fbpx

ବିଶ୍ୱର ପରବର୍ତ୍ତୀ Super Power ହେବ ଭାରତ! ଜାଣନ୍ତୁ କେନ୍ଦ୍ର ସରକାରଙ୍କ ଭବିଷ୍ୟତ ପ୍ଲାନିଂ ଓ ଯୋଜନାର ବିସ୍ତୃତ ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତର ଦବଦବା ବିଶ୍ୱରେ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁଚିନ୍ତିତ ବଳିଷ୍ଠ ପଦକ୍ଷେପ, ଆକର୍ଷକ ବୈଦେଶିକ ନୀତି, ନିଆରା ଢଙ୍ଗର ନିଷ୍ପତ୍ତି ଆଜି ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରର ମୁଖ୍ୟମାନଙ୍କୁ ଚକିତ କରିଦେଇଛି । ବିଶ୍ୱର ଦୁଇ ପ୍ରମୁଖ ମହାଶକ୍ତି ଆମେରିକା ଓ ରୁଷିଆ ଆଜି ଅର୍ଥନୈତିକ, ଆତଙ୍କବାଦ ଓ ସାମାଜିକ ସ୍ୱାର୍ଥ ପୂରଣ ନିମନ୍ତେ ଭାରତ ସହ ସୁସମ୍ପର୍କ ରକ୍ଷା କରିବାକୁ ବ୍ୟାକୁଳ । ତେବେ ଏଠାରେ ପ୍ରଶ୍ନ ଉଠେ, ଆଗାମୀ ଦିନରେ ଭାରତ କ’ଣ ସତରେ ଚୀନ, ଆମେରିକା ଓ ରୁଷିଆକୁ ପଛରେ ପକାଇ ସୁପର ପାୱାର ବନି ପାରିବ ।

ଏକ୍ସପର୍ଟଙ୍କ ମତରେ, ଆସନ୍ତା ୨୦୫୦ ସୁଦ୍ଧା ଭାରତ ବିଶ୍ୱର ପରବର୍ତ୍ତୀ ସୁପର ପାୱାର ବନିବାର ସମ୍ଭାବନା ରହିଛି । ସେ ସମୟରେ ଭାରତର ଇକୋନୋମି ଚୀନ ପରେ ବିଶ୍ୱର ଟପ୍ ଇକୋକୋମି ପାଲଟିଯିବ । ଆଜି ଭାରତ ବିଶ୍ୱର ଦ୍ୱିତୀୟ ଜନ ବହୁଳ ଦେଶ ହୋଇଥିବା ବେଳେ ଏଥିପାଇଁ ଦେଶରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ତେବେ ଆଗାମୀ ଦିନରେ ଏହି ଜନସଂଖ୍ୟା ହିଁ ଭାରତର ମୁଖ୍ୟ ହତିଆର ସାବ୍ୟସ୍ତ ହେବ ।

ଅନ୍ୟପକ୍ଷରେ ଚୀନ ଓ ଆମେରିକାରେ ଅଧିକାଂଶ ଯୁବପୀଢ଼ି ବୃଦ୍ଧାବସ୍ଥାରେ ଉପନୀତ ହୋଇସାରିଥିବେ । ସେତେବେଳେ ଭାରତ ପାଖରେ ରହିଥିବ ଯୁବ ପ୍ରଫେସନାଲଙ୍କ ଏକ ଫୌଜ । ଏହାକୁ ଯଦି ସଠିକ୍ ଭାବେ ଉପଯୁକ୍ତ ଜ୍ଞାନକୌଶଳ ମାଧ୍ୟମରେ ଉପଯୋଗ କରାଯାଇପାରିବ, ତେବେ ଭାରତକୁ କେହି ରୋକି ପାରିବେ ନାହିଁ । ହଜାରେ ବର୍ଷର ପୁରୁଣା ଇତିହାସକୁ ଯଦି ଆମେ ତର୍ଜମା କରିବା ତେବେ ଦେଖିବାକୁ ପାଇବା ଭାରତ ସେ ସର୍ବଦା ବିଶ୍ୱଗୁରୁ ରହି ଆସିଛି । ଆଜି ମଧ୍ୟ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚଳାଇଛି ।

