fbpx

ତିନି ସିଂହବାହିନୀଙ୍କ ଗର୍ଜନରେ କମ୍ପିବ ରାଜଧାନୀ: ଏଥର କାହା ହାତକୁ ଯିବ BMC ରିମୋଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ପଦବୀ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡିରୁ ସୁଲୋଚନା ଦାସ, ବିଜେପିରୁ ସୁନୀତି ମୁଣ୍ଡ୍, କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ମେୟର ସିଟ୍ ପାଇଁ ରଣାଙ୍ଗନକୁ ଓହ୍ଲାଇଛନ୍ତି । ପ୍ରଥମେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଓ ବିଜେଡି ଘଣ୍ଟା ଘଣ୍ଟା ଧରି ଗଣିତ କଷି କଷି ଶେଷରେ ଉପଯୁକ୍ତ ବ୍ୟାଟ୍ସମ୍ୟାନଙ୍କୁ ପଡ଼ିଆକୁ ଛାଡ଼ିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, କିଏ ହେବ ଭୁବନେଶ୍ୱରର ମହିଳା ମେୟର?

ଦେଖିବାକୁ ଗଲେ ତିନି ଜଣ ଯାକ ପ୍ରାର୍ଥୀ ହେଉଛନ୍ତି ଉଚ୍ଚଶିକ୍ଷିତା । ଯୋଗ୍ୟତା ଭିତ୍ତିରେ କିଏ କାହାଠାରୁ କମ୍ ନୁହନ୍ତି । ଯିଏ ବି ଜିତନ୍ତୁ, ରାଜଧାନୀବାସୀଙ୍କ ବିକାଶ ନିଶ୍ଚିତ ହେବ ବୋଲି କ୍ୟାପିଟାଲବାସୀ ଆଶା କରି ରହିଛନ୍ତି । ବିଜେଡି ପ୍ରାର୍ଥୀ ସୁଲୋଚନା ପୂର୍ବରୁ ସାମ୍ବାଦିକତା କରୁଥିବା ବେଳେ ରାଜନୀତି ସହିତ ସେ ପୂର୍ବରୁ ଜଡ଼ିତ ରହିଥିଲେ । ବିଜେପି ପ୍ରାର୍ଥୀ ସୁନୀତି ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରୁ ରାଜନୀତିକୁ ଡାଇରେକ୍ଟ ଜମ୍ପ ମାରିଛନ୍ତି । ମଧୁସ୍ମିତାଙ୍କ ସାଙ୍ଗଠନିକ ପରିଚାଳନା ସହ ରାଜନୈତିକ କାର୍ଯ୍ୟକ୍ରମ ଆଦି କ୍ଷେତ୍ରରେ ଅଭିଜ୍ଞତା ରହିଛି ।

ତେବେ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଧୂଳି ଚାଟିଥିବା ବେଳେ ପୌର ନିର୍ବାଚନରେ ତା’ର ପ୍ରଭାବ ପଡ଼ିବ ନାହିଁ ବୋଲି ବାହାସ୍ଫୋଟ ମାରିଛନ୍ତି । ଭୁବନେଶ୍ୱରରେ ବିଜେଡିର ୩ ଜଣ ବିଧାୟକ ଥିବାବେଳେ ଜଣେ ବିଧାୟକ ପୂର୍ବରୁ ମେୟର ଭାବେ କାର୍ଯ୍ୟ କରିଥିଲେ । ପୂର୍ବତନ ମେୟର ଅନନ୍ତ ନାରାୟଣ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପିକୁ ଜିତାଇବାକୁ ଦିନରାତି ଏକ କରିଦେଇଛନ୍ତି । ସେହିପରି ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୂ ମଧୁସ୍ମିତା ନିଜର ସମସ୍ତ ରାଜନୈତିକ କଳକୌଶଳକୁ ଚଳିତ ନିର୍ବାଚନରେ ପ୍ରୟୋଗ କରିବେ । ମୋଟାମୋଟି ଭାବେ କହିବାକୁ ତିନି ଦଳ ପାଇଁ ବିଏମସି କବଜା କରିବା ନିଶ୍ଚିତ ଭାବେ ଏକ ସମ୍ମାନର ପ୍ରଶ୍ନ । ତେଣୁ ଚଳିତ ମେୟର ଫାଇଟ୍ ନିଶ୍ଚିତ ଭାବେ ସଂଘର୍ଷପୂର୍ଣ୍ଣ ହେବ ।

Get real time updates directly on you device, subscribe now.