fbpx

୨୦୧୯ରେ ଭାଉ ଦେଖାଉଥିଲେ ଆଉ ଏବେ ମାନିଗଲେ, ଶେଷରେ ଗୋଟିଏ ମନ୍ତ୍ରୀ ପଦରେ କେମିତି ମାନିଗଲେ ନୀତୀଶ କୁମାର ?

ନୂଆଦିଲ୍ଲୀ(ଓଡିଶା ଭାସ୍କର) : କ୍ୟାବିନେଟ୍ ଅଦଳବଦଳକୁ ନେଇ ଜାରି କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କ୍ୟାବିନେଟରେ ଜନତା ଦଳ ୟୁନାଇଟେଡ୍(ଜେଡିୟୁ)ର ଏଣ୍ଟ୍ରି ହୋଇଛି। ମନ୍ତ୍ରିମଣ୍ଡଳ ବିସ୍ତାରରେ ଏନଡିଏର ସହଯୋଗୀ ଦଳ ଜେଡିୟୁର ଏକ ମାତ୍ର ନେତା ରାମଚନ୍ଦ୍ର ପ୍ରସାଦ ସିଂହ ଅର୍ଥାତ ଆରସିପି ସିଂହଙ୍କୁ ସ୍ଥାନ ମିଳିଛି। ଦିନ ଥିଲା ଜେଡିୟୁ କୋଟାରୁ ତିନି-ଚାରି ମନ୍ତ୍ରୀ ପଦ ଦାବି କରୁଥିବା ନୀତୀଶ କୁମାରଙ୍କୁ ଏଥର ଗୋଟିଏ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି। ଏବେ ପ୍ରଶ୍ନ ଉଠୁଛି ଯେ, ୨୦୧୯ରେ ଗୋଟିଏ ପଦ ପାଇଁ ମନା କରୁଥିବା ନୀତୀଶ କୁମାର କେମିତି ଏଥର ଗୋଟିଏ ପଦ ସ୍ଵୀକାର  କଲେ।

ଏହା ପଛର କାରଣ ଗତ ଦୁଇ ବର୍ଷରେ ଘଟିଥିବା ରାଜନୈତିକ ଘଟଣାକ୍ରମ। ଏହି କାରଣରୁ ନୀତୀଶ କୁମାରଙ୍କୁ କେନ୍ଦ୍ରରେ ଗୋଟିଏ ମାତ୍ର ମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି। ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୯ରେ ବିଜେପି ପକ୍ଷରୁ ଦିଆଯାଇଥିବା କ୍ୟାବିନେଟରେ ଗୋଟିଏ ମନ୍ତ୍ରୀ ପଦକୁ ଅସ୍ଵୀକାର କରିଥିଲ। ସେହି ସମୟରେ ନୀତୀଶ କୁମାର ଚାରି ମନ୍ତ୍ରୀ ପଦ ଦାବି କରିଥିଲେ। ଯେବେ ମୋଦୀ ତାଙ୍କ ଦାବି ପ୍ରତି ଅଣଦେଖା କଲେ, ଜେଡିୟୁ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ସ୍ପଷ୍ଟ ଭାବେ ମନା କରି ଦେଇଥିଲା। ମାତ୍ର ବାସ୍ତବ ଏହା ଯେ, ଦୁଇ ବର୍ଷ ପରେ ଯେବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଲା, ଜେଡିୟୁ କୋଟାରୁ ମାତ୍ର ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି।

