fbpx

ଫୋର୍ବସ୍‍ ତାଲିକାରେ କେଉଁ ସ୍ଥାନରେ ଅଛି ଓଡ଼ିଶା ? ଜାଣନ୍ତୁ ଭାରତର କେଉଁ ରାଜ୍ୟ ସବୁଠୁ ଅଧିକ ଧନୀ

ନୂଆଦିଲ୍ଲୀ : ଜାତୀୟ ବିକାଶରେ ଓଡ଼ିଶାର ସ୍ଥାନ କେଉଁଠି? ଦିଲ୍ଲୀରେ ବିଭିନ୍ନ ଦେଶ ତଥା ଦେଶ ଭିତରର ନିବେଶକଙ୍କୁ ଆକୃଷ୍ଟି କରିବାକୁ ଓଡ଼ିଶା ରୋଡଶୋ’ ଆୟୋଜନ କରୁଥିବା ବେଳେ ଏ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ପୁଣି ଆସନ୍ତା ଦିନମାନଙ୍କରେ ଦେଶର ବିକାଶରେ ଓଡ଼ିଶାର ଅବଦାନ କେତେ ରହିବ? କାରଣ ଭାରତକୁ ବିଶ୍ୱର ତୃତୀୟ ଆର୍ଥିକ ମହାଶକ୍ତି ତିଆରି କରିବାରେ ରାଜ୍ୟମାନଙ୍କର ଭୂମିକା ବେଶ୍‍ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହିକ୍ରମରେ ରାଜ୍ୟଗୁଡ଼ିକର ଏକ ପାହ୍ୟା ତାଲିକା ‘ଫୋର୍ବସ୍‍’ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ତାଲିକାରେ ଜିଡିପି ଏବଂ ମୁଣ୍ଡପିଛା ଜିଡିପିକୁ ଆଧାର କରି ରାଜ୍ୟମାନଙ୍କ ଭୂମିକାକୁ ନିର୍ଦ୍ଧାରଣ କରାଯାଇଛି।

ଭାରତର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ତାଲିକାରେ ସାମିଲ୍‍ କରାଯାଇଛି। ଜିଡିପି ହେଉଛି ସମ୍ପୃକ୍ତ ଅଞ୍ଚଳରେ ମିଳୁଥିବା ଉତ୍ପାଦ ଓ ସେବାର ମୂଲ୍ୟ ନିର୍ଦ୍ଧାରଣ କରିଥାଏ। ସେହିପରି ମୁଣ୍ଡପିଛା ଜିଡିପିର ଅର୍ଥ ହେଉଛି ଜଣେ ସାଧାରଣ ନାଗରିକ ରାଜ୍ୟର ବିକାଶରେ କେତେ ଅବଦାନ କରୁଛି। ରାଜ୍ୟର ସମୁଦାୟ ଜିଡିପିକୁ ସମୁଦାୟ ଲୋକସଂଖ୍ୟାରେ ଭାଗ କରିଲେ ତାହା ସ୍ପଷ୍ଟ ହୁଏ। ଏଣୁ ଏହି ଜିଡିପି ଅନୁସାରେ ରାଜ୍ୟଗୁଡ଼ିକର ତାଲିକା ପ୍ରସ୍ତୁତ କରିଛି ଫୋର୍ବସ୍‍।

ଏହି ତାଲିକାର ଟପ୍‍ ୧୦ ରାଜ୍ୟ ମାନଙ୍କ ଭିତରେ ଓଡ଼ିଶାର ନାଁ ନାହିଁ। ତାଲିକାରର ଶୀର୍ଷରେ ରହିଛି ମହାରାଷ୍ଟ୍ର। ଦେଶ ଅର୍ଥନୀତିକ ରାଜଧାନୀ ଭାବେ ମୁମ୍ବାଇ ପରିଚିତ। ଏହାସହ ସିନେମା ଶିଳ୍ପ ଏହିଠାରୁ ନିୟନ୍ତ୍ରଣ ହୋଇଥାଏ। ମହାରାଷ୍ଟ୍ର ତଳକୁ ରହିଛି ତାମିଲନାଡ଼ୁ। ୨୦୨୪-୨୪ ଆର୍ଥିକ ବର୍ଷରେ ଏହି ଦୁଇ ରାଜ୍ୟର ପରିକଳ୍ପିତ ଜିଡିପି ଯଥାକ୍ରମେ ୪୨.୬୭ ଏବଂ ୩୧.୫୫ ରହିବ ବୋଲି ଆକଳନ କରାଯାଇଛି। ହେଲେ ମୁଣ୍ଡପିଛା ଜିଡିପି ଦେଖିଲେ ତାମିଲନାଡ଼ୁର ୩.୫୦ ଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ମହାରାଷ୍ଟ୍ରର ୨.୮୯ ରହିଛି।

ଚଳିତ ଆର୍ଥିକ ବର୍ଷରେ ୨୮.୦୯ ଜିଏସ୍‍ଡିପି ଲକ୍ଷ୍ୟ ରଖିଥିବା କର୍ଣ୍ଣାଟକ ହେଉଛି ଦେଶର ତୃତୀୟ ବୃହତ୍‍ ଧନୀ ରାଜ୍ୟ। ସେହିପରି ଗୁଜରାଟର ସ୍ଥାନ ଚତୁର୍ଥରେ ରହିଛି। ଏହା ତଳକୁ ରହିଛି ଉତ୍ତର ପ୍ରଦେଶ। ଏଠାରେ ସମୁଦାୟ ଜିଡିପି ୨୪.୯୯ ରହିବ ବୋଲି ଆଶା କରାଯାଇଛି। କିନ୍ତୁ ମୁଣ୍ଡପିଛା ଜିଡିପି ମାତ୍ର ୦.୯୬ ପ୍ରତିଶତ। ଜନ ବହୁଳ ହୋଇଥିବାରୁ ଏହି ସଂଖ୍ୟା ମିଳିଛି।

