଇଛନ୍ତି । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଏହି ସଙ୍କଟକୁ ଟାଳିବାରେ ପୁଟିନ୍ ନିଜର ମିତ୍ର ତଥା ବେଲାରୁଷ ରାଷ୍ଟ୍ରପତିଙ୍କ ସହାୟତା ନେଇଥିଲେ । ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କୋଙ୍କ ମଧ୍ୟସ୍ଥତା ପରେ ୱାଗନର ସେନା ମୁଖ୍ୟ ୟେବଗେନି ପ୍ରିଗୋଝିନ୍ ଯୁଦ୍ଧ ଟ୍ୟାଙ୍କକୁ ପଛକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ।
ଏକଦା ଏହି ପ୍ରିଗୋଝିନ ପୁଟିନଙ୍କର ସବୁଠାରୁ ବିଶ୍ୱସ୍ତ ଥିଲେ । କିନ୍ତୁ ୟୁକ୍ରେନ୍ ଯୁଦ୍ଧ ସମୟରେ ସେ ତାଙ୍କର ସବୁଠାରୁ ବଡ ଶତ୍ରୁ ପାଲଟିଗଲେ । ତେବେ ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପରେ ପ୍ରିଗୋଝିନ ଏବେ ବେଲାରୁଷରେ ରହିବେ ।

ତେବେ ରୁଷରେ ପୁଟିନଙ୍କର ସବୁଠାରୁ ବଡ ଶତ୍ରୁ ପ୍ରିଗୋଝିନ ନୁହଁନ୍ତି ବରଂ ଆଲେକ୍ସି ନାଭାଲନୀ ବୋଲି କୁହାଯାଉଛି । ପୁଟିନ ତାଙ୍କର ଏହି ଶତ୍ରୁକୁ ବିନାଶ କରିବା ଲାଗି ଫ୍ଲାଇଟ୍ ରେ ତାଙ୍କୁ ଜହର ଦେଇଥିବା କଥା ବି ଶୁଣାଯାଏ । ଆଲେକ୍ସି ନାଭାଲନୀ ରୁଷର ବଡ ବିରୋଧୀ ନେତା ଓ ଜଣେ ଓକିଲ ମଧ୍ୟ । ରୁଷରେ ଭ୍ରଷ୍ଟ୍ରାଚାର ବିରୁଦ୍ଧରେ ସେ ବଡ କ୍ୟାମ୍ପେନ ଚଳାଇଛନ୍ତି । ୨୦୧୧ରେ ସେ ପ୍ରଥମେ ପୁଟିନ୍ ପାର୍ଟି ବିରୁଦ୍ଧରେ ଭ୍ରଷ୍ଟାଚାର ଅଭିଯୋଗ ଉଠାଇଥିଲେ । ଏହି ଅଭିଯୋଗ କରିବା ପରେ ତାଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଗିରଫ କରି ଜେଲ୍ରେ ରଖି ଦିଆଯାଇଥିଲା । ଏହାପରେ ସେ ବହୁବାର ଜେଲ୍ ଯାଇଛନ୍ତି । ତାଙ୍କ ଉପରେ ପୁଟିନ୍ ଭ୍ରଷ୍ଟାଚାର ଅଭିଯୋଗ ଲଗାଇ ତାଙ୍କୁ ଗିରଫ କରାଇଥିଲେ । ଜାନୁୟାରୀ ୨୦୨୧ରେ ସେ ଭ୍ରଷ୍ଟାଚାର ପ୍ରସଙ୍ଗରେ ପୁଟିନଙ୍କ ବିରୋଧରେ ପ୍ରଦର୍ଶନ କରି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲେ । ଏହି ବିରୋଧ ପ୍ରଦର୍ଶନରେ ଲକ୍ଷ ଲକ୍ଷ ଲୋକ ଭାଗ ନେଇଥିଲେ । ଏହି ସମୟରେ ରୁଷ ପୋଲିସ ୩୦୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରିଥିଲା । ଆଲେକ୍ସି ନାଭାଲନୀଙ୍କୁ ତାଙ୍କ ପତ୍ନୀ ୟୁଲିଆଙ୍କ ସହ ଗିରଫ କରାଯାଇଥିଲା ।

ଏହା ପୂର୍ବରୁ ୨୦୨୦ରେ ତାଙ୍କୁ ବେହୋସ୍ ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଯାତ୍ରା ସମୟରେ ସେ ଫ୍ଲାଇଟ୍ରେ ଅଚାନକ ବେହୋସ୍ ହୋଇ ଯାଇଥିଲେ । ଏହାପରେ ଆଲେକ୍ସି ନାଭାଲନୀ ଜର୍ମାନୀ ଚାଲି ଯାଇଥିଲେ । କିନ୍ତୁ ବର୍ଲିନରୁ ପୁଣି ମସ୍କୋ ଫେରୁଥିବା ବେଳେ ତାଙ୍କୁ ଗିରଫ କରି ନିଆଯାଇଥିଲା ।ଏହା ପୂର୍ବରୁ ମଧ୍ୟ ଆଲେକ୍ସି ନାଭାଲନୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ତାଙ୍କ ଆଖିରେ ଗମ୍ଭୀର ଆଘାତ ଲାଗିଥିଲା । ୨୦୧୮ରେ ସେ ରାଷ୍ଟ୍ରପତି ନିର୍ବାଚନରେ ଲଢିବା ଲାଗି ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କ ଉପରେ ପୁଟିନ ଦଳ ପକ୍ଷରୁ ଧୋକାଦାରୀ ଅଭିଯୋଗ ଲଗାଇ ଦିଆଯାଇଥିଲା । ୨୦୧୯ରେ ତାଙ୍କୁ ୩୦ ଦିନ ଜେଲ୍ ରେ ବନ୍ଦ କରି ରଖି ଦିଆଗଲା । ଏହି ସମୟରେ ପୁଟିନ ତାଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରିଥିଲେ ।

ୟୁକ୍ରେନ ବିରୁଦ୍ଧରେ ରୁଷର ଯୁଦ୍ଧକୁ ଆଲେକ୍ସି ନାଭାଲନୀ ବିରୋଧ କରିଥିଲେ । ଏହା ବିରୁଦ୍ଧରେ ସେ ଓ ତାଙ୍କର ସମର୍ଥକ ରାଜରାସ୍ତାକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ । ଫେବୃୟାରୀ ୨୦୨୧ରେ ତାଙ୍କ ଜେଲ୍ ଦଣ୍ଡ ଅବଧିକୁ ଅଢେଇ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବଢାଇ ଦିଆଗଲା । ଏହାପରେ ତାଙ୍କ ସଂଗଠନକୁ ବି ବ୍ୟାନ୍ ଘୋଷଣା କରାଗଲା । ପୁନର୍ବାର ମାର୍ଚ୍ଚ ୨୦୨୨ରେ ଅଦାଲତ ଅବମାନନା ଅଭିଯୋଗରେ ତାଙ୍କୁ ୯ ବର୍ଷ ଜେଲଦଣ୍ଡ ଶୁଣାଇ ଦିଆଗଲା । ଏହା ପର ଠାରୁ ସେ ଜେଲ୍ରେ ହିଁ ବନ୍ଦ ହୋଇ ରହିଛନ୍ତି ।

Get real time updates directly on you device, subscribe now.