fbpx

Team India ପାଇଁ କିଏ ଖେଳିବେ T20 Wc-2024? ଏପ୍ରିଲ ଶେଷରେ ଘୋଷଣା କରିବ ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ବ୍ୟସ୍ତ ରହିଛି ସାରା କ୍ରିକେଟ ଜଗତ । କିନ୍ତୁ ଆଇପିଏଲ ସରିବା ମାତ୍ରେ ଆରମ୍ଭ ହୋଇଯିବ ଟି-୨୦ ବିଶ୍ୱକପ-୨୦୨୪ । ଏଥିପାଇଁ ବିସିସିଆଇ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ଏଥିପାଇଁ ଖୁବଶୀଘ୍ର ଦଳ ଘୋଷଣା କରିପାରେ ଭାରତୀୟ କ୍ରିକେଟ ବୋର୍ଡ । ଆସନ୍ତା ମାସକ ମଧ୍ୟରେ ଭାରତର ଟି-୨୦ ବିଶ୍ୱକପ ଦଳ ଘୋଷଣା କରିବ ବୋଲି ସୂଚନା ମିଳିଛି । ତେବେ ଖେଳାଳିଙ୍କ ଚୟନ ପାଇଁ ଆଇପିଏଲ ପ୍ରଦର୍ଶନ ଉପରେ ରହିଛି ବିସିସିଆଇର ନଜର । ରୋହିତ, ହାର୍ଦ୍ଦିକ, ସୂର୍ଯ୍ୟକୁମାର, ଜାଡେଜା ଏବଂ ବୁମରାହଙ୍କ ସ୍ଥାନ ପକ୍କା ଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟରୁ ଅନ୍ୟ ଖେଳାଳିମାନଙ୍କୁ ଦଳରେ ସୁଯୋଗ ଦେବା ନେଇ ହେବ କଡ଼ା ଟକ୍କର ।

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିବାକୁ ଶେଷ ତାରିଖ ଧାର୍ଯ୍ୟ କରିଛି ଆଇସିସି । ଏହାପରେ ମେ’ ୨୫ ତାରିଖ ମଧ୍ୟରେ ଦଳ ନିଜ ସ୍କ୍ୱାଡରେ ପରିବର୍ତ୍ତନ କରିପାରିବେ । ତେଣୁ ଏପ୍ରିଲ ଶେଷ ସୁଦ୍ଧା ବିସିସିଆଇ ଭାରତୀୟ ଦଳ ଘୋଷଣା କରିବ ବୋଲି ସୂଚନା ମିଳିଛି । ତେବେ ଏପ୍ରିଲ ଶେଷ ସୁଦ୍ଧା ଆଇପିଏଲ ମଧ୍ୟ ଅଧାରୁ ଅଧିକ ମ୍ୟାଚ ଶେଷ ହୋଇ ସାରିଥିବ । ଆଇପିଏଲରେ ଖେଳାଳିମାନଙ୍କ ପ୍ରଦର୍ଶନ ସେମାନଙ୍କୁ ଦଳରେ ଚୟନ ପାଇଁ ସୁଯୋଗ ଦେଇପାରେ । ମେ ୧୯ ତାରିଖରେ ଆଇପିଏଲ ଫାଇନାଲ ଶେଷ ହେବା ପରେ ସମସ୍ତ ଖେଳାଳି ନ୍ୟୁୟର୍କ ଯାତ୍ରା କରିବେ । ଏହାସହିତ ଆଇପିଏଲର କ୍ୱାଲିଫାୟାରକୁ ଉନ୍ନୀତ ହୋଇ ନଥିବା ଦଳର ଖେଳାଳିମାନେ ମଧ୍ୟ ଏହି ଗସ୍ତରେ ଯିବେ ।

ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳରେ କିଛି ଖେଳାଳିଙ୍କ ଚୟନ ସୁନିଶ୍ଚିତ ବା ଦଳରେ ସ୍ଥାନ ପ୍ରାୟତଃ ସୁରକ୍ଷିତ ରହିଛି । ଅଧିନାୟକ ରୋହିତ ଶର୍ମାଙ୍କୁ ଦଳର ନେତୃତ୍ୱ ମିଳିଥିବା ବେଳେ ଉପ-ଅଧିନାୟକ ଭାବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ମିଳିପାରେ । ଏହାବ୍ୟତୀତ ଟି-୨୦ ଫର୍ମାଟର ସର୍ବଶ୍ରେଷ୍ଠ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଚୟନ ମଧ୍ୟ ସୁନିଶ୍ଚିତ । ସେହିପରି ବୋଲିଂ ବିଭାଗରେ ଜଶପ୍ରୀତ ବୁମରାହ ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଦଳରେ ପ୍ରମୁଖ ଭୂମିକା ରହିଥିବାରୁ ସେମାନଙ୍କୁ ଚୟନ କରାଯିବ । କିନ୍ତୁ କିଙ୍ଗ କୋହଲିଙ୍କ ଚୟନକୁ ନେଇ ଆଲୋଚନା ହେଉଥିବା ବେଳେ ରୋହିତ ବିରାଟଙ୍କୁ ଦଳରେ ସାମିଲ କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି ।

ଏହାବ୍ୟତୀତ ଟି-୨୦ ବିଶ୍ୱକପ ପାଇଁ ଷ୍ଟାର ୱିକେଟ କିପର ଋଷଭ ପନ୍ତ କମବ୍ୟାକ କରିପାରନ୍ତି । ଆଇପିଏଲରେ ଦମଦାର ପ୍ରଦର୍ଶନ କରୁଥିବା ବେଳେ ତାଙ୍କୁ ବିଶ୍ୱକପ ପାଇଁ ଟିମରେ ସାମିଲ କରାଯାଇପାରେ । ସେହିପରି ଶିବମ ଦୁବେ, ରିଙ୍କୁ ସିଂହ, ତିଲକ ବର୍ମା, ଇଶାନ କିଶାନ, କେ.ଏଲ ରାହୁଲ ଭଳି ଖେଳାଳିଙ୍କୁ ଚୟନ କରାଯାଇପାରେ । ବୋଲରଙ୍କ ତାଲିକାରେ ମହମ୍ମଦ ସିରାଜ, କୁଳଦୀପ ଯାଦବ, ଦୀପକ ଚହର, ଅର୍ଶଦୀପ ସିଂହଙ୍କ ସହ ଆକାଶ ଦୀପଙ୍କୁ ମଧ୍ୟ ଦଳରେ ସାମିଲ କରିପାରେ ଭାରତୀୟ କ୍ରିକେଟ ବୋର୍ଡ ।

Get real time updates directly on you device, subscribe now.