fbpx

(Video) ବର୍ଷାଙ୍କୁ କାହିଁକି ଟିକେଟ ଦେଲା BJD? ବଡ଼ଚଣା ପାଇଁ ‘ସୁପ୍ରିମୋ’ଙ୍କ ମାଷ୍ଟରପ୍ଲାନ: ଜାଣନ୍ତୁ ୭ଟି ପ୍ରମୁଖ କାରଣ

ଓଡ଼ିଶା ଭାସ୍କର: ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୯ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଘୋଷଣା ପରେ ଏହି ତାଲିକାକକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ଏହି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିରୋଧୀଙ୍କୁ ଏକାଧିକ ଝଟକା ଦେଇଛି ବିଜେଡି । ତେବେ ୨ ଦିନ ତଳେ ବିଜେଡିରେ ସାମିଲ ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଯାଜପୁର ଜିଲ୍ଲା ବଡଚଣାରୁ ବିଧାୟିକା ପ୍ରାର୍ଥୀ କରି ସବୁଠାରୁ ବଡ ସରପ୍ରାଇଜ୍ ଦେଇଛନ୍ତି ନବୀନ । ବଡଚଣା ବିଧାୟକ ଥିବା ଅମର ଶତପଥୀଙ୍କ ଭଳି ବରିଷ୍ଠ ବିଜେଡି ନେତା ଏବଂ ଆହୁରି ଅନେକ ଆଶାୟୀ ପ୍ରାର୍ଥୀଙ୍କୁ ପଛରେ ପକାଇ ନବାଗତା ବର୍ଷାଙ୍କୁ ଏଠାରୁ ଦଳ ପ୍ରାର୍ଥୀ କରିଛି ଶାସକ ଦଳ । ଏହି ନିଷ୍ପତ୍ତିେରେ ବିରୋଧୀଙ୍କ ସହ ଦଳୀୟ ନେତା ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ବଡଚଣାରୁ ବିଜେଡି କାହିଁକି ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପଛରେ ୭ଟି କାରଣ ଥାଇପାରେ । ଆସନ୍ତୁ ନଜର ପକାଇବା ଏହାର ୭ଟି ସମ୍ଭାବ୍ୟ କାରଣ ଉପରେ ।

