fbpx
BJD SKY
BJD SKY

ଦେଶରେ କିଏ କିଣୁଛି ସବୁଠାରୁ ଅଧିକ ସୁନା? ଏହି ରିପୋର୍ଟରୁ ହେଲା ଖୁଲାସା

BJD

ମୁମ୍ବାଇ: ଦେଶରେ ସବୁଠାରୁ ଅଧିକ ସୁନା କିଏ କିଣୁଛି, ସେନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ସୋମବାର ଦିନ ପ୍ରକାଶିତ ଇଣ୍ଡିଆ ଗୋଲ୍ଡ ପଲିସି ସେଣ୍ଟର (ଆଇଜିପିସି) ର ସୁନା ଏବଂ ସ୍ୱର୍ଣ୍ଣ ମାର୍କେଟ -୨୦୨୨ ରିପୋର୍ଟରେ କୁହାଯାଇଛି ଯେ, ଧନୀମାନଙ୍କ ମଧ୍ୟରେ ମୁଣ୍ଡପିଛା ସୁନା ବ୍ୟବହାର ସର୍ବାଧିକ, କିନ୍ତୁ ଏହାର ମୋଟ ପରିମାଣ ଏବେ ବି ମଧ୍ୟବିତ୍ତ ଗୋଷ୍ଠୀର ଲୋକଙ୍କ ସହ ରହିଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଉଚ୍ଚ ଆୟ ବର୍ଗର ଲୋକମାନେ ଡିଜିଟାଲ୍ କିମ୍ବା ‘ପେପର ଫର୍ମାଟ୍’ରେ ସୁନା ରଖିବାକୁ ଆଗ୍ରହୀ ଥାଆନ୍ତି । ବାର୍ଷିକ ୨-୧୦ ଲକ୍ଷ ଟଙ୍କାର ଆୟ ସୀମା ଥିବା ପରିବାରରେ ଅଧିକାଂଶ ସୁନା ଅଛି, ଯାହା ହାରାହାରି ପରିମାଣର ୫୬ ପ୍ରତିଶତ । ସେମାନେ ସୁରକ୍ଷିତ ନିବେଶକୁ ପସନ୍ଦ କରନ୍ତି । ଯେପରିକି ସୁନା ଏବଂ ସ୍ୱର୍ଣ୍ଣ ଦ୍ରବ୍ୟ କିମ୍ବା ଭବିଷ୍ୟ ନିଧି, ଜୀବନ ବୀମା, ଡାକଘର ସଞ୍ଚୟ ଇତ୍ୟାଦି । କାରଣ ସେଠାରେ ଅନ୍ୟ ତୁଳନାରେ ବିପଦ କମ୍ ରହିଥାଏ ।

ବାର୍ଷିକ ୧୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ଉଚ୍ଚ-ମଧ୍ୟମ ପରିବାର ବର୍ଗର ଲୋକଙ୍କ ପାଇଁ ସଞ୍ଚୟର ଅର୍ଥ ହେଉଛି- ସେମାନଙ୍କ ଅତିରିକ୍ତ ରୋଜଗାର, ବେକାର ପଡିଥିବା ଅତିରିକ୍ତ ଧନ ଓ ପୁଞ୍ଜିଗତ ଲାଭ ଉପରେ ରୋଜଗାର । ଏଥିପାଇଁ ସେମାନେ ଷ୍ଟକ୍ କିମ୍ବା ସେୟାର, ଡେରିଭେଟିଭ୍ ଏବଂ ରିଏଲ୍ ଇଷ୍ଟେଟରେ ନିବେଶ କରିବାକୁ ପସନ୍ଦ କରନ୍ତି । ଭାରତର ଉପଭୋକ୍ତା ଅର୍ଥନୀତି ଉପରେ ପିପୁଲ୍ସ ରିସର୍ଚ୍ଚ (ପ୍ରାଇସ୍) ସହଯୋଗରେ ଆଇଜିପିସି ଦ୍ୱାରା କରାଯାଇଥିବା ଏକ ସର୍ଭେ ମାଧ୍ୟମରେ ଘରୋଇ ସୁନା ବ୍ୟବହାର ଉପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହି ସର୍ଭେ ୪୦,୦୦୦ ପରିବାର ମଧ୍ୟରେ କରାଯାଇଥିଲା ।

ଆଇଜିପିସି ଅଧ୍ୟକ୍ଷ ଅରବିନ୍ଦ ସାହି କହିଛନ୍ତି ଯେ, ସୁନା ଧନୀମାନଙ୍କ ପାଇଁ ବୋଲି ସାଧାରଣ ଧାରଣା ରହିଛି । କିନ୍ତୁ ସର୍ଭେ ରିପୋର୍ଟ ଏହାର ବିପରୀତ । ସର୍ଭେ ହିସାବରେ ଆମେ ଜାଣିବାକୁ ପାଇଲୁ କି, ମଧ୍ୟବିତ୍ତ ପରିବାର ଲୋକେ ମୂଲ୍ୟ ଏବଂ ପରିମାଣ ଦୃଷ୍ଟିରୁ ସର୍ବାଧିକ ସୁନା କିଣୁଛନ୍ତି । ସମ୍ପତ୍ତି ଭାବରେ ସୁନା ବ୍ୟବହାରକୁ ବୃଦ୍ଧି କରିବାରେ ମହାମାରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଆମକୁ ସ୍ୱୀକାର କରିବାକୁ ପଡ଼ିବ ।

Get real time updates directly on you device, subscribe now.