fbpx
BJD
BJD SKY
BJD SKY

ବିଷ୍ଣୁଦେଓ ସାଏଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ଭାବେ ବାଛିଲା ବିଜେପି: ଏହା ପଛରେ ରହିଛି ୬ଟି ବଡ଼ କାରଣ

BJD

ନୂଆଦିଲ୍ଲୀ: ୭ ଦିନ ଧରି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ନେଇ ଲାଗି ରହିଥିବା ସସପେନ୍ସରେ ଏକପ୍ରକାର ବିରାମ ଲାଗିଛି । ଶେଷରେ ଛତିଶଗଡ଼ ପାଇଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି ବିଜେପି ହାଇକମାଣ୍ଡ । ଆଗକୁ ମଧ୍ୟପ୍ରଦେଶ ଓ ରାଜସ୍ଥାନର ମୁଖିଆଙ୍କ ନାମ ମଧ୍ୟ ଘୋଷଣା କରାଯିବ । ଚଳିତ ନିର୍ବାଚନରେ କୁଙ୍କୁରୀ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଷ୍ଣୁଦେବଙ୍କ ନାମରେ ଶେଷରେ ମୋହର ମାରିଛି ବିଜେପି ।

ତେବେ ଏଥର ରାଜ୍ୟରେ ଜଣେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇପାରେ ବୋଲି ଅନୁମାନ କରାଯାଉଥିଲା । ବିଜେପିର ଅତୀତର ରାଜନୈତିକ ଇତିହାସରୁ ଏହା ସ୍ପଷ୍ଟ ହେଉଛି । ୨୦୧୭ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ବିଜେପି ୯ ଦିନରୁ ଅଧିକ ସମୟ ନେଇଥିବା ବେଳେ ଶେଷରେ ଯୋଗୀ ଆଦିତ୍ୟନାଥଙ୍କ ନାମରେ ମୋହର ବାଜିଥିଲା । ତେବେ ମୁଖ୍ୟମନ୍ତ୍ରୀ ପାଇଁ ଅନେକ ଦାବିଦାର ରହିଥିବା ବେଳେ ବିଷ୍ଣୁଦେଓଙ୍କ ନାମ ଘୋଷଣା ପଛରେ କିଛି କାରଣ ଥାଇପାରେ ।

୧- ଆଗକୁ ୨୦୨୪ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦଳ ଦେଖିଚାହିଁ ରଣନୀତି ପ୍ରସ୍ତୁତ କରୁଛି । ପୁଣି ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ନିର୍ବାଚନରେ ବିଜେପି ଠାରୁ କଂଗ୍ରେସ ୧୦ ଲକ୍ଷରୁ ଅଧିକ ଭୋଟ ପାଇଥିବା ନିର୍ବାଚନ କମିଶନ ରିପୋର୍ଟ ଦେଇଛନ୍ତି । ଏହା ଦଳର ଚିନ୍ତା ବଢ଼ାଇ ଦେଇଛି ।

୨- ବିଷ୍ଣୁଦେଓଙ୍କ ପାଇଁ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୁଙ୍କୁରୀରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ସେହି ପରିପ୍ରେକ୍ଷୀରେ ଶାହ କହିଥିଲେ ‘ଆପଣମାନେ ବିଷ୍ଣୁଦେଓଙ୍କୁ ବିଧାୟକ ଭାବେ ନିର୍ବାଚିତ କରନ୍ତୁ, ମୁଁ ତାଙ୍କୁ ବଡ଼ ପଦରେ ବସାଇଦେବି ।’ ତେଣୁ ବିଷ୍ଣୁଦେଓଙ୍କୁ ନେଇ ବିଜେପି ପୂର୍ବରୁ ଗୁପ୍ତ ରଣନୀତି ପ୍ରସ୍ତୁତ ରହିଥିବା ସ୍ପଷ୍ଟ ହେଉଛି ।

