fbpx
BJD
BJD SKY
BJD SKY

ଭଣଜା ଆକାଶ ଆନନ୍ଦଙ୍କୁ କାହିଁକି ଦଳରୁ ହଟାଇଲେ ମାୟାବତୀ ? ଏହା ପଛରେ ରହିଛି ୩ଟି ବଡ଼ କାରଣ

ଲକ୍ଷ୍ନୌ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପରେ BSP ପ୍ରମୁଖ ମାୟାବତୀଙ୍କ ନିଷ୍ପତ୍ତି ରାଜନୈତିକ ମାହୋଲରେ ହଲଚଲ ସୃଷ୍ଟି କରିଛି । ମଙ୍ଗଳବାର BSP ପ୍ରମୁଖ ମାୟାବତୀ ତାଙ୍କ ଭଣଜା ଆକାଶ ଆନନ୍ଦଙ୍କୁ ଦଳରୁ ହଟାଇଥିଲେ । ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଥିଲେ, ‘ଆକାଶଙ୍କ ମଧ୍ୟରେ ପରିପକ୍ୱତା ଆସି ନାହିଁ । ତେଣୁ ତାଙ୍କୁ ରାଜନୀତି ଠାରୁ ଦୂରେଇ ରଖାଯାଉଛି ।’ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆକାଶ ପରିପକ୍ୱ ନାହାଁନ୍ତି ନା ମାୟାବତୀ ତାଙ୍କୁ ନେଇ ନିଶ୍ଚିତ ନୁହଁନ୍ତି । ଏଭଳି କିଛି ପ୍ରଶ୍ନର ଉତ୍ତର ରାଜନୈତିକ ପଣ୍ଡିତମାନେ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ଥାଇପାରେ ୩ଟି ପ୍ରମୁଖ କାରଣ ।

୧. ପରିବାରବାଦ ଅଭିଯୋଗରୁ ବର୍ତ୍ତିବା ପାଇଁ: ଅନେକ ସମୟରେ BSP ବିରୋଧୀଙ୍କ ଉପରେ ପରିବାରବାଦଙ୍କୁ ନେଇ ଟାର୍ଗେଟ କରିଥାନ୍ତି । ତେଣୁ ଦଳରେ ପରିବାରବାଦ ନ ଆଣିବା ପାଇଁ ଏବଂ ବିପକ୍ଷଙ୍କ ଟାର୍ଗେଟରୁ ବର୍ତ୍ତିବା ପାଇଁ ମାୟାବତୀ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଦଳର ବରିଷ୍ଠ ସଦସ୍ୟ ଅନୁମାନ କରୁଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା BSP ସୁପ୍ରିମୋ ଏହି ବାର୍ତ୍ତା ଦେବାକୁ ଚାହାଁନ୍ତି ଯେ ଦଳ କାଂଶୀରାମ ଏବଂ ଆମ୍ବେଦକରଙ୍କ ନୀତି ଓ ଆଦର୍ଶରେ ଚାଲିଆସୁଛି ନା କି ପରିବାରବାଦକୁ ପ୍ରୋତ୍ସାହିତ କରୁଛି ।

୨. ବିରୋଧୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ: BSP ର ପୂର୍ବତନ ସଂଯୋଜକ ଥିବା ଗଙ୍ଗାରାମ ଆମ୍ବେଦକର(ବର୍ତ୍ତମାନ ବିଜେପିରେ ଅଛନ୍ତି) କହିଛନ୍ତି ଦଳର ଚାପରେ ମାୟାବତୀ ଏଭଳି ନିଷ୍ପତ୍ତି ନେଇପାରନ୍ତି । ପୂର୍ବରୁ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ବିଦେଶୀ ହେବା ନେଇ ଅପତ୍ତିଜନକ ଟିପ୍ପଣୀ ଦେଇଥିବାରୁ ମାୟାବତୀ ଜୟପ୍ରକାଶଙ୍କୁ ଦଳରୁ ବିଦା କରିଥିଲେ । ଏହା ପରେ ଭଣଜା ଆକାଶ ବାରମ୍ବାର ବିଜେପି ସରକାରଙ୍କ ବିରୋଧରେ ଅପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏନେଇ BSP ଉପରେ ଅନେକ ପ୍ରଶ୍ନ ଉଠିଥିଲା । ଏହି ସବୁ ଅଭିଯୋଗରୁ ବର୍ତ୍ତିବା ପାଇଁ ମାୟାବତୀ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

୩. ମାୟାବତୀଙ୍କ ଛବି ଉପରେ ଆଞ୍ଚ୍‌: ମାୟାବତୀ ସବୁବେଳେ ସତ୍ତା(ଗାଦି)ର ଚାବି ନିଜ ନିୟନ୍ତ୍ରଣରେ ରଖିବା ନେଇ ମିଡିଆ ସାମ୍ନାରେ ପ୍ରକାଶ କରିଆସିଛନ୍ତି । କିନ୍ତୁ ଆକାଶ କ୍ରମାଗତ ଭାବେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ସ୍ତରର ଟିଭି ଚ୍ୟାନେଲରେ ସାକ୍ଷାତକାର ଦେଇଆସିଥିଲେ । ଯାହା ତାଙ୍କ ଛବିକୁ ଆହୁରୀ ପ୍ରସ୍ଫୁଟିତ କରୁଥିଲା । ଏନେଇ BSP ପ୍ରମୁଖ ଅସନ୍ତୁଷ୍ଟ ଥିଲେ । ଆକାଶକୁ ଦିନକୁ ଦିନ ଆଗକୁ ବଢ଼ୁଥିବାର ଦେଖି ତଥା ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ BSP କୁ ସତ୍ତା ହରାଇବାର ଭୟ ଘାରିଥିଲା । ଆକାଶଙ୍କ ପ୍ରଭାବ ଦଳର ଯୁବ ବର୍ଗଙ୍କ ଉପରେ ପଡ଼ିବା ଏକ ପ୍ରକାର ନିଶ୍ଚିତ । ଏହା ବ୍ୟତୀତ ଆକାଶ ଦଳର ସର୍ବେସର୍ବା ପାଲଟିଥିବା ଚର୍ଚ୍ଚା ହେଉଥିଲା । ଯାହା ମାୟାବତିଙ୍କ ଛବି ଉପରେ ଆଞ୍ଚ୍ ଆଣିପାରେ । ତେଣୁ ଏଭଳି ଆଶଙ୍କା ଉପରେ ପୂର୍ଣ୍ଣଛେଦ ପକାଇବା ପାଇଁ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.