fbpx
BSKY
BJD SHG SKY
BJD MC SKY

ବିଜେଡି-ବିଜେପି ମେଣ୍ଟ କେଉଁଠି ଅଟକିଛି: ୧୫ ବର୍ଷ ପରେ ପୁଣି ଥରେ କାହିଁକି ଗଠବନ୍ଧନର ଆବଶ୍ୟକତା ପଡ଼ିଲା?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାର ଚାଲିଥିଲା । ଏହା ମଧ୍ୟରେ ୧୫ ବର୍ଷ ଅତିକ୍ରାନ୍ତ ହୋଇଯାଇଛି । ନିକଟରେ ପୁଣି ଥରେ ରାଜ୍ୟରେ ପଦ୍ମ-ଶଙ୍ଖ ମଧ୍ୟରେ ବୁଝାମଣା ହୋଇପାରେ ବୋଲି ବଡ଼ ଚର୍ଚ୍ଚା ହେଉଛି । ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଖୋଲ ଗସ୍ତରେ ଆସିଥିବା ବେଳେ ସେହି ସମୟରେ ମେଣ୍ଟକୁ ନେଇ ବଡ଼ ଘୋଷଣା କରାଯାଇପାରେ ବୋଲି ମଧ୍ୟ କୁହାଯାଉଥିଲା ।

ଏହା ମଧ୍ୟରେ ଗତକାଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଗସ୍ତ କରିଥିବା ବେଳେ ଆଜି ଏହି ଦୁଇ ଟପ୍ ନେତା ଶଙ୍ଖ ଭବନରେ କିଛି ଆଲୋଚନା କରିଥିବା କୁହାଯାଉଛି । ଅନ୍ୟପକ୍ଷରେ ମେଣ୍ଟକୁ ନେଇ କିଛି ନିଷ୍ପତ୍ତି ହୋଇ ନାହିଁ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଥିବା ବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଯାହା ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ମାନିବେ ବୋଲି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ମେଣ୍ଟକୁ ନେଇ ଏକପ୍ରକାର ସଂଶୟ ସୃଷ୍ଟି ହୋଇଛି । ଆସନ ବୁଝାମଣାକୁ ନେଇ ଦୁଇ ଦଳର ଗଣିତ ମେଳ ଖାଉନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏପରିକି ଆଗକୁ ଏହି ପ୍ରସଙ୍ଗରେ ବିଜେପିରେ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଗସ୍ତ କରିବେ ମଧ୍ୟ କୁହାଯାଉଛି । ଏଥିସହିତ ଯେ କୌଣସି ସମୟରେ ମେଣ୍ଟକୁ ନେଇ ବୁଝାମଣା ହୋଇପାରେ ବୋଲି ଆଉ କେତେକ ମତ ଦେଉଛନ୍ତି ।

ତେବେ ଦୁଇ ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିବା ନେଇ ସହମତି ପ୍ରକାଶ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଆଗାମୀ ୨-୩ ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ । ତଥାପି ମେଣ୍ଟକୁ ନେଇ କିଛି କୁହାଯାଇ ପାରିବ ନାହିଁ । କାରଣ ରାଜନୀତିର ପାଣି କ୍ଷଣିକେ କୁଆଡ଼େ ବୋହିବ ତାହା ଆକଳନ କରିବା କଷ୍ଟକର । ବିଜେଡି ଗତ ନିର୍ବାଚନରେ ୧୨ ଲୋକସଭା ଓ ୧୧୩ ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ବିଜେଡି ଏହି ସବୁ ଆସନ ନିଶ୍ଚିତ ଭାବେ ନିଜ ପାଖରେ ରଖିବାକୁ ଚାହିଁବ । ଅନ୍ୟପକ୍ଷରେ ୨୦୧୯ରେ ବିଜେପି ୮ ଲୋକସଭା ଓ ୨୩ ବିଧାନସଭା ଆସନରେ ଜିତିଥିବା ବେଳେ ସେ ଅଧିକ ଆସନରେ ଲଢ଼ିବାକୁ ଆଗ୍ରହୀ ଥିବାରୁ ମେଣ୍ଟ ଘୋଷଣା ନେଇ ବିଳମ୍ବିତ ହେଉଥିବା କୁହାଯାଉଛି । ଆସନକୁ ନେଇ ଦୁଇ ଦଳ ମଧ୍ୟରେ କିଛି ବୁଝାମଣା ହୋଇନଥିବା କୁହାଯାଉଛି ।

ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ମିତ୍ର ବୋଲି ସମ୍ବୋଧନ କରିଥିଲେ । ତେଣୁ ନୀତିଶ କୁମାରଙ୍କ ଜେଡିୟୁ, ଜୟନ୍ତ ଚୌଧରୀଙ୍କ ଆରଏଲଡି ପରେ ଏବେ ବିଜେଡି ମଧ୍ୟ ଏନଡିଏରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏଥିସହିତ ନିକଟରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ କରିଥିଲା । ଏପରି କିଛି ସଙ୍କେତ ବିଜେଡି-ବିଜେପି ମେଣ୍ଟର ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଥିଲା ।

୨୦୦୯ ମସିହା ବେଳକୁ ରାଜ୍ୟ ବିଜେପିରେ ନେତୃତ୍ୱ ସଙ୍କଟ ରହିଥିଲା । ମାତ୍ର ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅପରାଜିତା ଷଡ଼ଙ୍ଗୀ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡାଙ୍କ ପରି ବଡ଼ ବଡ଼ ନେତାମାନେ ବିଜେପିର ସ୍ଥିତିକୁ ଅଧିକ ମଜବୁତ କରି ପାରିଛନ୍ତି । ୨୦୦୯ରେ ବିଜେପିର ଭୋଟ ହାର ୧୫.୧ ପ୍ରତିଶତ ରହିଥିବା ବେଳେ ଦଳ ୬ଟି ଆସନ ଜିତିଥିଲେ । ୨୦୦୪ ଓ ୨୦୧୯ରେ ବିଜେଡି ସରକାର ଗଠନ କରିଥିଲେ ଏବେ ବିଜେପି ଏବେ ନବୀନଙ୍କର ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଛି । ଅନେକ ସମୟରେ ସଂସଦରେ ବିଜେପି ସରକାରକୁ ବିଜେଡି ସମର୍ଥନ ଦେଇ ଆସିଛି । ଗତ କିଛିବର୍ଷ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟର ଅନେକ ଦଳ ବିଜେପି ମେଣ୍ଟରୁ ଦୂରେଇ ଯାଇଥିବା ବେଳେ ବିଜେପି ଏବେ ତା’ର ପୁରୁଣା ସାଥୀମାନଙ୍କୁ ପୁଣି ଥରେ ମେଣ୍ଟର ସାଥୀ କରିବାରେ ଲାଗି ପଡ଼ିଛି ।

Get real time updates directly on you device, subscribe now.