୩- ଗତ ୨୦୧୮ ବିଧାନସଭା ନିର୍ବାଚନରେ ଦଳ ଏହି ୩ଟି ରାଜ୍ୟରେ ପରାସ୍ତ ହୋଇଥିଲେ ହେଁ ଲୋକସଭାରେ କମାଲ୍ କରିଥିଲା । ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ରହିଥିବା ମୋଟ ୬୫ଟି ଆସନରୁ ବିଜେପି ୬୧ଟିରେ ଜିତିଥିଲା । ତେଣୁ ପୁରୁଣା ପ୍ରଦର୍ଶନ ବଜାୟ ରଖିବାକୁ ବିଜେପି ନୂଆ ରଣନୀତି ଆପଣାଇପାରେ ।

୪- ବିଷ୍ଣୁଦେଓ ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ରାଜ୍ୟର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିବା ବେଳେ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏଥିସହିତ ସେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ବିଷ୍ଣୁଦେଓଙ୍କ ପରି ଜଣେ ସରଳ, ନମ୍ର ସ୍ୱଭାବର ନେତାଙ୍କୁ କେହି ବିରୋଧ କରିନଥିଲେ । ତେଣୁ ତାଙ୍କର ନାମ ଘୋଷଣା କରି ଦଳ ସମସ୍ତଙ୍କୁ ସନ୍ତୁଷ୍ଟ କରିଥିବା ବେଳେ ଦଳକୁ ଆଗକୁ ନେବାରେ ସେ ସହାୟକ ହୋଇପାରିବେ ବୋଲି ହାଇକମାଣ୍ଡଙ୍କ ହୃଦବୋଧ ହୋଇଛି ।

୫- ଛତିଶଗଡ଼ରେ ଆଦିବାସୀ ସମ୍ପ୍ରଦାୟଙ୍କ ଜନସଂଖ୍ୟା ସର୍ବାଧିକ ରହିଥିବା ବେଳେ ଅଜିତ ଯୋଗୀଙ୍କ ପରେ ଏହି ସମ୍ପ୍ରଦାୟର ଦ୍ୱିତୀୟ ବ୍ୟକ୍ତି ଭାବେ ବିଷ୍ଣୁଦେଓ ମୁଖ୍ୟମନ୍ତ୍ରୀ ହେବେ । ଏହା ମାଧ୍ୟମରେ ବିଜେପି ସାରା ଦେଶବାସୀଙ୍କୁ ଏକ ନୂଆ ବାର୍ତ୍ତା ପ୍ରଦାନ କରିଛି । ଛତିଶଗଡ଼ରେ ମୋଟ ୧୧ଟି ଲୋକସଭା ଆସନ ରହିଥିବା ବେଳେ ୨୦୧୯ରେ ବିଜେପି ୯ଟିରେ ଜିତିଥିଲା । ତେଣୁ ବିଷ୍ଣୁଦେଓଙ୍କ ନେତୃତ୍ୱରେ ଦଳ ଏଥର କ୍ୱିନ୍ ସୁଇପ୍ କରିବା ଲକ୍ଷ୍ୟ ରଖିଥାଇପାରେ ।

୬- ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଛତିଶଗଡ଼ର ୧୧ଟି ଆସନ ମଧ୍ୟରୁ ୪ଟି ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ ଆଦିବାସୀ ଭୋଟ ବ୍ୟାଙ୍କକୁ ଦୃଷ୍ଟିରେ ରଖି ଦଳ ଏହି ଗୋଟି ଚାଳନା କରିଥିବା କୁହାଯାଉଛି । ଜଣେ ଆଦିବାସୀ ଚେହେରାକୁ ଆଗରେ ରଖିଲେ ଦଳକୁ କେବଳ ଛତିଶଗଡ଼ ନୁହେଁ, ଝାଡ଼ଖଣ୍ଡ ଓ ବିଭିନ୍ନ ରାଜ୍ୟର କିଛି ଅଂଶରେ ଫାଇଦା ମିଳିପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.