fbpx

କେବେ ମିଳିବ ପରିଚୟ? ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଅପେକ୍ଷାରେ ମା ବିଲେଇଶୁଣି ଶକ୍ତି ପୀଠ ଓ ସିଦ୍ଧି ଗୁମ୍ଫା

ଢେଙ୍କାନାଳ: ପାହାଡ ପର୍ବତ ଘେରା ସବୁଜ ବନାନୀ ଭିତରେ ରହିଛି ମା ବିଲେଇଶୁଣୀ ଶକ୍ତି ପୀଠ । ଏହା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କୁଟୁରିଆ ଗାଁରେ ଅବସ୍ଥିତ । କେଉଁ ଆଦିମ କାଳରୁ ଏଠାରେ ପୂଜା ପାଇ ଆସୁଛନ୍ତି ମା ବିଲେଇଶୁଣୀ । ଏଠାରେ ଯିଏ ଯାହା ମାନସିକ କରି ଦେବୀ ମାଙ୍କୁ ଡାକେ, ତାର ମାନସିକ ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଏଠାରେ ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ । ଅନେକ ଜିଲ୍ଲାରୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିବା ସହ ବଣଭୋଜି ପାଇଁ ମଧ୍ୟ ଜାଗାଟି ବେଶ୍ ଅନୁକୂଳ ରହିଛି । ଏହି ପୀଠର ଏକ ବିଶେଷତ୍ୱ ହେଉଛି ମାଙ୍କ ନିକଟରେ ପୂଜା ହୋଇଥିବା ଭୋଗକୁ ବାହାରୁ ନେବାକୁ ଦିଆଯାଏ ନାହିଁ ।

ଏହି ପୀଠ ନିକଟରେ ରହିଛି ଏକ ସୁନ୍ଦର ବୌଦ୍ଧ ଗୁମ୍ଫା । ପର୍ଯ୍ୟଟକମାନେ ଦେବୀଙ୍କ ଦର୍ଶନ ସାରି ଏହି ଗୁମ୍ଫାକୁ ମଧ୍ୟ ବୁଲି ଯାଇଥାନ୍ତି । ହେଲେ ଏଭଳି ଏକ ସ୍ଥାନକୁ ଏପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇ ନାହିଁ କି ଏଠାରେ କୌଣସି ଉନ୍ନତିମୂଳକ କାମ ମଧ୍ୟ ହୋଇନାହିଁ । ଏହି ସ୍ଥାନକୁ ଆସିବା ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ତେଣୁ ପାହାଡ ଘେରା ମଧ୍ୟରେ ଲୁଚି ରହିଛି ଏହି ବିଶିଷ୍ଟ ଶକ୍ତି ପୀଠ । ମାଙ୍କ ଏହି ସ୍ଥାନକୁ ସରକାରୀ ସ୍ତରରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ସହ ପର୍ଯ୍ୟଟକଙ୍କ ପାଇଁ ପାନୀୟଜଳର ସୁବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତି ଏଠାକାର ମନ୍ଦିର କମିଟି ଓ ସ୍ଥାନୀୟ ସରପଞ୍ଚ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ସରକାର ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ବଣମଲ୍ଲୀ ପରି ଏହି ବିଲେଇଶୁଣୀ ଶକ୍ତିପୀଠ ଅଣଦେଖା ହୋଇ ପଡି ରହିଛି । ଏଠଶରେ ଗମନାଗମନର ବିଶେଷ ସୁବିଧା ଏବଂ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.