fbpx

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମିଳିବ କି ‘ଭାରତ ରତ୍ନ’? ଚର୍ଚ୍ଚା ହେବ କି ସତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ । ସେନେଇ ରାଜ୍ୟର ଗାଁ, ପଞ୍ଚାୟତଠାରୁ ଆରମ୍ଭ କରି ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ମାହୋଲ ସରଗରମ୍ ହୋଇ ଉଠିଛି । ତେବେ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ ନେଇ ଘୋଷଣା କରିଥିଲେ ।

କଳିଙ୍ଗର ବୀରପୁତ୍ର ବିଜୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଗତ ମାସରେ ଲୋକସଭାରେ ଦାବି କରିଥିଲେ । ବିଜୁଙ୍କୁ ଏହି ସମ୍ମାନ ପ୍ରଦାନ ନେଇ ଦୀର୍ଘଦିନ ହେବ ଦାବି ହୋଇଆସୁଥିଲେ ବି କେନ୍ଦ୍ର ସରକାର ତାହାକୁ ଗ୍ରହଣ କରି ନାହାନ୍ତି । ତେଣୁ ତା’ ଉପରେ ବିଚାର କରିବାକୁ ଶ୍ରୀ ସାହୁ କହିଥିଲେ । ତେବେ ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଏହି ଅବସରରେ ବିଜେଡି-ବିଜେପି ମେଣ୍ଟ ନେଇ କିଛି ବୁଝାମଣା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । ପୂର୍ବରୁ ଏହି ଦୁଇ ଦଳ ମେଣ୍ଟ ସରକାରରେ ରହିଥିବା ବେଳେ ରାଜନୈତିକ ଫାଇଦାକୁ ଦୃଷ୍ଟିରେ ରଖି ଦୁଇ ଦଳ ଏକାଠି ହୋଇପାରନ୍ତି ବୋଲି କୁହାଯାଉଥିଲା । ଏପରିକି ଯଦି ମେଣ୍ଟ ହୁଏ ତେବେ କେନ୍ଦ୍ର ସରକାର ବିଜୁଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଘୋଷଣା କରିପାରନ୍ତି ବୋଲି କୁହାଯାଉଥିଲା ।

ତେବେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବ ନାହିଁ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ପ୍ରତିକ୍ରିୟା ଦେଇଛନ୍ତି । ମେଣ୍ଟ ନେଇ କିଛିଦିନ ଧରି ଲାଗି ରହିଥିବା ଚର୍ଚ୍ଚା ଉପରେ ମନମୋହନ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । କିଛିଦନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନିଜର ମିତ୍ର ବୋଲି ସମ୍ବୋଧନ କରିଥିଲେ । ସେହିପରି ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦ୍ୱିତୀୟ ଥର ପାଇଁ ବିଜେଡି ସମର୍ଥନ ଦେଇଥିଲା । ଏଥିସହତ ପୂର୍ବରୁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ବିଲ୍ ହଟାଇବା ସମୟରେ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରଙ୍କୁ ବିଜେଡି ସମର୍ଥନ ଦେଇଥିଲା ।

ତେବେ ପରିବର୍ତ୍ତିତ ରାଜନୀତିରେ କିଛି ବି ଘଟିପାରେ । ସର୍ବଦା କିଛି ନୂଆ କରି ଜନତାଙ୍କୁ ଚକମା ଦେଇଆସୁଥିବା ପିଏମେ୍ ମୋଦୀ ହୁଏତ ବିଜୁଙ୍କୁ ନେଇ ଓଡ଼ିଶାରେ ଏକ ବଡ଼ ଗୋଟି ଖେଳିପାରନ୍ତି । ନିକଟରେ ମୋଦୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂହ, କୃଷି ବିଜ୍ଞାନୀ ଡାକ୍ତର ଏମ.ଏସ ସ୍ୱାମୀନାଥନ, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିହ୍ମା ରାଓ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ନେଇ ଘୋଷଣା କରିଥିଲେ ।

Get real time updates directly on you device, subscribe now.