ୟୁକ୍ରେନ-ରୁଷିଆ ଯୁଦ୍ଧ ସମୟରେ ଭାରତକୁ ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରର ମୁଖ୍ୟ ଓ ପ୍ରତିନିଧିମାନେ ଆସିଥିଲେ । ମାସକ ମଧ୍ୟରେ ଭାରତକୁ ପାଖାପାଖି ୨୦ ଜଣ ବିଶ୍ୱନେତା ଆସିବା କ’ଣ ଛୋଟ କଥା । ୨୦୨୫ ବେଳକୁ ଭାରତ ଜିଡିପି ମାମଲାରେ ଆମେରିକାକୁ ଟପିଯିବ । ସେ ସମୟରେ ଭାରତ ୪୩.୨ ପ୍ରତିଶତ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତିରେ ପରିଣତ ହେବା ସହ ଚୀନ ପରେ ବିଶ୍ୱର ଦ୍ୱିତୀୟ ଅର୍ଥନୀତି ଭାବେ ଉଭାହେବ । ଅର୍ଥାତ ଭାରତ ଦ୍ୱିତୀୟ ସୁପର ପାୱାର ବନିଯିବ । ତେବେ ଏହି କଥା ଶୁଣିବାକୁ ଠିକ୍ ଲାଗୁଥିଲେ ହେଁ ସତରେ କ’ଣ ଏପରି କିଛି ଘଟିବ, ଭାରତ ସରକାର ଏଥିପାଇଁ କିଛି ଯୋଜନା କରିଛନ୍ତି ।

କୌଣସି ଦେଶର ବିକାଶ ପାଇଁ ବିଦେଶୀ ନିବେଶ ବହୁତ ଜରୁରୀ । ଭାରତର ଭିତ୍ତିଭୂମି ବର୍ତ୍ତମାନ ଏପରି ସ୍ଥିତିରେ ନାହିଁ । ସେଥିପାଇଁ ଭାରତ ସରକାର ପାଖାପାଖି ୭ ଲକ୍ଷ କୋଟି ଅର୍ଥ ବ୍ୟୟରେ ଦିଲ୍ଲୀ-ମୁମ୍ବାଇ ଇଣ୍ଡଷ୍ଟ୍ରିଆଲ କରିଡର ନିର୍ମାଣ କରିବାକୁ ଯାଉଛନ୍ତି । ଏହି କରିଡରରେ ରେଲ ଲାଇନ, ଏୟାରପୋର୍ଟ, ସ୍ମାର୍ଟ ସିଟି, ପାୱାର ପ୍ରୋଜେକ୍ଟ, ବନ୍ଦର ଆଦି ଅନେକ କିଛି ସାମିଲ ରହିବ । ଏହି କରିଡର ସମାପ୍ତ ହେବା ପରେ ଦେଶରେ ଏପରି ଆହୁରି ଅନେକ କରିଡସ ସ୍ଥାପନ କରାଯିବ ।

ସେଥିମଧ୍ୟରେ ଅମ୍ରିତସର-ଦିଲ୍ଲୀ, ମୁମ୍ବାଇ-ବେଙ୍ଗାଲୁରୁ, ବେଙ୍ଗାଲୁରୁ-ଚେନ୍ନାଇ, ଚେନ୍ନାଇ-ବିଶାଖାପଟନମ ଆଦି ରହିଛି । ଏହି ସମସ୍ତ ପ୍ରୋଜେକ୍ଟ ଦେଶର ସମସ୍ତ ମହାନଗରଙ୍କୁ ଯୋଡ଼ିବ । ଏଥିସହିତ ଭାରତ ସରକାର ଭାରତମାଳା ପ୍ରୋଜେକ୍ଟରେ ପାଖାପାଖି ୬ ଲକ୍ଷ କୋଟି ଅର୍ଥ ବ୍ୟୟରେ ଅନେକ ରାଜପଥ, ନୂଆ ରାସ୍ତା ନିର୍ମାଣ କରୁଛନ୍ତି । ସେହିପରି ପାଖାପାଖି ୯ ଲକ୍ଷ କୋଟି ବ୍ୟୟରେ ଭାରତ ସାଗରମାଳା ପ୍ରୋଜେକ୍ଟ ନିର୍ମାଣ କରୁଛନ୍ତି । ଭାରତ ସରକାର ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ବଡ଼ ବଡ଼ ପଦକ୍ଷେପ ନେଉଛନ୍ତି । ଏହାଫଳରେ ଭାରତ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ବହୁ ଆଗକୁ ଯାଇପାରିବ ।

Get real time updates directly on you device, subscribe now.