fbpx

ବିଜୁ ଜନତା ଦଳରେ ନବୀନ କାହାକୁ ଉତ୍ତରାଧିକାରୀ ବାଛିବେ: ଏହି ବଡ଼ ପ୍ରଶ୍ନର ଉତ୍ତର ଦେଲେ ପାଣ୍ଡିଆନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ । ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ସେନେଇ ଏବେଠାରୁ ରାଜ୍ୟର ରାଜନୈତିକ ମାହୋଲ ଚଳଚଞ୍ଚଳ ହୋଇ ଉଠିଛି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ନିର୍ବାଚନୀ ପ୍ରସ୍ତୁତିରେ ବ୍ୟସ୍ତ ରହିଥିବା ବେଳେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ତେବେ ଏଥର ନିର୍ବାଚନରେ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଏକାଠି ହୋଇ ଲଢ଼ିବେ କି ନା ସେନେଇ ଏବେ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କୁ ମାରୁଛି । ଗତ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାର ଚାଲିଥିଲା । ପରବର୍ତ୍ତୀ ସମୟରେ ଏହି ଦୁଇ ଦଳ ଅଲଗା ହୋଇଯାଇଥିଲେ । ତେବେ ନିକଟରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ବିଜେଡି ଏହି ନିଷ୍ପତ୍ତି ନେଇଥିବା କୁହାଯାଇଥିଲା । ତେଣୁ ଆଗକୁ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

ତେବେ ଏହା ମଧ୍ୟରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି । ଲୋକସଭା ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବା ଓ ଆସନ ବୁଝାମଣା ହେବା ନେଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆୟୋଜିତ କନକ୍ଲେଭ ଅବସରରେ ପାଣ୍ଡିଆନଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ପାଣ୍ଡିଆନ କହିଥିଲେ, ‘ରାଜନୈତିକ ରଣନୀତି ଏଭଳି ସାଧାରଣ ମଞ୍ଚରେ ଆଲୋଚନା କରାଯାଏ ନାହିଁ । କିଛି ପ୍ରସଙ୍ଗରେ ଉତ୍ତର ଜାଣିବା ପାଇଁ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ ।’ ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଗତ କିଛି ମାସ ଧରି ଚର୍ଚ୍ଚା ଜୋର ଧରିଥିଲା । ଏନେଇ ରାଜ୍ୟ ଶାଖାର ବିଜେପି ନେତାମାନେ ରୋକଠୋକ୍ ମନା କରିଦେଇଥିବା ବେଳେ ଅଶ୍ୱିନୀଙ୍କୁ ବିଜେଡିର ସମର୍ଥନ ଏହି ପ୍ରସଙ୍ଗକୁ ଅଧିକ ରୋଚକମୟ କରିଦେଇଥିଲା । ସେହିପରି ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ସେନେଇ ମଧ୍ୟ ପାଣ୍ଡିଆନ ମନ୍ତବ୍ୟ ରଖିଥିଲେ । ଓଡ଼ିଶାବାସୀ ତାଙ୍କର ଉତ୍ତରାଧିକାରୀ ବାଛିବେ । ଠିକଣା ସମୟରେ ରାଜ୍ୟବାସୀ ନବୀନଙ୍କ ଉତ୍ତରାଧିକାରୀ ଚୟନ କରିବେ ବୋଲି ପାଣ୍ଡିଆନ କହିଥିଲେ । ତେବେ ଉତ୍ତରାଧିକାରୀ ରେସରେ ପାଣ୍ଡିଆନ ଅଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା । ଏହାର ନିଷ୍ପତ୍ତି କେବଳ ନବୀନ ପଟ୍ଟନାୟକ ହିଁ ନେବେ ବୋଲି ପାଣ୍ଡିଆନ୍ କହିଥିଲେ ।

Get real time updates directly on you device, subscribe now.