fbpx

ଆମେଠିରୁ ନିର୍ବାଚନ ଲଢ଼ିବେ ରବର୍ଟ ଭଦ୍ରା ? ଦେଲେ ଏଭଳି ସଂକେତ …

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ସହ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଉତ୍ତର ପ୍ରଦେଶରେ ଅମେଠି ଆସନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ କୌଣସି ଖାତା ଖୋଲି ନାହିଁ । ଏଥିମଧ୍ୟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରବର୍ଟ ଭଦ୍ରା ଆମେଠିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ନେଇ ସମ୍ଭାବନା ବୃଦ୍ଧି ପାଉଛି । ରାଜନୀତିରେ ପାଦ ଥାପିବା ନେଇ ରବର୍ଟ ଏକ ସାକ୍ଷାତକାରରେ ସଂକେତ ଦେଇଛନ୍ତି ।

ଆଗାମୀ ଲୋକସଭା ନିର୍ବାଚନକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଆମେଠିରୁ ନିର୍ବାଚନ ଲଢ଼ିବା ନେଇ ଏକ ସାକ୍ଷାତକାର ପ୍ରଶ୍ନର ଉତ୍ତରରେ ରବର୍ଟ ଭଦ୍ରା କହିଥିଲେ, ‘କେବଳ ଆମେଠି ନୁହେଁ ବରଂ ସାରା ଦେଶରେ ସକ୍ରିୟ ରାଜନୀତିରେ ଯୋଗ ଦେବା ପାଇଁ ଆହ୍ୱାନ ରହିଛି । ତାଙ୍କ ପାଖକୁ ଅନେକ କଲ୍ ମଧ୍ୟ ଆସୁଛି । ବିଶେଷ କରି ଆମେଠିରେ ଲୋକମାନେ ରବର୍ଟ ଭଦ୍ରାଙ୍କୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଆମେଠିବାସୀଙ୍କ କହିବାନୁଯାୟୀ ରବର୍ଟ ଗାନ୍ଧୀ ପରିବାରର ଏକ ଅଂଶ । ଗାନ୍ଧୀ ପରିବାର ଏହି ଦେଶ ପାଇଁ କେତେ କାର୍ଯ୍ୟ କରିଛନ୍ତି, କରୁଛନ୍ତି ଏବଂ ଆଗକୁ ଜାରି ରଖିବେ । ଆମେଠିର ଅନେକ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଯାଉଛି କାରଣ ସମସ୍ତେ ଅନୁଭବ କରିଛନ୍ତି ଯେ ସେମାନେ ଗାନ୍ଧୀ ପରିବାରର କଠିନ ପରିଶ୍ରମ ଦେଖିଛନ୍ତି । ଆମେଠିରୁ ନିର୍ବାଚନ ଲଢ଼ିଲେ ସେଠାରେ ସ୍ମୃତି ଇରାନୀ ସାଂସଦ ହେବା ପରେ ଯେଉଁ ଭୁଲ କରିଛନ୍ତି ତାକୁ ସୁଧାରି ଆଗକୁ ବଢ଼ିବେ ଏବଂ ମୋତେ ବହୁ ସଂଖ୍ୟାରେ ଜିତାଇବେ । କିନ୍ତୁ ମୁଁ କାହାକୁ ଚ୍ୟାଲେଞ୍ଜ କରିବା ପାଇଁ ଲଢ଼ିବି ନାହିଁ ବୋଲି ରବର୍ଟ ଭଦ୍ରା କହିଛନ୍ତି ।’ ସେ ଆହୁରି ମଧ୍ୟ କହିଥିଲେ, ‘ଯଦି କଂଗ୍ରେସକୁ ଅନୁଭବ ହୁଏ ଯେ ମୁଁ ସକ୍ଷମ ଏବଂ ପରିବର୍ତ୍ତନ ଆଣିପାରିବି ଯେପରି ଲୋକମାନେ ଚାହୁଁଛନ୍ତି ତେବେ ଯେକୌଣସି ଅଞ୍ଚଳ ପାଇଁ ପ୍ରତିନିଧିତ୍ୱ କରିବି । ସେଠାରେ ପରିବର୍ତ୍ତନ ହେବ ଏବଂ ଧର୍ମନିରପେକ୍ଷ ଅଞ୍ଚଳ ରହିବ । ବେକାରୀ ସମସ୍ୟା, ମହିଳା ସୁରକ୍ଷା ବା ଦେଶରେ ଯେକୌଣସି ପ୍ରସଙ୍ଗକୁ ନେଇ ଲୋକଙ୍କ ମଧ୍ୟରେ ଯାଇ ସ୍ୱରକୁ ଶାଣିତ କରିଥାଏ । ମୁଁ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିଥାଏ ।’

 

Get real time updates directly on you device, subscribe now.