ଷଷ୍ଠ ଧନୀ ରାଜ୍ୟ ହେଉଛି ପଶ୍ଚିମବଙ୍ଗ। ଏହାର ଜିଏସ୍‍ଡିପି ୧୮.୮ ଥିବା ବେଳେ ମୁଣ୍ଡପିଛା ଜିଡିପି ହେଉଛି ୧.୫୭। ସପ୍ତମ ଧନୀ ରାଜ୍ୟ ଭାବେ ରାଜସ୍ଥାନ ଥିବା ବେଳେ ତେଲେଙ୍ଗାନା ଅଷ୍ଟମ, ଆନ୍ଧ୍ରପ୍ରଦେଶ ନବମ ଏବଂ ମଧ୍ୟପ୍ରଦେଶ ୧୦ମ ଧନୀ ରାଜ୍ୟ ଭାବେ ସୂଚୀତ ହୋଇଛି।

ଓଡ଼ିଶାର ସ୍ଥାନ ରହିଛି ୧୫। ଅର୍ଥାତ୍‍ ଏହା ହେଉଛି ଭାରତର ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭିତରେ ୧୫ତମ ଧନୀ ରାଜ୍ୟ। ଯଦିଓ ଏହି ପାହ୍ୟା ପଶ୍ଚିମବଙ୍ଗଠାରୁ କମ୍‍ କିନ୍ତୁ ଏହାର ମୁଣ୍ଡପିଛା ଜିଡିପି ଅବଦାନ ପଶ୍ଚିମବଙ୍ଗ ସହ ପ୍ରାୟ ସମାନ। ଉତ୍ତରପ୍ରଦେଶ, ବିହାରଠାରୁ ଅଧିକ ରହିଛି। ଓଡ଼ିଶାର ମୁଣ୍ଡପିଛା ଅବଦାନ ୧.୫ ରହିଥିବା ବେଳେ ବିହାରର ମୁଣ୍ଡପିଛା ଅବଦାନ ରହିଛି ୦.୫୯। କିନ୍ତୁ ଏହି ରାଜ୍ୟର ସମୁଦାୟ ଉତ୍ପାଦ ବା ଜିଏସ୍‍ଡିପି ୯.୭୬ ରହିଛି। ଓଡ଼ିଶାର ଜିଏସ୍‍ଡିପି ହେଉଛି ୯.୨୮। ଏଣୁ ଯଦି ଦ୍ରୁତ ନିବେଶ ରାଜ୍ୟକୁ ଆସେ ଏବଂ ଏହା ଶାନ୍ତିପୂର୍ଣ୍ଣ ଭାବେ ଶିଳ୍ପ ଓ ଅର୍ଥନୀତିକ ଉତ୍ପାଦରେ ପ୍ରିଣତ ହୁଏ ତେବେ ଭାରତର ତୃତୀୟ ସର୍ବ ବୃହତ ଅର୍ଥନୀତିରେ ପହଞ୍ଚିବା ବେଳକୁ ରାଜ୍ୟର ସ୍ଥାନ ଅନ୍ୟ କିଛି ରାଜ୍ୟକୁ ଟପିବା କିଛି ଅସମ୍ଭବ ବ୍ୟାପର ହୋଇ ରହିବ ନାହିଁ।

ଏହି ତାଲିକାରେ ଏକାଦଶ ସ୍ଥାନରେ ରହିଛି କେରଳ, ଦ୍ୱାଦଶରେ ହରିୟାଣା, ୧୩ତମ ସ୍ଥାନ ଦିଲ୍ଲୀ ହାସଲ କରିଥିବା ବେଳେ ୧୪ତମ ସ୍ଥାନରେ ବିହାର, ୧୫ତମ ସ୍ଥାନରେ ଓଡ଼ିଶା, ୧୬ତମ ସ୍ଥାନରେ ପଞ୍ଜାବ, ୧୭ତମ ସ୍ଥାନରେ ଆସାମ, ଏହାତଳକୁ ୧୮ରେ ଛତିଶଗଡ଼, ୧୯ରେ ଝାଡ଼ଖଣ୍ଡ, ୨୦ରେ ଉତ୍ତରାଖଣ୍ଡ, ୨୧ ତମ ସ୍ଥାନରେ ଜମ୍ମୁ ଓ କଶ୍ମୀର , ୨୨ତମ ସ୍ଥାନରେ ହିମାଚଳ, ୨୩ରେ ଗୋଆ, ୨୪ରେ ଆଣ୍ଡାମାନ ନିକୋବର, ୨୫ଣେ ମେଘାଳୟା, ୨୬ରେ ମଣିପୁର, ୨୭ରେ ସିକ୍କିମ, ୨୮ରେ ଚଣ୍ଡିଗଡ଼, ୨୯ରେ ନାଗାଲାଣ୍ତ, ୩୦ତମ ସ୍ଥାନରେ ମିଜୋରାମ, ୩୧ରେ ତ୍ରିପୁରା, ୩୨ରେ ପଣ୍ଡିଚେରୀ ଏବଂ ୩୪ରେ ଅରୁଣାଚଳ ପ୍ରଦେଶ ରହିଛି।

Get real time updates directly on you device, subscribe now.