fbpx
BJD SKY
BJD SKY

ଆମ ଦେଶରେ ଅନେକ ଭଲ ମେଡିକାଲ କଲେଜ ରହିଛି, ତଥାପି ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ୟୁକ୍ରେନ, ଜାଣନ୍ତୁ ଏହା ପଛର କାରଣ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱ ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଭୟଭୀତ ଅବସ୍ଥାରେ ରହିଛି । ତେବେ ଏଭଳି ସ୍ଥିତିରେ ଭାରତର ୨୦ ହଜାରରୁ ଅଧିକ ନାଗରିକ ୟୁକ୍ରେନରେ ଫସି ରହିଥିବା ବେଳେ ଓଡ଼ିଶାରୁ ୧୬୦୦ରୁ ଅଧିକ ରହିଛନ୍ତି । ଜଣାପଡ଼ିଛି ଯେ, ଏକ ଏଜେନ୍ସି ଜରିଆରେ ଓଡ଼ିଶାରୁ ୧୩୦୦ ପିଲା ୟୁକ୍ରେନରେ ମେଡିକାଲ ପାଠ ପଢ଼ୁଛନ୍ତି । ବର୍ତ୍ତମାନ ଦୁଇଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଥିବାରୁ ଉକ୍ତ ଛାତ୍ରଛାତ୍ରୀଙ୍କର ପରିବାରବର୍ଗ ସେମାନଙ୍କର ଫେରିବା ବାଟକୁ ଚାହିଁ ରହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ, ଆମ ରାଜ୍ୟରେ, ଦେଶରେ କ’ଣ ମେଡିକାଲ କଲେଜ ନାହିଁ? କାହିଁକି ଛାତ୍ରଛାତ୍ରୀମାନେ ୟୁକ୍ରେନରେ ମେଡିକାଲ ପଢ଼ିବାକୁ ପସନ୍ଦ କରୁଛନ୍ତି? ଦେଶରେ ମୋଟ ୧ ଲକ୍ଷ ୧୮ ହଜାରରୁ ଅଧିକ ଏମବିବିଏସ୍ ସିଟ୍ ଥିବାବେଳେ ଅଧିକାଂଶ ପିଲା ୟୁକ୍ରେନ ଯିବାନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଜଣାପଡ଼ିଛି ଯେ, ଆମ ରାଜ୍ୟର ଅଧିକାଂଶ ଜିଲ୍ଲାର ପିଲାମାନେ ୟୁକ୍ରେନରେ ରହି ମେଡିକାଲ ପଢ଼ୁଛନ୍ତି । ଏହାର କାରଣ ହେଉଛି ରାଜ୍ୟରେ ଥିବା ଘରୋଇ ମେଡିକାଲ କଲେଜଗୁଡ଼ିକ ଫିସ୍ ଅଧିକ । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ମେଡିକାଲ କଲେଜଗୁଡ଼ିକରେ ବାର୍ଷିକ ୫ ହଜାର ଫିସ୍ ନିଆଯାଉଥିବା ବେଳେ ରାଜ୍ୟ ସରକାରଙ୍କର ଦ୍ୱାରା ପରିଚାଳିତ କଲେଜଗୁଡ଼ିକରେ ବାର୍ଷିକ ୨୨ ହଜାର ଟଙ୍କା ନିଆଯାଇଥାଏ । ସେହିପରି ରାଜ୍ୟର ଘରୋଇ ମେଡିକାଲ କଲେଜଗୁଡ଼ିକରେ ବାର୍ଷିକ ଫିସ୍ ୫ ଲକ୍ଷରୁ ଆରମ୍ଭ କରି ୧୮ ଲକ୍ଷ ପର୍ଯ୍ୟନ୍ତ ଲମ୍ବିଛି । ମୋଟ ଫିସ୍ ମିଶାଇଲେ ଏହି ଖର୍ଚ୍ଚ ୧ କୋଟି ଟପିଯାଇଥାଏ ।

ଅନ୍ୟପଟେ, ୟୁକ୍ରେନରେ ମେଡିକାଲ ପାଠ୍ୟକ୍ରମ ପାଇଁ ୫ ବର୍ଷକୁ ଫିସ୍ ମାତ୍ର ୪୦ ଲକ୍ଷ ରହିଛି । ଯେଉଁ ଛାତ୍ରଛାତ୍ରୀ ଏକାଥରକେ ସମସ୍ତ ଫିସ୍ ପଇଠ କରନ୍ତି, ସେମାନଙ୍କୁ କିଛିଟା ରିହାତି ମିଳିଥାଏ । ୟୁକ୍ରେନରେ ଅନେକ ପୁରୁଣା ଭଲ ମେଡିକାଲ କଲେଜ ରହିଛି, ଯେଉଁଠାରେ କି ବିଦେଶୀ ପିଲାଙ୍କୁ ପଢ଼ାଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥାଏ । ୟୁକ୍ରେନରୁ ଶସ୍ତାରେ ମେଡିକାଲ ପାଠ ପଢ଼ି ଅନେକ ଛାତ୍ରଛାତ୍ରୀ ଭାରତ ବଡ଼ ବଡ଼ ମେଡିକାଲରେ ଜବ୍ କରୁଛନ୍ତି । ସେଠାରେ ଅନେକ ଭାରତୀୟ ପ୍ରଫେସର ରହିବା ସହ ସ୍ୱଦେଶ ଫେରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୨-୩ ମାସ ଛୁଟି ମିଳିଥାଏ । ଏଥିସହ ଭାରତରୁ ୟୁକ୍ରେନକୁ ସିଧାସଳଖ ବିମାନ ସୁବିଧା ରହିଥାଏ । ଏପରି ଅନେକ କାରଣ ପାଇଁ ଭାରତୀୟ ଛାତ୍ରଛାତ୍ରୀମାନେ ମେଡିକାଲ ପାଠ ପାଇଁ ୟୁକ୍ରେନ ମୁହାଁ ହୋଇଥାନ୍ତି ।

Get real time updates directly on you device, subscribe now.