ଏହା ବୁଝିବାକୁ ପଡିବ ଯେ, ୨୦୧୯ର ନୀତୀଶ କୁମାର ଏବଂ ବର୍ତ୍ତମାନର ନୀତୀଶ କୁମାର ମଧ୍ୟରେ ବହୁତ ଫରକ ରହିଛି। ୨୦୧୯ରେ ନୀତୀଶ କୁମାର ବହୁତ ମଜବୁତ ସ୍ଥିତିରେ ଥିଲେ। ସେତେବେଳେ ସେ ଫ୍ରଣ୍ଟଫୁଟରେ ଖେଳୁଥିଲେ, କାରଣ ତାଙ୍କ ପାଖରେ ବିଜେପି ତୂଳନାରେ ବିଧାୟକ ସଂଖ୍ୟା ଅଧିକ ଥିଲା। ମାତ୍ର ଆଜି ତାଙ୍କ କଡା ଆଭିମୁଖ୍ୟ ଗାଏବ ହୋଇ ଯାଇଛି। ଏହାର କାରଣ ୨୦୨୦ ବିହାର ବିଧାନସଭାର ଫଳାଫଳ। ବିହାର ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ଜେଡିୟୁ ଏନଡିଏ ମେଣ୍ଟରେ ବଡ ଭାଇ ଭୂମିକାରେ ଥିଲା। ମାତ୍ର ନିର୍ବାଚନ ପରିଣାମ ଆସିବା ପରେ ବିଜେପି ବଡ ଭାଇ ଭୂମିକାରେ ଅବତୀର୍ଣ୍ଣ ହୋଇଛି।

୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁ ମାତ୍ର ୪୩ ଆସନ ଜିତିବାରେ ସଫଳ ହୋଇଥିବା ବେଳେ ବିଜେପି ୭୩ ଆସନରେ ଜିତି  ଜେଡିୟୁଠୁ ବହୁ ଆଗକୁ ଚାଲି ଯାଇଛି। ରାଜ୍ୟରେ ସବୁଠୁ ବଡ ଦଳ ଭାବେ ଉଭା ହୋଇଛି ବିଜେପି। ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନୀତୀଶ କୁମାରଙ୍କ ଆଭିମୁଖ୍ୟ ଭିନ୍ନ ପ୍ରକାରର ଥିଲା। ସେ ଅଧିକ ଭାଉ ଦେଖାଉଥିଲେ। ତେଣୁ ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପିକୁ ଅଧିକ ସିଟ୍ ଦେବାକୁ ମନା କରିଥିଲେ। ଫଳରେ ଉଭୟ ଦଳ ୪୦ ଆସନରୁ ୧୭ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବାକୁ ରାଜି ହୋଇଥିଲେ। ବାକି ୬ ସିଟ୍ ଏଲଜେପି ଖାତାକୁ ଯାଇଥିଲା। ଏହି ନିର୍ବାଚନରେ ଜେଡିୟୁ ବିଜେପିଠୁ ଗୋଟିଏ ସିଟ୍ କମ ଜିତିଥିଲା। ଏହା ପରଠୁ ବିଜେପି ସାମ୍ନାରେ ନୀତୀଶ କୁମାରଙ୍କ ରାଜନୈତିକ ଧମକ କମିବାରେ ଲାଗିଲା। ଲୋକସଭା ସହ ବିଧାନସଭା ନିର୍ବାଚନରେ ବିଜେପିର ପତିଆରା ବଢିବାରୋ ଲାଗିଲା ଏବଂ ଜେଡିୟୁର ପ୍ରଭାବ କମିବାରେ ଲାଗିଲା।

ଯେବେ ବୁଧବାର କେନ୍ଦ୍ରୀୟ କ୍ୟାବିନେଟକୁ ନେଇ ସାମ୍ବାଦିକ ପ୍ରଶ୍ନ କଲେ , ନୀତୀଶଙ୍କ ମୁହଁରେ ଆଉ ପୁରୁଣା ଆବଭାବ ନଥିଲା। ଏହାର କାରଣ ୨୦୨୦ ବିଧାନସଭା ନିର୍ବାଚନରେ କମ୍ ସିଟ୍ ଜିତିଥିଲେ ମଧ୍ୟ ବିଜେପି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ତେଣୁ ନୀତୀଶ ଏବେ ବିଜେପି ପ୍ରତି କଡା ଆଭିମୁଖ୍ୟ ଦେଖାଇବାକୁ ଚାହୁଁ ନାହାନ୍ତି। ଯାହା ମିଳିଛି ତାକୁ ସେ ଏବେ ସାଦର ସହ ଗ୍ରହଣ କରି ନେଇଛନ୍ତି।

Get real time updates directly on you device, subscribe now.