  • ବଡଚଣାର ବର୍ତ୍ତମାନର ବିଧାୟକ ଅମର ଶତପଥୀ ୨୦୧୯ ରେ ମାତ୍ର ୧,୪୮୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେଣୁ ସ୍ୱାଭାବିକ ଭାବେ ଏତେ କମ୍ ମାର୍ଜିନରେ ଜିତିଥିବା ଅମରଙ୍କ ବଦଳରେ ବଡଚଣା ଆସନରୁ ଏଥର ନୂଆ ମୁହଁ ଚାହୁଁଥିଲା ବିଜେଡି ।
  • ଜନ୍ମେଜୟ ଲେଙ୍କା ମଧ୍ୟ ଏଥର ବଡଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଦୃଢ ଦାବିଦାର ଥିଲେ । କାରଣ ଜନ୍ମେଜୟ ୨୦୦୯ରେ ବଡଚଣାରୁ ସ୍ୱାଧୀନ ପ୍ରାର୍ଥୀ ଏବଂ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢି କଡା ଟକ୍କର ଦେଇଥିଲେ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଜନ୍ମେଜୟ ଲେଙ୍କା ବିଜେଡିରେ ମିଶିଥିଲେ । ଆଉ ଦଳ ତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହ ସେ ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ଥିଲେ ।
  • ବଡଚଣାର ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କର ମଧ୍ୟ ଏହି ଅଞ୍ଚଳରେ ଭୋଟ୍ ବ୍ୟାଙ୍କ ରହିଛି । ତାଙ୍କ ପୁଅ କ୍ୟାପଟେନ୍ ରାଜ୍ ନାରାୟଣ ମହାପାତ୍ର ଏଇ ନିକଟରେ ବିଜେଡିରେ ମିଶିଛନ୍ତି । ସେ ମଧ୍ୟ ବଡଚଣାରୁ ଟିକେଟ୍ ପାଇଁ ଆଶାୟୀ ଥିବା କୁହାଯାଉଛି ।
  • ଏଥର ବିଜେଡିରୁ ବିଧାୟକ ଅମର ଶତପଥୀଙ୍କ ସମେତ ଜନ୍ମେଜୟ ଲେଙ୍କା ଏବଂ ରାଜ୍ ନାରାୟଣ ମହାପାତ୍ର, ମୋଟ ୩ ଜଣ ବଡଚଣା ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଦୃଢ ଦାବିଦାର ଥିଲେ । ଏହା ଭିତରେ ବଡଚଣାର ବିଜେପି ନେତା ଅମର ନାୟକ ଏଠାରେ ବିଜେଡିର ବିଜୟ ରାସ୍ତାରେ ବଡ ପ୍ରତିବନ୍ଧକ । କାରଣ ୨୦୧୯ରେ ବଡଚଣାରୁ ବିଜେପି ପ୍ରାର୍ଥୀ ଅମର ନାୟକ ବିଜେଡି ପ୍ରାର୍ଥୀ ଅମର ଶତପଥୀଙ୍କ ଠାରୁ ହାରିଥିଲେ ବି ଭୋଟ୍ ବ୍ୟବଧାନ ୧,୫୦୦ ରୁ ବି କମ୍ ଥିଲା ।
  • ବଡଚଣାରେ ୩ ଜଣ ଆଶାୟୀ ପ୍ରାର୍ଥୀ ବା ଟିକେଟ୍ ଦାବିଦାରଙ୍କୁ ନେଇ ବିଜେଡି ସମସ୍ୟାରେ ପଡିଥିଲା ବୋଲି କୁହାଯାଉଛି । କାରଣ ଏମାନଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କଲେ ଅନ୍ୟ ଆଶାୟୀଙ୍କ ଅସନ୍ତୋଷର ସାମ୍ନା କରିବାର ଆଶଙ୍କା ରହିଥିଲା ! ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
  • ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡଚଣାରେ ବୁଝାମଣା ଭିତ୍ତିରେ ବିଜେଡି ପ୍ରାର୍ଥୀ କରିଥାଇପାରେ ବୋଲି କୁହାଯାଉଛି । କାରଣ ଗତ ଥର ଏଠାରୁ ମାତ୍ର ଅଳ୍ପକେ ପରାଜିତ ହୋଇଥିବା ବିଜେପିକୁ ଚେକ୍ ଦେବା ପାଇଁ ବର୍ଷାଙ୍କ ଭଳି ସେଲିବ୍ରିଟିଙ୍କୁ ପ୍ରାର୍ଥୀ କରି ଅନ୍ୟ ତିନି ଆଶାୟୀଙ୍କୁ ବୁଝାଇଦେବା ଦଳ ପାଇଁ ସହଜ ହୋଇଥିବ ।
  • ଯାଜପୁର ଜିଲ୍ଲାରେ ବିଜେଡି ବେଶ୍ ମଜବୁତ ସ୍ଥିତିରେ ଥିଲାବେଳେ ବଡଚଣା ହେଉଛି ଦଳ ପାଇଁ ସବୁଠାରୁ ଦୁର୍ବଳ ଆସନ ! ତେଣୁ ଏହି ଆସନରେ ତିନିଜଣ ଆଶାୟୀ ବିଧାୟକ ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ ନକରିବା ପାଇଁ ବୁଝାମଣା ଭିତ୍ତିରେ ବର୍ଷାଙ୍କୁ ପ୍ରାର୍ଥୀ କରିବା ଦ୍ୱାରା ବିଜେଡି ଏକପ୍ରକାର ଜୁଆ ଖେଳିଛି କହିଲେ ଭୁଲ ହେବନାହିଁ ।

Get real time updates directly on you device, subscribe now.