fbpx

କିଏ ହେବ ବିଜେପିର ବିଧାୟକ ଦଳ ନେତା, ହାଇକମାଣ୍ଡଙ୍କୁ ଗୁହାରି କରିବାକୁ ଦିଲ୍ଲୀରେ ଡେରା ପକାଇଲେ ନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଏ ହେବ ରାଜ୍ୟ ବିଜେପିର ବିରୋଧୀ ଦଳ ନେତା? ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ବିଧାନସଭାର ଶୀତ ଅଧିବେଶନକୁ ଇତିମଧ୍ୟରେ ୪ ଦିନ ବିତିଯାଇଥିଲେ ହେଁ ମମିତା ମେହେର ପ୍ରସଙ୍ଗ ପ୍ରତିବାଦ ସେତେଟା ପ୍ରଭାବଶାଳୀ ହୋଇପାରିନି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅସୁସ୍ଥ ଏବେ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ବିରୋଧୀ ଦଳ ନେତା ପରିବର୍ତ୍ତନ ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି ବାଚସ୍ପତିଙ୍କୁ ପତ୍ର ଲେଖିଥିଲେ । ତେବେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଏହା ଆସିନଥିବାରୁ ଏହାକୁ ବାଚସ୍ପତି ମନା କରିଦେଇଥିଲେ । ବିଜେପି ଏକ ରାଷ୍ଟ୍ରୀୟ ଦଳ ହୋଇଥିବାରୁ ଦଳର ସମସ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବ ବୋଲି ଜଣାପଡ଼ିଛି ।

ତେବେ ବର୍ତ୍ତମାନ ରାଜ୍ୟରେ ବିରୋଧୀ ଦଳ ନେତା ମୁକୁଟ ପିନ୍ଧିବା ନେଇ ଦୁଇଜଣଙ୍କ ନାମ ଅଧିକ ଚର୍ଚ୍ଚା ହେଉଛି । ବିଧାୟକ ଜୟନାରାୟଣ ମିଶ୍ର ଓ ମୋହନ ଚରଣ ମାଝିଙ୍କ ମଧ୍ୟରୁ ଜଣଙ୍କୁ ଏହି ପଦରେ ବସାଇବା ପାଇଁ ହାଇକମାଣ୍ଡଙ୍କୁ ଗୁହାରି କରିବାକୁ କିଛି ନେତା ଦିଲ୍ଲୀ ଗସ୍ତ କରିଛନ୍ତି । ବିଧାନସଭାର ବଜେଟ ଅଧିବେଶନ ପରେ ବିରୋଧୀ ଦଳ ନେତା ଶ୍ରୀ ନାଏକ କରୋନାରେ ଆକ୍ରାନ୍ତ ହୋଇ ଏବେ ବି ଚିକିତ୍ସିତ ହେଉଛନ୍ତି । ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳ ନୂଆ ବିରୋଧୀ ଦଳ ନେତାଙ୍କୁ ଚୟନ କରିବାକୁ ଦଳ ସ୍ଥିର କରିଛି । ତେବେ ନିକଟରେ ଘୋଷଣା ହୋଇଥିବା ବିଜେପିର କୋର କମିଟିରେ କିଛି ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଇଥିବା ବେଳେ ଏବେ ବିରୋଧୀ ଦଳ ନେତା ଚୟନକୁ ନେଇ ଦଳରେ କନ୍ଦଳ ଦେଖାଦେଇଥିବା ଚର୍ଚ୍ଚା ହେଉଛି । ମାତ୍ର ଏହି କଥାକୁ ଖଣ୍ଡନ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ।

Get real time updates directly on you device, subscribe now.