fbpx

‘ସାରା ରାତି ଝିଅମାନେ କାହିଁକି ଥିଲେ ବିଚ୍ ରେ’- ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ହଙ୍ଗାମା

ଗୋଆ: ନିକଟରେ ଦୁଇ ନାବାଳିକାଙ୍କ ସହିତ ଗୋଆରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ବୟାନକୁ ନେଇ ହଙ୍ଗାମା ହେବାରେ ଲାଗିଛି । ସେ ବିଧାନସଭାରେ କହିଛନ୍ତି ଯେ, ବାପା-ମାଆ ଜାଣିବା ଦରକାର ଯେ, ସେମାନଙ୍କ ପିଲା ମାନେ ଏତେ ରାତି ଯାଏ ବିଚ୍ ରେ କାହିଁକି ଥିଲେ । ତାଙ୍କର ଏହି ବୟାନକୁ ନେଇ ଏବେ ବିପକ୍ଷ ମାନେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ସାୱନ୍ତ ବୁଧବାର ଦିନ ସଂସଦରେ ଆଲୋଚନା ହେଉଥିବା ସମୟରେ କହିଥିଲେ ଯେ, “ଯେତେବେଳେ ଜଣେ ୧୪ ବର୍ଷର ଝିଅ ପୂରା ରାତି ସମୁଦ୍ର ତଟରେ ରହୁଛନ୍ତି ତେବେ ବାପା-ମାଆ ସେ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ଆବଶ୍ୟକ” । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନଙ୍କ ଉପରେ ବାପା-ମାଆ ମାନେ ଖାସ୍ ନଜର ରଖିବା ଦରକାର । ଖାସ୍ କରି ନାବାଳିକା ମାନଙ୍କୁ ରାତି ସାରା ବାହାରେ ରହିବାକୁ ଛାଡ଼ିଦେବା କଥା ନୁହେଁ ।

ଖାଲି ସେତିକି ନୂହେଁ, “ଆମେ ସିଧାସଳଖ ପୋଲିସ୍ କୁ ଦାୟୀ କରୁଛୁ କିନ୍ତୁ ମୁଁ କହିବାକୁ ଚାହୁଁଛି ଯେ, ଏକ ପାର୍ଟି ପାଇଁ ସମୁଦ୍ର ତଟକୁ ଯାଇଥିବା ୧୦ ଜଣ ପିଲା, ସେଥିରୁ ୬ ଜଣ ଘରକୁ ଫେରିଯାଉଛନ୍ତି । କିନ୍ତୁ ଦୁଇ ନାବାଳିକା ଏବଂ ନାବାଳକ ଘରକୁ ନଯାଇ ସମୁଦ୍ର ତଟରେ ରହିଲେ । ତେଣୁ ସେମାନେ ସେଠାରେ କାହିଁକି ରହିଲେ ତାହା ବାପା-ମାଆ ଜାଣିବା ଦରକାର” ।

ତେବେ ଏହାକୁ ବିରୋଧ କରି କଂଗ୍ରେସ ପ୍ରବକ୍ତା କହିଛନ୍ତି ଯେ, “ତଟବର୍ତ୍ତୀ ରାଜ୍ୟରେ ଆଇନ-କାନୁନ୍ ବ୍ୟବସ୍ଥା ବିଗିଡି ଗଲାଣି । ରାତିରେ ବାହାରକୁ ଯିବା ପାଇଁ ଡରିବା କାହିଁକି ? ଅପରାଧି ମାନେ ଜେଲ୍ ରେ ରହିବା ଆବଶ୍ୟକ ଏବଂ ନାଗରିକଙ୍କୁ ବାହାରେ ସ୍ୱାଧୀନ ଭାବେ ବୁଲିବା ଦରକାର” । ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ତଥା ତାଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସୁଚନାଯୋଗ୍ୟ, ରବିବାର ଗୋଆ ରାଜଧାନୀ ଠାରୁ ପାଖାପାଖି ୩୦ କିମି ଦୂରରେ ବେନଲିମ୍ ବିଚରେ ଚାରି ଜଣ ଲୋକ ନିଜକୁ ପୋଲିସ୍ କର୍ମୀ ଦର୍ଶାଇ ଗଣଦୁଷ୍କର୍ମ କରିଥିଲେ ଏବଂ ତାଙ୍କୁ ଖୁବ୍ ମାଡ଼ ମାରିଥିଲେ । ଚାରିଜଣଙ୍କ ମଧ୍ୟରୁ ଜଣେ ସରକାରୀ କର୍ମଚାରୀ ରହିଥିବା ଜଣାପଡ଼ିଛି । ଉକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଦିଆଯାଇଛି ।

Get real time updates directly on you device, subscribe now.