fbpx

ସାହାରା ନିବେଶକଙ୍କୁ ମିଳିବ ଦ୍ୱିତୀୟ କିସ୍ତି: କେଉଁ ତାରିଖରେ ଆକାଉଣ୍ଟକୁ ଆସିବ ଅର୍ଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାହାରା ଇଣ୍ଡିଆର ସମସ୍ତ ଜମାକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନିବେଶକଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ ନେଇ ଗତମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିବା ସହିତ ଏନେଇ ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଥିଲେ । ଏହାପରେ ଗତ ୪ ତାରିଖରେ ଜମାକାରୀଙ୍କ ଖାତାକୁ କ୍ଲେମ ଅର୍ଥ ଟ୍ରାନ୍ସଫର କରାଯାଇଥିଲା । ମୋଟ ୧୧୨ ଜଣ ଜମାକାରୀଙ୍କୁ ପ୍ରଥମ କିସ୍ତିରେ ୧୧ ଲକ୍ଷ ୨୦ ହଜାର ଟଙ୍କା ଫେରସ୍ତ କରାଯାଇଥିଲା ।

ନିବେଶ ଅର୍ଥ ପାଇବାକୁ ହେଲେ ଜମାକାରୀଙ୍କୁ ପ୍ରଥମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିଥାଏ । ପୋର୍ଟାଲରେ ଆବେଦନ କରିବାର ୪୫ ଦିନ ମଧ୍ୟରେ ଜମାକାରୀଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରାଯାଇଥାଏ । ପ୍ରଥମ କିସ୍ତିରେ ୧୧୨ ଜଣ ନିବେଶକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଫେରସ୍ତ କରାଯାଇଛି । ତେବେ ଖୁବଶୀଘ୍ର ନିବେଶକଙ୍କୁ ସେମାନଙ୍କର ଦ୍ୱିତୀୟ କିସ୍ତି ପଠାଯିବ ବୋଲି କୁହାଯାଉଛି ।

ବର୍ତ୍ତମାନ ଜମାକାରୀଙ୍କୁ କ୍ରମାନ୍ୱୟରେ ପ୍ରଥମ କିସ୍ତି ପଠାଯାଉଛି । ତେବେ ଚଳିତ ମାସରେ କିମ୍ବା ଆସନ୍ତା ମାସରେ ନିବେଶକଙ୍କୁ ଦ୍ୱିତୀୟ କିସ୍ତି ଅର୍ଥ ଫେରସ୍ତ କରାଯିବା ନେଇ ଯୋଜନା କରାଯାଇଛି । ତେଣୁ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଆବେଦନ କରିନାହାନ୍ତି ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ । ରିଫଣ୍ଡ ପୋର୍ଟାଲରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ ଲକ୍ଷ ଲୋକ ଆବେଦନ କରିସାରିଛନ୍ତି । ଏହି ପୋର୍ଟାଲ ମାଧ୍ୟମରେ ୧.୭ କୋଟି ନିବେଶକଙ୍କୁ ୧୦ ହଜାର ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରାଯିବ । ଏଥପାଇଁ ୫ ହଜାର କୋଟିର ପାଣ୍ଠି ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.