fbpx
BSKY
BJD SHG SKY
BJD MC SKY

୨୫ଜଣ କ୍ରୁ ମେମ୍ବରଙ୍କୁ ପଠାଯାଇଥିବା ଟର୍ମିନେସନ୍ ଚିଠି ପ୍ରତ୍ୟାହାର କରିବାକୁ ରାଜିହେଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ କ୍ରୁ ମେମ୍ବରଙ୍କ ସହ ଚୁକ୍ତି କରିଛି । ଏୟାରଲାଇନ୍ ୨୫ ଜଣ କ୍ରୁ ମେମ୍ବରଙ୍କୁ ପଠାଯାଇଥିବା ଟର୍ମିନେସନ୍ ଚିଠି ପ୍ରତ୍ୟାହାର କରିବାକୁ ରାଜି ହୋଇଛି। ଏୟାରଲାଇନ୍ସର କ୍ରୁ ମେମ୍ବରମାନେ ମଧ୍ୟ ଧର୍ମଘଟ ପ୍ରତ୍ୟାହାର କରିନେଇଛନ୍ତି। ଦରମା, ଭତ୍ତା ଓ କାର୍ଯ୍ୟସ୍ଥିତି କୁ ନେଇ ଏୟାର ଇଣ୍ଡିଆ ର କର୍ମଚାରୀମାନେ ଧର୍ମଘଟ କରିଥିଲେ। ମୁଖ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ କ୍ରୁ ମେମ୍ବର ଓ ମ୍ୟାନେଜମେଣ୍ଟ ମେମ୍ବରଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସମେତ ଅନ୍ୟ ୪ ଜଣ ବ୍ୟକ୍ତି ଏବଂ ୨୦ରୁ ଅଧିକ ବରିଷ୍ଠ କ୍ୟାବିନ୍ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ କ୍ରୁର ବୈଠକ ପରେ ଭାରତୀୟ ମଜଦୁର ସଂଘ ସମ୍ପାଦକ ଗିରିଶ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି, ଏୟାର ଇଣ୍ଡିଆ ଏକ୍ସପ୍ରେସ ସଙ୍କଟ ସମୟରେ ମୁଖ୍ୟ ଶ୍ରମ କମିଶନର ଆମକୁ ବୁଝାମଣା ପ୍ରକ୍ରିୟା ପାଇଁ ଡାକିଥିଲେ। କ୍ରୁ ମେମ୍ବରଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ୨୫ ଜଣ କ୍ରୁ ମେମ୍ବରଙ୍କ ଚାକିରିରୁ ବହିଷ୍କାର କୁ ତୁରନ୍ତ ପ୍ରତ୍ୟାହାର କରାଯାଇଛି। ସମସ୍ତ କ୍ରୁ ମେମ୍ବର ତୁରନ୍ତ ଡ୍ୟୁଟିରେ ଯୋଗ ଦେବେ। ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତା ୨୮ ତାରିଖରେ ଆଉ ଏକ ବୈଠକ ବସିବ।

କ୍ରୁ ମେମ୍ବର ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପ୍ରାୟ ୮୫ଟି ବିମାନ ବାତିଲ ହୋଇଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବୁଧବାର ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏକ୍ସପ୍ରେସଠାରୁ ଏ ନେଇ ବିସ୍ତୃତ ରିପୋର୍ଟ ମାଗିଛି। ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରାଯାଇଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଏହାର କ୍ରୁ ମେମ୍ବରଙ୍କ ମଧ୍ୟରେ ଚାଲିଥିବା ସମନ୍ୱୟ ପ୍ରକ୍ରିୟାରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)କୁ ମଧ୍ୟ ବିଭିନ୍ନ ନିୟମ ସମ୍ପର୍କରେ ସୂଚନା ମାଗିବା ପାଇଁ ଏକ ପକ୍ଷ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଡିଜିସିଏକୁ ବୁଝାମଣା ପ୍ରକ୍ରିୟାରେ ପକ୍ଷଭୁକ୍ତ କରିବା ପାଇଁ ଗତ ସପ୍ତାହରେ ଆଞ୍ଚଳିକ ଲେବର୍ କମିଶନର ନୋଟିସ୍ ପଠାଇଥିଲେ।

Get real time updates directly on you device, subscribe now.