fbpx

(Video) କୁମାର ପୂର୍ଣ୍ଣମୀ ଓଷାର କିମ୍ବଦନ୍ତୀ : କାହିଁକି ପାଳନ କରାଯାଏ ଏହି ପର୍ବ ? ଜାଣନ୍ତୁ କ’ଣ କୁହେ ପୁରାଣ

ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା, ଯାହାକି ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି ।

କୁମାର ପୂର୍ଣ୍ଣମୀ ଓଷାର କିମ୍ବଦନ୍ତୀ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । କୁମାର ପୂର୍ଣ୍ଣମୀ ଓଷା ପାଳନ କରାଯିବାର କାରଣ ଅନେକ ରହିଛି । ପୁରାଣ କିମ୍ବଦନ୍ତୀ ବିଶ୍ୱାସ ଅନୁଯାୟୀ କୁମାରୀ ଝିଅଙ୍କ ଏହି କୁମାର ପୂର୍ଣ୍ଣମୀ ଓଷାର ଅନେକ କାରଣ ରହିଛି । ପୁରାଣ କିମ୍ବଦନ୍ତୀ ଅନୁସାରେ ଆଜି କେବଳ ଗୋଟିଏ ଦିନ ଚନ୍ଦ୍ରମା ଷୋଳ କଳାରେ ପରିପୂର୍ଣ୍ଣ ଥାନ୍ତି । ବିଶ୍ୱାସ ରହିଛି ଆଜି ରାତ୍ରିରେ ଚନ୍ଦ୍ରମାଙ୍କ ଠାରୁ ଅମୃତ ବର୍ଷା ହୋଇଥାଏ । କୁହାଯାଏ ଆଜି ଦିନରେ ଶ୍ରାକୃଷ୍ଣ ମହାରାସ ରଚିଥିଲେ । ଆଜି ଦିନକୁ ଓଡିଶାରେ ଜହ୍ନି ଓଷା ଭାବେ ମଧ୍ୟ ପାଳନ କରାଯାଇଥାଏ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପର୍ବ ପାଳନ କରାଯାଏ । ଏହିଦିନ ଜଗତ ଜନନୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଇଥାଏ ।

ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ । ସେହିପରି ଭଗବାନ ଶିବଙ୍କର ପୁଅ କାର୍ତ୍ତିକେୟ ଈଶ୍ୱରମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ବୋଲି ପୁରାଣରେ କଥିତ ଅଛି । ସେ ଏହି ଦିନ ତାଡ଼କାସୁର ସ‌ହିତ ଯୁଦ୍ଧ ଆରମ୍ଭ କରିଥିଲେ । ତାଡ଼କାସୁରକୁ ପରାଜିତ କରିଥିବାରୁ ତାଙ୍କୁ ଯୁଦ୍ଧର ଦେବତା ଭାବେ ମଧ୍ୟ ଜଣାଯାଏ । ତେବେ ଏହି ପର୍ବରେ କାର୍ତ୍ତିକେୟଙ୍କ ପାଇଁ କୌଣସି ବିଶେଷ ପୂଜା ବିଧି ନାହିଁ ।

ଏହି ଦିନ ଘରର କୁମାରୀମାନେ ଭୋର୍‌ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ଏହିଦିନ କୁମାରୀ ତ‌ଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ । ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ । ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବ‌ହାର କରାଯାଇଥାଏ । ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ । ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବ‌ହୃତ ହୋଇଥାଏ ।

ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା’ ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନ‌ଙ୍କ ମଧ୍ୟରୁ ଅନ୍ୟତମ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନ‌ଙ୍କୁ ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାଇ ଦିଆଯାଏ । ଯେଉଁ ଘରେ କୌଣସି କୁମାରୀ କନ୍ୟା ନଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି ।

Get real time updates directly on you device, subscribe now.