fbpx
BSKY
BJD SHG SKY
BJD YOUTH SKY

ଦିଗପହଣ୍ଡି ବିଧାନସଭା ଆସନରେ ହେବ ବଡ଼ ଲଢ଼େଇ: ବିପ୍ଲବ-ସିଦ୍ଧାନ୍ତ-ସୁଜିତଙ୍କ ମଧ୍ୟରୁ କାହାକୁ ବାଛିବେ ଜନତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ସାତ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିବା ପରେ ଟିକେଟ କଟିଥିବା କିଛି ନେତା ଦଳ ଛାଡ଼ି ନୂଆ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି । ସେହିପରି ଟିକେଟ ପାଇଥିବା ନେତାମାନେ ପ୍ରବଳ ଖରାକୁ ଖାତିର ନକରି ପ୍ରଚାରରେ ଲାଗିପଡ଼ିଛନ୍ତି । ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଚାରିଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ ।

ତେବେ ଏଥର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ଆସନରେ ଏକ ବଡ଼ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ଏହି ଆସନ ପାଇଁ ବିଜେଡି ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ସିନେ ତାରକା ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ସେହିପରି କିଛି ଓଲଟପାଲଟ କରିବା ଆଶାରେ କଂଗ୍ରେସ ସାକା ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି । ଏହି ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରୁ ଜନତା କାହାକୁ ବାଛିବେ ତା’ ଉପରେ ଏବେ ସଭିଙ୍କ ନଜର ।

ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ୭୫ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ୩୪ ହଜାରୁ ଅଧିକ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ୧୭ ହଜାରରୁ ଅଧିକ ଭୋଟ ପାଇଥିଲେ । ସେହିପରି ୨୦୧୪ରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ୭୮ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାର ୩୩ ହଜାରରୁ ଅଧିକ ଭୋଟ ଓ ବିଜେପି ପ୍ରାର୍ଥୀ ବିଜୟ କୁମାର ସ୍ୱାଇଁ ୭ ହଜାରରୁ ଅଧିକ ଭୋଟ ପାଇଥିଲେ । ୨୦୦୯ରେ ସୂର୍ଯ୍ୟ ୬୫ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭି. ରବି ନାରାୟଣ ରାଜୁ ୩୨ ହଜାରରୁ ଅଧିକ ଭୋଟ ଓ ବିଜେପି ପ୍ରାର୍ଥୀ ଶ୍ରୀଧର ଦେବ ୪ ହଜାରରୁ ଅଧିକ ଭୋଟ ପାଇଥିଲେ ।

ଗତ ୨୦୦୯ରୁ ସୂର୍ଯ୍ୟ ଏହି ଆସନରୁ କ୍ରମାଗତ ଭାବେ ଜିତି ଆସୁଥିବା ବେଳେ ତାଙ୍କର ପୁତ୍ର ବିପ୍ଲବଙ୍କର ରାଜନୈତିକ କ୍ଷେତ୍ରରେ ସେତେଟା ଅଭିଜ୍ଞତା ନାହିଁ । ବାପାଙ୍କର ଅନୁକମ୍ପାମୂଳକ ଭୋଟ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ଆଦର୍ଶକୁ ପାଥେୟ କରି ବିପ୍ଲବ ଏଥର ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେହିପରି ୨୦୧୪ ଓ ୨୦୦୯ ବ୍ରହ୍ମପୁର ଲୋକସଭା ନିର୍ବାଚନରେ ସିଦ୍ଧାନ୍ତ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଦିଗପହଣ୍ଡିରୁ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି । ବ୍ରହ୍ମପୁର ମାଟିର ପୁଅ ହୋଇଥିବାରୁ ଜନତାଙ୍କ ମନ ଜିଣିବା ଲକ୍ଷ୍ୟରେ ରହିଛନ୍ତି ସିଦ୍ଧାନ୍ତ । ପୂର୍ବରୁ ସିଦ୍ଧାନ୍ତ ବିଜେଡି ଟିକେଟରେ ଲଢ଼ି ବିଜୟୀ ହୋଇଥିବା ବେଳେ ଏଥର ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସୁଜିତଙ୍କର ରାଜନୈତିକ କ୍ଷେତ୍ରରେ ବହୁ ଅଭିଜ୍ଞତା ରହିଥିବାରୁ ସେ ବିଜୟୀ ହେବା ଲକ୍ଷ୍ୟରେ ରହିଛନ୍ତି ।

Get real time updates directly on you device, subscribe now.