fbpx

Wold Cupରେ କିଏ ଭାରତର ସଫଳ ଅଧିନାୟକ? ପୂର୍ବତନ Captain ଏବେ କୋଚ, ସାଥୀରେ ନୂଆ Leader

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ଗୋଟିଏ ମାସ ବାକି ରହିଛି । ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା । ପ୍ରଥମ ଥର ପାଇଁ ଦିନିକିଆ ଅଧିନାୟକ ଭାବରେ ସେ ବିଶ୍ୱକପ ଖେଳିବାକୁ ଯାଉଥିବା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଦଳରେ ସାମିଲ ରହିଛନ୍ତି । ଏହାବ୍ୟତୀତ ଭାରତର ଅନ୍ୟ ଜଣେ ପୂର୍ବତନ ଅଧିନାୟକ ବର୍ତ୍ତମାନ ଦଳର କୋଚ୍ ଭାବରେ ରୋହିତଙ୍କ ସହ ରହିଛନ୍ତି । ତେବେ ବିଶ୍ୱକପରେ ନେତୃତ୍ୱ ନେଇଥିବା ଅଧିନାୟକଙ୍କ ମଧ୍ୟରେ ସବୁଠାରୁ ସଫଳ କ୍ୟାପ୍ଟେନ କିଏ?

୧୯୭୫ ମସିହାରେ ଦିନିକିଆ ବିଶ୍ୱକପ ଆରମ୍ଭ ହୋଇଥିବା ବେଳେ ୨୦୧୯ ଟୁର୍ଣ୍ଣାମେଣ୍ଟ ସୁଦ୍ଧା ୭ ଜଣ ଖେଳାଳି ଅଧିନାୟକ ପଦ ସମ୍ଭାଳିଛନ୍ତି । କିନ୍ତୁ ୧୯୮୩ରେ କପିଲ ଦେବ ଏବଂ ୨୦୧୧ ମସିହାରେ ଏମ.ଏସ ଦୋନୀଙ୍କ ନେତୃତ୍ୱରେ ଭାରତ ବିଶ୍ୱବିଜୟୀ ହେବାରେ ସଫଳ ହୋଇଛି । ତେବେ ବର୍ତ୍ତମାନର କୋଚ୍ ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଭାରତ ବିଶ୍ୱକପରେ ସର୍ବାଧିକ ମ୍ୟାଚ ପରାସ୍ତ ହୋଇଛି । ସେହିପରି ଏସ ଭେଙ୍କଟରାଘବନ୍ ମଧ୍ୟ ରାହୁଲଙ୍କ ସହ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଉଭୟ ଅଧିନାୟକ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବିଫଳ ହୋଇଛନ୍ତି ।

M.S DHONI: ଦିନିକିଆ ବିଶ୍ୱକପରେ ଧୋନୀ ହେଉଛନ୍ତି ଭାରତର ସବୁଠାରୁ ସଫଳ ଅଧିନାୟକ । ତାଙ୍କ ନେତୃତ୍ୱରେ ଭାରତ ସର୍ବାଧିକ ମ୍ୟାଚରେ ବିଜୟୀ ହୋଇଛି । ସେ ୨୦୧୧ ଏବଂ ୨୦୧୫ ବିଶ୍ୱକପରେ ମୋଟ ୧୭ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ୧୪ଟି ମ୍ୟାଚରେ ଦଳ ବିଜୟଲାଭ କରିଛି ଏବଂ ୨ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ୨୦୧୧ରେ ଶ୍ରୀଲଙ୍କାକୁ ମାତ୍ ଦେଇ ଦଳ ବିଶ୍ୱକପ ଚମ୍ପିଆନ୍ । କିନ୍ତୁ ୨୦୧୫ରେ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ପରାସ୍ତ ହୋଇ ବିଶ୍ୱକପରୁ ବାଦ୍ ପଡ଼ିଥିଲା ଧୋନୀବାହିନୀ ।

