fbpx

IAS ଅଧିକାରୀଙ୍କ ବିଗ୍ ବସ୍ କିଏ?

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସମ୍ମାନଜନଜ ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ୨୦୨୩ର ଫଳାଫଳ ପ୍ରକାଶ ପାଇଛି । ମୋଟ ୧୧୦୫ ଜଣ ପ୍ରାର୍ଥୀ ୟୁପିଏସି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧିନରେ ବିଭିନ୍ନ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିବେ । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ପୋଲିସ ସେବା (ଆଇପିଏସ), ଭାରତୀୟ ବନ ସେବା (ଆଇଏଫଏସ), ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଓ ଅନ୍ୟ କେନ୍ଦ୍ରୀୟ ସେବାରେ ଯୋଗଦେବେ ।

ଜଣେ ‘ଆଇଏଏସ’ ଅଧିକାରୀ ହେବାର ସ୍ୱପ୍ନ କାହାର ବା ନଥାଏ । ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରୁଥିବା ଯୁବକ, ଯୁବତୀମାନେ ଲକ୍ଷ ଲକ୍ଷ ଟଙ୍କାର ପ୍ୟାକେଜ୍ ଛାଡ଼ି ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଅନେକ ମେଧାବୀ ବହୁବାର ପ୍ରୟାସ କରିବା ପରେ ବି ଏହି କଠିନ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥାନ୍ତି । ଆଇଏଏସ ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ସର୍ଭେରୁ ପ୍ରମାଣିତ ହୋଇଛି ।

ସାଧାରଣ ଭାବେ ଅନେକ ଆଇଏଏସ ଅଧିକାରୀଙ୍କୁ ସବୁଠାରୁ ଟପ୍ ପୋଷ୍ଟ ବୋଲି ଭାବିଥାନ୍ତି । ଆଇଏଏସ ଅଧିକାରୀଙ୍କର ମଧ୍ୟ ବିଗ୍ ବସ୍ ରହିଥାନ୍ତି । ଆଇଏଏସ ଅଧିକାରୀଙ୍କୁ ମଧ୍ୟ ଅନ୍ୟ କାହାକୁ ସଲାମ୍ କରିବାକୁ ପଡ଼ିଥାଏ । ଆଇଏଏସ ଅଧିକାରୀଙ୍କ ସର୍ବୋଚ୍ଚ ପଦ କେନ୍ଦ୍ର ସରକାରରେ କ୍ୟାବିନେଟ ସଚିବ ହୋଇଥାଏ । କ୍ୟାବିନେଟ ସଚିବ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କରିଥାନ୍ତି । ସେହିପରି ରାଜ୍ୟରେ ମୁଖ୍ୟ ସଚିବ ବା ଚିଫ୍ ସେକ୍ରେଟାରୀ ଆଇଏଏସ ଅଧିକାରୀଙ୍କ ସର୍ବୋଚ୍ଚ ପଦ ଅଟେ । ଆଇଏଏସରେ ଉଚ୍ଚତମ ରାଙ୍କ ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ସେମାନଙ୍କର ଚାକିରି କ୍ୟାରିୟରରେ ଶେଷ ଆଡ଼କୁ ଏହି ପଦ ମିଳିଥାଏ ।

ତେବେ ସିଭିଲ ସର୍ଭିସ ପରି ଏକ ସମ୍ମାନଜନଜ ତଥା ଉଚ୍ଚପଦସ୍ଥ ଅଧିକାରୀ ଭାବେ ନୂଆ ସ୍ଥାନରେ ନିଯୁକ୍ତି ପାଇବା ପୂର୍ବରୁ ସମସ୍ତ ସଫଳ ପ୍ରାର୍ଥୀଙ୍କୁ ଏକ ଟ୍ରେନିଂରେ ଯିବାକୁ ପଡ଼ିଥାଏ । ଏହାପରେ ସେମାନେ ନୂଆ ସ୍ଥାନରେ ନୂଆ ଦାୟିତ୍ୱ ଆରମ୍ଭ କରିଥାନ୍ତି । ଆଇଏଏସ, ଆଇପିଏସ, ଆଇଏଫଏସ ଅଧିକାରୀ ହେବା ପାଇଁ ଜଣେ ସିଭିଲ ସର୍ଭିସ ଅଧିକାରୀଙ୍କୁ ଅନେକ ପ୍ରକାରର ଟ୍ରେନିଂ ନେବାକୁ ପଡ଼ିଥାଏ ।

