fbpx
BJD
BJD SKY
BJD SKY

୨୦୨୪ ନିର୍ବାଚନରେ ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ଭୁବନେଶ୍ୱର: କିଛିଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମାଲକାନଗିରି ଗସ୍ତରେ ଯାଇଥିଲେ । ତାଙ୍କୁ ସେଠାରେ ଶହ ଶହ ଜନତା ଓ ବିଜେପି କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସେହି ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କୋରାପୁଟ ଗସ୍ତରେ ଯାଇଥିଲେ, କିନ୍ତୁ ଅପରାଜିତାଙ୍କୁ ନେଇ ଯେପରି ଉତ୍ସାହ କର୍ମୀମାନଙ୍କ ମହଲରେ ଦେଖିବାକୁ ମିଳିଥିଲା, ମନମୋହନଙ୍କ କ୍ଷେତ୍ରରେ ତାହା ଦେଖିବାକୁ ମିଳିନଥିଲା । ତେବେ ଏହାର କାରଣ କଣ ? ଏହି ପ୍ରଶ୍ନର ଉତ୍ତରରେ ହିଁ ଲୁଚି ରହିଛି ଆଗାମୀ ନିର୍ବାଚନରେ ବିଜେପିର ବିଜୟ ସମ୍ଭାବନା ।

ପ୍ରକୃତ କଥା ହେଉଛି ଅପରାଜିତା ଷଡ଼ଙ୍ଗୀ ନିଜକୁ ଜଣେ ଲଢୁଆ ନେତ୍ରୀଭାବେ ପରିଚିତ କରାଇଛନ୍ତି । ସେ ଏକୁଟିଆ ରାଜ୍ୟ ସରକାରଙ୍କ ବିରୋଧରେ ଲଢୁଛନ୍ତି । ବେଳେ ବେଳେ ତାଙ୍କ ଆକ୍ରମଣର ଉପଯୁକ୍ତ ଜବାବ ପାଉନାହିଁ ବିଜେଡ଼ି । ସେହିପରି ବିଜେପିର ଆଉ ଜଣେ ଲଢୁଆ ନେତା ହେଲେ ଜୟନାରାୟଣ ମିଶ୍ର । ସୁସ୍ଥ ହୋଇ ଫେରିବା ପରେ ସେ ବି ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରାମକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ବିଜେପିର ଏହି ଦୁଇ ନେତାଙ୍କ ପଛରେ ଯେପରି ଜନସମର୍ଥନ ଦେଖାଯାଉଛି, ତାହା ଅନ୍ୟ କୌଣସି ନେତାଙ୍କ କ୍ଷେତ୍ରରେ କାହିଁକି ଦେଖାଯାଉନାହିଁ ? ଏହାର କାରଣ ହେଉଛି, ଉଭୟ ନେତା ଲଢେଇ କରିବା ପାଇଁ ପ୍ରସିଦ୍ଧ । କିନ୍ତୁ ରାଜ୍ୟ ବିଜେପିର ଅନ୍ୟ ନେତାଙ୍କ କ୍ଷେତ୍ରରେ ଏମାନଙ୍କ ପରି ଉର୍ଜା ଦେଖିବାକୁ ମିଳୁନି । ସେମାନେ ବିଭିନ୍ନ ସମୟରେ ସରକାରଙ୍କୁ ଟାର୍ଗେଟ କରୁଥିଲେ ବି ତାହା ପ୍ରଭାବୀ ହୋଇପାରୁନାହିଁ। କେତେକ ମଧ୍ୟ ସରକାରଙ୍କୁ ସିଧାସଳଖ ସମାଲୋଚନା କରିବାକୁ ସାହାସ କରିପାରୁନାହାନ୍ତି । ଏଣୁ ଲୋକମାନେ ସେମାନଙ୍କୁ ଗୁରୁତ୍ୱର ସହ ନେଉନାହାନ୍ତି କିମ୍ବା ସମର୍ଥନ କରୁନାହାନ୍ତି। ରାଜ୍ୟରେ ନିଶ୍ଚିତ ଭାବେ ସରକାର ବିରୋଧୀ ହାୱା କିଛି ମାତ୍ରାରେ ଦେଖିବାକୁ ମିଳିଲାଣି । ଇଣ୍ଡିଆ ଟୁଡେ ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମିଛି । କିନ୍ତୁ ମୁଖ୍ୟ ବିରୋଧୀ ଦଳ ଭାବେ ତାହାର ଫାଇଦା ନେବାକୁ ବିଜେପି ପ୍ରସ୍ତୁତ କି? ନା ଭବିଷ୍ୟତରେ ଦୁଇ ଦଳ ମଧ୍ୟରେ ମେଣ୍ଟ ଆଶାରେ ଦଳ ରହିଛି ?

୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମଣର ନେତୃତ୍ୱ ନେଉଥିଲେ। ତାଙ୍କ ଲଢୁଆ ନେତୃତ୍ୱ ଯୋଗୁଁ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେପିର ଭୋଟହାର ୧୮ ପ୍ରତିଶତରୁ ବୃଦ୍ଧି ପାଇ ୩୨ ପ୍ରତିଶତରେ ପହଞ୍ଚିଥିଲା, ଯାହାକି କିଛି କମ ନୁହେଁ। କିନ୍ତୁ କୌଣସି କାରଣରୁ ଏବେ ଧର୍ମେନ୍ଦ୍ର ମଧ୍ୟ ସେପରି ଆକ୍ରାମକ ମନୋଭାବ ଦେଖାଉନାହାନ୍ତି। ଏପରି ସ୍ଥିତିରେ ରାଜ୍ୟରେ ସରକାର ବିରୋଧୀ ଆକ୍ରମଣର ନେତୃତ୍ୱ ନେଉଛନ୍ତି ଅପରାଜିତା ଓ ଜୟନାରାୟଣ। ଅପରାଜିତା ନିୟମିତଭାବେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଚାଲିଛନ୍ତି। ତାଙ୍କ ଆକ୍ରମଣ ବେଳେ ବେଳେ ବିଜେଡିକୁ ଅଡୁଆରେ ପକାଉଛି। ଏହି କାରଣରୁ ତାଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଓ ସମର୍ଥନ ବଢୁଥିବା ଲକ୍ଷ୍ୟ କରାଯାଉଛି। ସେ ହିଁ ଟକ୍କର ଦେଇପାରିବେ ବୋଲି ଲୋକଙ୍କ ମନରେ ବିଶ୍ୱାସ ହେଉଛି। ପଞ୍ଚାୟତ ଓ ବ୍ଲକ ସ୍ତରରୁ ଆନ୍ଦୋଳନ ଆରମ୍ଭ କରିଛି ବିଜେପି। କିନ୍ତୁ ଏହା ଲୋକଙ୍କ ମନକୁ ଛୁଇଁପାରୁନାହିଁ କି କିଛି ପ୍ରଭାବ ପକାଇପାରୁନାହିଁ। ସରକାର ବିରୋଧୀ ଆନ୍ଦୋଳନର ନେତୃତ୍ୱ କିଏ ନେଉଛି ତାହା ଲୋକେ ପଚାରୁଛନ୍ତି। ଏଣୁ ଲଢୁଆ ନେତାଙ୍କୁ ବିଜେପିର ଚେହେରା କରାଗଲେ ଦଳ ଲୋକଙ୍କ ସମର୍ଥନ ହାସଲ କରିବ।

Get real time updates directly on you device, subscribe now.