fbpx

କୋଭିଡ୍ ଭୟ: ଇଚ୍ଛାପତ୍ର ଲେଖିବାକୁ ଓକିଲଙ୍କ ପାଖରେ ଡେରା ପକାଉଛନ୍ତି ଧନୀ

ନୂଆଦିଲ୍ଲୀ, ୧୭/୦୫(ଓଡିଶା ଭାସ୍କର) : କୋଭିଡର ଦ୍ୱିତୀୟ ଲହରରେ ଅନେକ ଲୋକ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି । ଯାହାର ପରିଣାମସ୍ୱରୁପ ଅନେକ ଲୋକମାନଙ୍କ ମନରେ ଏବେ ଭୟ ବସା ବାନ୍ଧି ସାରିଲାଣି । ତେଣୁ ଅନେକ ଲୋକ ଏବେ ଆଗତୁରା ଇଚ୍ଛାପତ୍ର ଲେଖିବା ଆରମ୍ଭ କରିଦେଇଛନ୍ତି । ଯେଉଁ ମାନେ ବିପୁଳ ପରିମାଣର ସମ୍ପତ୍ତିର ଅଧିକାରୀ ସେମାନେ ଏବେ ସମ୍ପତ୍ତିର ଭାଗବଣ୍ଟା କରିବା ଆରମ୍ଭ କରି ସାରିଲେଣି । ଏଥିରୁ ହିଁ ଜଣାପଡୁଛି ଯେ ଲୋକ ମାନେ କୋଭିଡ୍ ମହାମାରୀକୁ କେଉଁ ସ୍ତରରେ ଭୟ କରୁଛନ୍ତି । ସେମାନଙ୍କ କହିବାନୁଯାୟୀ କରୋନା ଯୋଗୁଁ ଯେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ତେଣୁ ଆଗୁଆ ସବୁ କାମ ସାରିଦେବା ବେଶି ଭଲ ।

ନିକଟରେ ମୁମ୍ବାଇର ଏକ କମ୍ପାନୀର ମାଲିକ ନିଜର ଇଚ୍ଛାପତ୍ର ଲେଖିଛନ୍ତି । ସେ ତାଙ୍କର ସମ୍ପତ୍ତିର କିଛି ଭାଗ ନିଜ ପତ୍ନୀଙ୍କ ନାମରେ କରିଥିବା ବେଳେ ବାକି ସମସ୍ତ ଭାଗ ନିଜ ସନ୍ତାନ ମାନଙ୍କ ନାମରେ କରିଛନ୍ତି । ସେ କହିଛନ୍ତି ଯେ, କରୋନା ଯୋଗୁଁ ଲୋକ ମାନଙ୍କର ଯେଉଁ ଭଳି ଭାବେ ଅକାଳରେ ମୃତ୍ୟୁ ହୋଇ ଯାଉଛି ତାକୁ ଦୃଷ୍ଟିରେ ରଖି ସେ ଏପରି ନିଷ୍ପତି ନେଇଛନ୍ତି । ସେହିପରି ଦିଲ୍ଲୀର ଜଣେ ବ୍ୟବସାୟୀ ମଧ୍ୟ ଇଚ୍ଛାପତ୍ର କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଭାରତରେ ଥିବା ସମ୍ପତିର ଇଚ୍ଛାପତ୍ର ପ୍ରସ୍ତୁତ କରିବା ପରେ ଏବେ ସେ ବ୍ରିଟେନ୍ ରେ ଥିବା ସମ୍ପତ୍ତିର ଇଚ୍ଛାପତ୍ର କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏନେଇ ସେ ବ୍ରିଟେନ୍ ର କିଛି ଓକିଲଙ୍କ ସହ ଯୋଗାଯୋଗ କରିଛନ୍ତି । ଏହି ଆଧାରରେ ଇଚ୍ଛାପତ୍ର ତିଆରି କରୁଥିବା ଏକ ସଂସ୍ଥା ୱିଲଜିନି ପାଖରେ ୨୦୧୯-୨୦ରେ ଏହି ସଂଖ୍ୟା ୧୫ହଜାର ୬୦୦ ଥିବା ବେଳେ ୨୦୨୦-୨୧ରେ ସେହି ସଂଖ୍ୟା ବୃଦ୍ଧି ପାଇ ୫୮ ହଜାରରେ ପହଞ୍ଚିଛି ।

ଏହିପରି ଭାବେ ଅନେକ ଧନୀ ଶେଣ୍ରୀର ଲୋକ କରୋନା ଭୟରେ ନୁତନ ଇଚ୍ଛାପତ୍ର ତିଆରି କରୁଛନ୍ତି ଏବଂ ଯେଉଁ ମାନଙ୍କର ଅଛି ସେଥିରେ ସେମାନେ ପରିବର୍ତ୍ତନ ଆଣିଛନ୍ତି । ଏନେଇ ସେମାନେ ଆବେଦନ କରିବା ସହିତ ଆଇନ୍ ସେବା ପ୍ରଦାନ କରୁଥିବା ସଂସ୍ଥା ଏବଂ ଓକିଲ ମାନଙ୍କରେ ସହ କ୍ରମାଗତ ଯୋଗାଯୋଗ କରୁଛନ୍ତି । ତେବେ ଏହି ସମ୍ପତ୍ତିର ଧାରକ ମାନେ କରୋନାଜନିତ ମୃତ୍ୟୁକୁ ଡରି ଏବଂ ବ୍ୟବସାୟରେ ଅବନତିକୁ ଦୃଷ୍ଟିରେ ରଖି କିଛି ଧନୀ ଭାରତୀୟ ନିଜ ନିଜ ପରିବାର ସଦସ୍ୟଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଇଚ୍ଛାପତ୍ର ପ୍ରସ୍ତୁତ କରୁଛନ୍ତି ।

Get real time updates directly on you device, subscribe now.