fbpx

କୋହଲି ଦିନିକିଆ ଦଳର ଅଧିନାୟକ ରହିବେ କି ନାହିଁ, ଆଉ କିଛି ଦିନରେ ହେବ ନିଷ୍ପତ୍ତି

ମୁମ୍ବାଇ : ବିରାଟ କୋହଲି ଦିନିକିଆ ଦଳର ଅଧିନାୟକ ରହିବେ କି ନାହିଁ ଏହା ଉପରେ ନିଷ୍ପତ୍ତି ଚଳିତ ସପ୍ତାହରେ ହୋଇପାରେ। ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଚୟନ କମିଟି ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ଦଳର ଘୋଷଣା ସମୟରେ କୋହଲି ଦିନିକିଆ ଦଳର ଅଧିନାୟକ ରହିବେ କି ନାହିଁ ଚିତ୍ର ସ୍ପଷ୍ଟ ହୋଇଯିବ।

ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ଉଚ୍ଚପଦସ୍ଥ ଅଧିକାରୀଙ୍କ ମତରେ ଦକ୍ଷିଣ ଆଫ୍ରିକାରେ କୋଭିଡ୍-୧୯ର ନୂତନ ସ୍ଵରୂପ ଚିହ୍ନଟ ସତ୍ତ୍ଵେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଭାରତୀୟ ଦଳ ଗସ୍ତ କରିବ। ତଥାପି ବିସିସିଆଇ ସ୍ଥିତି ଉପରେ ନଜର ରଖିଛି।

୨୦୨୨ରେ ସବୁଠୁ ଅଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏଥିରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ସାମିଲ୍। ବର୍ତ୍ତମାନର କାର୍ଯ୍ୟକ୍ରମ ଅନୁଯାୟୀ, ଆଗାମୀ ସାତ ମାସରେ ଭାରତ କେବଳ ନଅଟି ଦିନିକିଆ ମ୍ୟାଚ୍ ଖେଳିବ। ଏଥିରେ ଛଅଟି ମ୍ୟାଚ୍ ବିଦେଶ( ତିନି ଦକ୍ଷିଣ ଆଫ୍ରିକା ଓ ତିନି ଇଂଲଣ୍ଡ)ରେ ଖେଳାଯିବ।

ବିସିସିଆଇର ଏକ ଗୋଷ୍ଠୀ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ କରାଯିବା ପକ୍ଷରେ ଥିବା ବେଳେ ଅନ୍ୟ ଗୋଷ୍ଠୀ ଟି-୨୦ ଏବଂ ଦିନିକିଆର ଅଧିନାୟକ ଦାୟିତ୍ଵ ଜଣେ ଖେଳାଳିଙ୍କୁ ଦେବା ପକ୍ଷରେ ଅଛନ୍ତି। ଯଦ୍ଵାରା ରୋହିତ ଶର୍ମାଙ୍କୁ ୨୦୨୩ ଦିନିକିଆ ବିଶ୍ଵ କପ୍ ପାଇଁ ପ୍ରସ୍ତୁତି ପାଇଁ ସୁଯୋଗ ମିଳିବ। କୁହାଯାଉଛି ଏହି ବିଷୟରେ ଚୂଡାନ୍ତ ନିଷ୍ପତ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା ନେବେ।

Get real time updates directly on you device, subscribe now.