fbpx

ଝିଅର ଓଢ଼ଣୀ ଟାଣିବା, ହାତ ଧରିବା ଓ ପ୍ରେମ ନିବେଦନ କରିବା ପୋକ୍ସୋ ଆକ୍ଟ ଆଧାରରେ ଯୌନ ଉତ୍ପୀଡନ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ପୋକ୍ସୋ ଆକ୍ଟ ଏବଂ ଯୌନ ଉତ୍ପୀଡନ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି କୋଲକାତା ହାଇକୋର୍ଟ । ଜଣେ ଝିଅର ଓଢ଼ଣୀ ଟାଣିବା, ହାତ ଧରିବା ଓ ପ୍ରେମ ନିବେଦନ କରିବା ପୋକ୍ସୋ ଆକ୍ଟ ଆଧାରରେ ଯୌନ ଉତ୍ପୀଡନ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ପୋକ୍ସୋ ଆକ୍ଟ ଆଧାରରେ ଏହା ଯୌନ ଉତ୍ପୀଡନ ବା ଯୌନ ଶୋଷଣ ଅଧୀନରେ ଆସୁନାହିଁ ବୋଲି କହିଛନ୍ତି କୋର୍ଟ । ଜଷ୍ଟିସ ବିବେକ ଚୌଧୁରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଟ୍ରାଏଲ କୋର୍ଟର ନିଷ୍ପତ୍ତି ଦ୍ୱାରା ଉପର କୋର୍ଟଙ୍କ ନିଷ୍ପତ୍ତି ପ୍ରଭାବିତ ହୋଇଥାଏ । ଯଦି ତଳ କୋର୍ଟ ଭୁଲ ନିଷ୍ପତ୍ତି ନେଉଛନ୍ତି ତାହେଲେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ନ୍ୟାୟ ମିଳି ପାରିବ ନାହିଁ ।

ଅଗଷ୍ଟ ୨୦୧୭ ମସିହାର ଏକ ପୁରୁଣା ମାମଲାର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଛାତ୍ରୀ ଜଣଙ୍କ ସ୍କୁଲରୁ ଫେରୁଥିବା ବେଳେ ଅଭିଯୁକ୍ତ ତାଙ୍କ ଓଢ଼ଣୀ ଟାଣିବା ସହିତ ବିବାହ ପାଇଁ ପ୍ରପୋଜ କରିଥିଲେ । ଏପରିକି ପ୍ରସ୍ତାବରେ ରାଜି ନହେଲେ ମୁହଁରେ ଏସିଡ ପକାଇବାକୁ ଧମକ ମଧ୍ୟ ଦେଇଥିଲେ । ଓଢ଼ଣା ଟଣାକୁ ଯୌନ ଉତ୍ପୀଡନ ଭାବରେ ଗ୍ରହଣ କରିବା ସହିତ ଟ୍ରାଏଲ କୋର୍ଟ ବିଚାରପତି କାଣ୍ଡି ଦୋଷୀ ବିରୋଧରେ ପୋକ୍ସୋ ଆକ୍ଟର ଧାରା ୮ ଓ ୧୨ଲଗାଇଥିଲେ । ଏହା ସହିତ ଆଇପିସିର ଧାରା ୩୫୪, ୩୫୪ ବି, ୫୦୬ ଓ ୫୦୯ ମଧ୍ୟ ଲଗାଇଥିଲେ । ଏହା ସହିତ ପରବର୍ତ୍ତୀ ସମୟରେ ଆଇପିସିର ଧାରା ୩୫୪(୧) (୨) ମଧ୍ୟ ଲଗାଯାଇଥିଲା ।

ହାଇକୋର୍ଟଙ୍କ ଖଣ୍ଡପୀଠ ପୁନର୍ବାର ସମସ୍ତ ମାମଲାର ବିଚାର କରିବା ସହିତ ଏଫଆଇଆରରେ ହାତ ଧରି ଟାଣିବା କଥା ଉଲ୍ଲେଖ ନଥିବା କହିଥିଲେ । ପୀଡିତାଙ୍କ ବୟାନ ସିଆରପିସି ୧୬୪ ଆଧାରରେ ୧୦ ଦିନ ପରେ ଥାନାରେ ନିଆଯାଇଥିଲା । ପୀଡିତା ନିଜ ବୟାନରେ ହାତ ଧରି ଟାଣିବା କଥା ଉଲ୍ଲେଖମ କରିଥିଲେ । ତେବେ ଏହି ବ୍ୟକ୍ତିଙ୍କର ଯୌନ ଉତ୍ପୀଡନର ଯୋଜନା ନଥିବା ଉଲ୍ଲେଖ କରିବା ସହିତ ପୋକ୍ସୋ ଆକ୍ଟ ପରିବର୍ତ୍ତେ ଆଇପିସିର ଧାରା ୩୫୪ (୧) ଏବଂ ୫୦୬ ଆଧାରରେ ମାମଲା ରୁଜୁ କରାଯିବା ଉଚିତ । ଏହା ସହିତ ଲାଗୁ କରାଯାଇଥିବା ଧାରା ୩୫୪, ୩୫୪ ବି ଏବଂ ୫୦୯ ଭିତ୍ତିହୀନ ଅଟେ ବୋଲି କୋର୍ଟ କହିଥିଲେ । ଏହା ସହିତ କୋର୍ଟ ତାଙ୍କୁ ପୋକ୍ସୋ ଆକ୍ଟର ଧାରା ୮ ଓ ୧୨ରୁ ଦୋଷମୁକ୍ତ ଘୋଷଣା କରିଥିଲେ ।

Get real time updates directly on you device, subscribe now.