ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) । ନଭେମ୍ବର ୩ ତାରିଖରୁ ୩୦ ତାରିଖ ମଧ୍ୟରେ ଏହି ସମସ୍ତ ରାଜ୍ୟରେ ଅଲଗା ଅଲଗା ଭାବେ ମତଦାନ ଚାଲିବ । ଏହାପରେ ଡିସେମ୍ବର ମାସ ୩ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି ଗତ ୯ ତାରିଖରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଘୋଷଣା କରିଥିଲେ ।
ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ନଭେମ୍ବର ୨୩ରେ ରାଜସ୍ଥାନରେ ଭୋଟ ନେଇ ତାରିଖ ଘୋଷଣା କରାଯାଇଥିବା ବେଳେ ତାହାକୁ ନେଇ ଏବେ ରାଜନୈତିକ ଦଳମାନେ ମୁସ୍କିଲରେ ପଡ଼ିଯାଇଛନ୍ତି । ତେଣୁ ତାରିଖ ପରିବର୍ତ୍ତନ ଦାବି ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିବାକୁ କିଛି ଦଳ ବିଚାର କରୁଛନ୍ତି । ନଭେମ୍ବର ୨୩ ତାରିଖରେ ଉଠନୀ ଏକାଦଶୀ ପଡ଼ୁଥିବା ବେଳେ ସେହିଦିନ ବହୁତ ବିବାହ କାର୍ଯ୍ୟକ୍ରମ ରହିଛି । ଫଳରେ ବିବାହର ପ୍ରଭାବ ଭୋଟ ହାର ଉପରେ ପଡ଼ିବାର ସମ୍ଭାବନା ରହିଛି । ସେଥିପାଇଁ ତାରିଖ ବଦଳାଇବା ନେଇ ଆୟୋଗଙ୍କୁ ଭାଜପା ଚିଠି ଲେଖିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।
ନେତାଙ୍କ ମତରେ, ୪ ମାସ ପରେ ବିବାହ ପାଇଁ ଏହା ଏକ ଶୁଭ ମୁହୂର୍ତ୍ତ । ତେଣୁ ଏଭଳି ସ୍ଥିତିରେ ମତଦାତାଙ୍କୁ ବୁଥକୁ ନେବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ । ବିବାହ ପାଇଁ ଅଧିକାଂଶ ଟ୍ରାନ୍ସପୋର୍ଟ ପୂର୍ବରୁ ବୁକିଂ ହୋଇ ସାରିଛି । ରାଜସ୍ଥାନ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତା ଏ ବାବଦରେ ସ୍ପଷ୍ଟ ଉତ୍ତର ଦେଇ ନଥିଲେ । ଅନେକ ଭୋଟର ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନ୍ୟ ରାଜ୍ୟକୁ ଯିବେ । ଫଳରେ ଭୋଟ ହାର ହ୍ରାସ ପାଇପାରେ । ତେବେ ଶୁଭ ଦିନ, ଶୁଭ ମୁହୂର୍ତ୍ତରେ ନିର୍ବାଚନ ହେବା ଦରକାର । ତେଣୁ ସେନେଇ ଦଳ ଆଗକୁ ବିଚାର କରିବ ବୋଲି କିଛି ବିଜେପି ନେତା କହିଛନ୍ତି ।