fbpx

ସ୍ୱାସ୍ଥ୍ୟ ଲାଗି ବହୁତ ଜରୁରୀ କାର୍ବୋହାଇଡ୍ରେଟ୍ ଓ ଡାଏଟରୀ ଫ୍ୟାଟ୍ , କିନ୍ତୁ ମାତ୍ରା ଠିକ୍ ନ ରହିଲେ ଏହା ଆମ ଶରୀରରେ ବହୁ ରୋଗର କାରଣ ହୋଇପାରେ

Advertisement

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ଜୀବନଧାରଣ ପ୍ରଣାଳୀରେ ପରିବର୍ତ୍ତନ ଯୋଗୁ ଆଜିକାଲି ଲୋକମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ତେଣୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସମସ୍ତଙ୍କ ଲାଗି ପ୍ରାଥମିକ ଆବଶ୍ୟକତା ରହିଛି । ଏହି କ୍ରମରେ ହୁ ଅର୍ଥାତ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱବାସୀଙ୍କ ଲାଗି ଖାଦ୍ୟପଦାର୍ଥ ସମ୍ବନ୍ଧିତ ଗାଇଡଲାଇନ୍ ଜାରି କରିଛି ।

କାର୍ବୋହାଇଡ୍ରେଟ୍ ଓ ଡାଏଟରୀ ଫ୍ୟାଟ୍ ଆପଣଙ୍କ ସ୍ୱାସ୍ଥ୍ୟ ଲାଗି ବହୁତ ଜରୁରୀ । ଏହା ଶକ୍ତିର ମୁଖ୍ୟ ଉତ୍ସ । ଏହା ଆପଣଙ୍କ ମସ୍ତିଷ୍କ, ହୃଦୟ, କିଡନୀ ଏବଂ ସେଣ୍ଟ୍ରାଲ ନର୍ଭସ ସିଷ୍ଟମକୁ କାମ କରିବାରେ ସହାୟକ ହୋଇଥାଏ । ସେହିପରି ଫ୍ୟାଟସ୍ ମଧ୍ୟ ଆପଣଙ୍କ ଶରୀରକୁ ଶକ୍ତି ଦେବାରେ ଓ ଆପଣଙ୍କ ଶରୀରର କୋଷିକାକୁ ଠିକ୍ ଭାବରେ କାମ କରାଇବାରେ ସହାୟକ ହୋଇଥାଏ । ଏହା ଆପଣଙ୍କ ଶରୀରର ଅଙ୍ଗ ପ୍ରତ୍ୟେଙ୍ଗକୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ ଓ ଆପଣଙ୍କ ଶରୀରକୁ ଉଷ୍ମ ରଖିଥାଏ । କିନ୍ତୁ କାର୍ବୋହାଇଡ୍ରେଟ୍ ଓ ଡାଏଟରୀ ଫ୍ୟାଟ୍ ର ମାତ୍ରା ଠିକ୍ ନ ରହିଲେ ଏହା ଆମ ଶରୀରରେ ବହୁ ରୋଗର କାରଣ ହୋଇପାରେ । ଏଣୁ ଏହାର ସଠିକ୍ ମାତ୍ରା ସେବନ ଉପରେ ଧ୍ୟାନ ରଖିବା ଜରୁରୀ । ଏହି କ୍ରମରେ ଏବେ ହୁ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ବୋହାଇଡ୍ରେଟ୍ ଓ ଡାଏଟରୀ ଫ୍ୟାଟ୍ ର କେତେ ମାତ୍ରାରେ ନେବା ଉଚିତ ତାହାର ଏକ ଗାଇଡଲାଇନ୍ ଜାରି କରିଛି ।

ହୁ ଏକ ବୟାନ ଜାରି କରି କହିଛି ପିଲା ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି କାର୍ବୋହାଇଡ୍ରେଟ୍ ଓ ଡାଏଟରୀ ଫ୍ୟାଟ୍ ସେବନର ଏକ ସୀମା ରହିଛି । ଏହାକୁ ଲକ୍ଷ୍ୟ କରି ହୁ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଏହା ପଛରେ ଉଦ୍ଦେଶ୍ୟ ରହିଛି ଲୋକମାନଙ୍କ ମଧ୍ୟରେ ଓଜନ ବୃଦ୍ଧିକୁ ରୋକିବା, ଜୀବନଶୈଳୀ ଜନିତ ରୋଗ ଯେପରିକି ଡାଇବେଟିସ, ହୃଦରୋଗ ଓ କେତେକ ପ୍ରକାରର କ୍ୟାନସରକୁ ରୋକିବା ।
ହୁ କହିଛି ଉତ୍ତମ ସ୍ୱାସ୍ଥ୍ୟ ଲାଗି ମାତ୍ରା ଓ ଗୁଣବତ୍ତା ଉଭୟ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ । ବୟସ୍କମାନେ ନିଜ ଡାଏଟ୍ ରେ ମୋଟ ଫ୍ୟାଟର ସେବନ କ୍ୟାଲୋରୀ ଇନଟେକ୍ ଆଧାରରେ ୩୦ ପ୍ରତିଶତ କିମ୍ବା ଏହା ଠାରୁ କମ୍ ଗ୍ରହଣ କରିବା ଉଚିତ । ସେହିପରି ୨ ବର୍ଷର ଶିଶୁ କିମ୍ବା ତାହାଠାରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଫ୍ୟାଟ୍ ଆକାରରେ ଅଧିକ ଅସନ୍ତୁଳିତ ଚର୍ବି ଗ୍ରହଣ କରିବା ଉଚିତ । କାର୍ବୋହାଇଡ୍ରେଟ୍ ଲାଗି ବ୍ୟକ୍ତି ଗୋଟା ଶସ୍ୟ ଯେପରିକି ଗଜା ମୁଗ, ପନିପରିବା. ଫଳ ଓ ଡାଲି ଇତ୍ୟାଦି ଖାଇବାକୁ ହେବ । ସେହିପରି ସାଚୁରେଟେଡ ଫ୍ୟାଟ ବା ସନ୍ତୁଳିତ ଚର୍ବିଯୁକ୍ତ ଖାଦ୍ୟ ପାଇବା ଲାଗି ପାଇବା ଲାଗି ବ୍ୟକ୍ତି ତେଲ, ଲହୁଣୀ, ଘିଅ, ଚର୍ବିବାଲା ମାଛ, କ୍ଷୀର ଓ ଏଥିରୁ ତିଆରି ହେଉଥିବା ଉତ୍ପାଦ ଖାଇବା ଉଚିତ ।

ହୁ ଏହାର ଗାଇଡଲାଇନରେ ୨ ବର୍ଷର ଶିଶୁ ଓ ଏହାଠାରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କ ଲାଗି କାର୍ବୋହାଇଡ୍ରେଟ୍ ପାଇଁ ଗୋଟା ଶସ୍ୟ, ପନିପରିବା, ଫଳ, ଡାଲି ଇତ୍ୟାଦି ଖାଇବାକୁ ପରାମର୍ଶ ଦେଇଛି । ସେହିପରି ବୟସ୍କ ପ୍ରତିଦିନ ଅତି କମ୍ରେ ୪୦୦ ଗ୍ରାମ ପନିପରିବା, ଫଳ ଖାଇବା ଉଚିତ । ଏହା ସହିତ ପ୍ରାକୃତିକ ରୂପରେ ଡାଏଟରୀ ଫାଇବର ମିଳୁଥିବା ଖାଦ୍ୟ ପଦାର୍ଥ ଖାଇବା ଉଚିତ ବୋଲି ହୁ କହିଛି ।

Get real time updates directly on you device, subscribe now.