fbpx

ଦୁଇ ବିଶ୍ୱକପର ପ୍ରକୃତ ହିରୋ କିଏ: ୨୦୦୭ T-20 ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟରେ କେଉଁ ଖେଳାଳିଙ୍କର ସର୍ବାଧିକ ଅବଦାନ ରହିଥିଲା

ନୂଆଦିଲ୍ଲୀ: ୧୯୭୫ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ୧୩ଟି ଦିନିକିଆ ବିଶ୍ୱକପ ସମାପ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ଭାରତ କେବଳ ୨ଟି ବିଶ୍ୱକପ ଜିତିବାକୁ ସକ୍ଷମ ହୋଇଛି । ସେହିପରି ଟିମ୍ ଇଣ୍ଡିଆ ୨୦୦୭ରେ ଟି-୨୦ ବିଶ୍ୱକପ ବିଜୟୀ ହୋଇଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅନେକ କୀର୍ତ୍ତିମାନ ସ୍ଥାପନ କରିବାରେ ସଫଳ ହୋଇଛି । ତେବେ ଧୋନୀଙ୍କ ନେତୃତ୍ୱରେ ଭାରତ ହାସଲ କରିଥିବା ଦୁଇଟି ବଡ଼ ସଫଳତା ହେଉଛି ୨୦୦୭ ମସିହା ଟି-୨୦ ବିଜୟ ଓ ୨୦୧୧ ମସିହା ଦିନିକିଆ ବିଶ୍ୱକପ୍ ବିଜୟ । ସାଧାରଣ ଭାବେ କୌଣସି ଟିମ୍ ଚାମ୍ପିୟନ ଆଖ୍ୟା ଅର୍ଜନ କଲେ କ୍ୟାପ୍ଟେନଙ୍କୁ ସବୁ ଶ୍ରେୟ ଯାଇଥାଏ । ତଥାପି ଦଳଗତ ପ୍ରଦର୍ଶନକୁ ଅଣଦେଖା କରାଯାଇ ପାରିବ ନାହିଁ । ଗୋଟିଏ ଦଳର ସମସ୍ତ ଖେଳାଳିଙ୍କର କଠିନ ପରିଶ୍ରମ ପରେ ହିଁ ଗୋଟିଏ ଦଳ ବିଶ୍ୱ ବିଜୟୀ ମୁକୁଟ ପିନ୍ଧି ପାରିଥାଏ ।

୨୦୦୭ ଟି-୨୦ ବିଶ୍ୱକପରେ ଭାରତ ପକ୍ଷରୁ ଗୌତମ ଗମ୍ଭୀର ୩ଟି ଅର୍ଦ୍ଧଶତକ ସହ ୨୨୭ ରନ, ଧୋନୀ ୧୫୪ ରନ, ଯୁବରାଜ ସିଂହ ୨ଟି ଅର୍ଦ୍ଧଶତକ ସହ ୧୪୮ ରନ୍, ବିରେନ୍ଦ୍ର ସେହୱାଗ ୧୩୩ ରନ, ରବିନ୍ ଉଥାପା ୧୧୩ ରନ୍ ସଂଗ୍ରହ କରିଥିଲେ । ସେହିପରି ବୋଲରଙ୍କ ମଧ୍ୟରେ ଆର.ପି ସିଂହ ୧୨ଟି, ଇର୍ଫାନ ପଠାନ ୧୦ଟି, ହରଭଜନ ସିଂହ ୭ଟି, ଏସ.ଶ୍ରୀସନ୍ଥ ୬ଟି ୱିକେଟ ଅକ୍ତିଆର କରିଥିଲେ ।

ସେହିପରି ୨୦୧୧ ବିଶ୍ୱକପରେ ଯୁବରାଜ ସିଂହ ୧ଟି ଶତକ ଓ ୪ଟି ଅର୍ଦ୍ଧଶତକ ସହ ୩୬୨ ରନ, ସଚିନ ତେନ୍ଦୁଲକର ୨ଟି ଶତକ ଓ ୨ଟି ଅର୍ଦ୍ଧଶତକ ସହ ୪୮୨ ରନ, ଧୋନୀ ୧ଟି ଅର୍ଦ୍ଧଶତକ ସହ ୨୪୧ ରନ, ବିରେନ୍ଦ୍ର ସେହୱାଗ ୧ଟି ଶତକ ଓ ୧ଟି ଅର୍ଦ୍ଧଶତକ ସହ ୩୮୦ ରନ, ଗୌତମ ଗମ୍ଭୀର ୪ଟି ଅର୍ଦ୍ଧଶତକ ସହ ୩୯୩ ରନ ସଂଗ୍ରହ କରିଥିଲେ । ବୋଲରଙ୍କ ମଧ୍ୟରେ ଜାହିର ଖାନ ୨୧ଟି, ଯୁବରାଜ ସିଂହ ୧୫ଟି, ମୁନାଫ ପଟେଲ ୧୧ଟି, ହରଭଜନ ସିଂହ ୯ଟି ୱିକେଟ ଅକ୍ତିଆର କରିଥିଲେ ।

ଏହି ଦୁଇ ବିଶ୍ୱକପ ବିଜୟର ପ୍ରକୃତ ହିରୋ କିଏ ସେନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ ନାନା ଚର୍ଚ୍ଚା ଦେଖିବାକୁ ମିଳିଥାଏ । ୨୦୧୧ ବିଶ୍ୱକପରେ ଯୁବରାଜ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପାଇଥିଲେ । ୨୦୦୭ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଶେଷ ଓଭର ବୋଲିଂ କରିଥିବା ଯୋଗିନ୍ଦର ଶର୍ମାଙ୍କୁ ଅନେକ ହିରୋ ବୋଲି କହିଥାନ୍ତି । ଏଥିସହିତ ଯୁବରାଜ, ଗମ୍ଭୀର, ଧୋନୀ, ସଚିନଙ୍କ ସହିତ ଅନ୍ୟମାନଙ୍କ ନାମ ମଧ୍ୟ ଆସିଥାଏ ।

Get real time updates directly on you device, subscribe now.