ଜଣେ ଆଇଏସଏସ ଅଧିକାରୀଙ୍କୁ ପ୍ରଥମେ ଉତ୍ତରାଖଣ୍ଡର ମସୁରୀ ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନ (ଏଲବିଏସଏନଏଏ)ରେ ଫାଉଣ୍ଡେସନ କୋର୍ସ ସହିତ ଟ୍ରେନିଂ ନେବାକୁ ପଡ଼ିଥାଏ । ସେଠାରେ ଆଇଏଏସ, ଆଇପିଏସ ଓ ଆଇଏଫଏସ ଅଧିକାରୀମାନେ ଟ୍ରେନିଂରେ ଅଂଶଗ୍ରହଣ କରିଥାନ୍ତି । ଏହି ଅବସରରେ ଫାଉଣ୍ଡେସନ କୋର୍ସରେ ସମସ୍ତ ଅଧିକାରୀଙ୍କୁ ବେସିକ ପ୍ରଶାସନିକ ଦକ୍ଷତା ଶିକ୍ଷା ଦିଆଯାଇଥାଏ ।

ଯେ କୌଣସି ପରିସ୍ଥିତିରେ ଅଧିକାରୀମାନେ କିପରି ଲଢ଼େଇ ଜାରି ରଖିବେ ସେନେଇ ସ୍ୱତନ୍ତ୍ର ଆକ୍ଟିଭିଟି କରାଯାଇଥାଏ । ସେଥି ମଧ୍ୟରେ ହିମାଳୟ ଟ୍ରାକିଂ ସାମିଲ ରହିଛି । ‘ବିବିଧତା ମଧ୍ୟରେ ଏକାତା’କୁ ଦର୍ଶାଇବା ଲକ୍ଷ୍ୟରେ ଇଣ୍ଡିଆ ଡେ’ ମାଧ୍ୟମରେ ସମସ୍ତ ଅଧିକାରୀମାନେ ନିଜ ନିଜର ରାଜ୍ୟର ସଂସ୍କୃତିକୁ ପ୍ରଦର୍ଶନ କରିଥାନ୍ତି । ସେମାନଙ୍କର କ୍ଲାସ ନେବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଶକ୍ତି, କୃଷି, ଶିଳ୍ପ, ପଞ୍ଚାୟତିରାଜ, ଜଙ୍ଗଲ, ଆଇନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟର ଜଣାଶୁଣା ବିଶେଷଜ୍ଞ ଓ ସିନିୟର ବ୍ୟୁରୋକ୍ରାଟ ଆସିଥାନ୍ତି । ଏହି ଟ୍ରେନିଂ ସମୟରେ ଆଇଏଏସ ଅଧିକାରୀଙ୍କୁ କ୍ୟାଡର ହିସାବରେ ସ୍ଥାନୀୟ ଭାଷା ଶିକ୍ଷା ଦିଆଯାଇଥାଏ । ଏକାଡେମିକ ଓ ଫିଲ୍ଡ ଟ୍ରେନିଂ ପରେ ପବ୍ଲିକ ମ୍ୟାନେଜମେଣ୍ଟର ଡିଗ୍ରୀ ପ୍ରଦାନ କରଯାଇଥାଏ । ଚାକିରି ସମୟରେ ଟ୍ରେନିଂ ପାଇଁ ଅଧିକାରୀମାନେ ନିଜର କ୍ୟାଡର ରାଜ୍ୟକୁ ଯାଇଥାନ୍ତି ଓ ସେଠାରେ ଫିଲ୍ଡରେ ବିଭିନ୍ନ ଶିକ୍ଷା ଗ୍ରହଣ କରିଥାନ୍ତି ।

Get real time updates directly on you device, subscribe now.