KAPIL DEV: ପୂର୍ବତନ ଅଧିନାୟକ କପିଲ ଦେବ(୧୯୮୩ ଓ ୧୯୮୭) ଭାରତର ଦ୍ୱିତୀୟ ସଫଳ ଅଧିନାୟକ । କପିଲଙ୍କ ନେତୃତ୍ୱରେ ଭାରତ ୧୫ଟି ମ୍ୟାଚରୁ ୧୧ଟି ମ୍ୟାଚରେ ବିଜୟ ହାସଲ କରିଛି । ତେବେ ତାଙ୍କ ନେତୃତ୍ୱରେ ହିଁ ଭାରତ ୧୯୮୭ ମସିହାରେ ପ୍ରଥମ ବିଶ୍ୱକପ ଜିତିଥିଲା ।

Md. AZHARUDDIN: ସର୍ବାଧିକ ବିଶ୍ୱକପ ଖେଳିଥିବା ଅଧିନାୟକ ହେଉଛନ୍ତି ମହମ୍ମଦ ଅଜାରୁଦ୍ଦିନ । ୧୯୯୨, ୧୯୯୬ ଏବଂ ୧୯୯୯ ମସିହାରେ ମୋଟ ୨୩ଟି ମ୍ୟାଚରୁ ୧୦ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ତେବେ ୧୯୯୨ ମସିହାରେ ଭାରତ ଗ୍ରୁପ ରାଉଣ୍ଡରୁ ବାଦ୍ ପଡ଼ିଥିବା ବେଳେ ୧୯୯୬ରେ ସେମି ଫାଇନାଲ ଏବଂ ୧୯୯୯ରେ ସୁପର-୬ରୁ ଭାରତ ଫେରିଥିଲା ।

SOURAV GANGULY: ୨୦୦୩ ବିଶ୍ୱକପରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୧୧ ଟି ମ୍ୟାଚ ଖେଳିଥିବା ବେଳେ ୯ ଟି ମ୍ୟାଚରେ ଦାଦାଙ୍କ ଦଳ ବିଜୟଲାଭ କରିଥିଲା ଏବଂ ୨ଟି ମ୍ୟାଚରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ ।

VIRAT KOHLI: ଏହାପରେ ଗତ ୨୦୧୯ ବିଶ୍ୱକପରେ ଭାରତର ନେତୃତ୍ୱ ନେଇଥିଲେ ବିରାଟ କୋହଲି । ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ ବାହିନୀ ୯ଟି ମ୍ୟାଚ ଖେଳି ୭ଟି ବିଜୟୀ ହୋଇଥିଲେ ଏବଂ ୨ଟି ମ୍ୟାଚ ପରାସ୍ତ ହୋଇଥିଲେ । ତେବେ ସେମି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାସ୍ତ ହୋଇ ବିରାଟ ବାହିନୀ ବିଶ୍ୱକପକୁ ହାତଛଡ଼ା କରିଥିଲା ।

ଶେଷରେ ଭେଙ୍କଟରାଘବନ ୧୯୭୫ ଏବଂ ୧୯୭୯ ବିଶ୍ୱକପରେ ଦଳର ନେତୃତ୍ୱ ନେଇ ୬ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହାସଲ କରିଥିଲେ । ସେହିପରି ରାହୁଲ ଦ୍ରାବିଡ ୨୦୦୭ ବିଶ୍ୱକପ ରେ ଅଧିନାୟକ ଭାବରେ ମାତ୍ର ଗୋଟିଏ ମ୍ୟାଚ ଜିତିଥିଲେ । ଉଭୟଙ୍କ ନେତୃତ୍ୱରେ ଭାରତ ପ୍ରଥମ ରାଉଣ୍ଡରୁ ହିଁ ବିଶ୍ୱକପରୁ ବିଦା ହୋଇଛି ।

Get real time updates directly on you device, subscribe now.