fbpx
BSKY
BJD MC SKY
BJD YOUTH SKY

କମିବ ଶୀତ, କଲବଲ କରିବ କୁହୁଡ଼ି: ଓଡ଼ିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତର ପ୍ରଭାବ ବିଶେଷ ଅନୁଭୂତ ହେଉନାହିଁ । ରାତିରେ ତାପମାତ୍ରାରେ ବୃଦ୍ଧି ଘଟୁଥିବାରୁ ଶୀତ କମିବାରେ ଲାଗିଛି । ଆଗକୁ ଶୀତର ପ୍ରଭାବ ଆହୁରି କମିବା ସହ ଘନ କୁହୁଡ଼ି ଦେଖାଦେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ଉପକୂଳ ଆଖପାଖରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ କୁହୁଡ଼ିର ପରିମାଣ ବୃଦ୍ଧି ପାଇବ ।

ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଓ ବୌଦ୍ଧରେ କୁହୁଡ଼ି ପାଇଁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟରେ ଏବେ ଆଗାମୀ ୫ ଦିନ ଯାଏଁ ପାଗ ଶୁଖିଲା ରହିବ । ସାମୁଦ୍ରିକ ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ପାଇଥିବାରୁ ରାତିର ତାପମାତ୍ରାରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଆଗାମୀ ଦୁଇଦିନ ମଧ୍ୟରେ ରାତିର ତାପମାତ୍ରା ଦୁଇରୁ ତିନି ଡିଗ୍ରି ବୃଦ୍ଧି ପାଇବ । ଫଳରେ ୩/୪ ଦିନ ଯାଏଁ ଶୀତର ପ୍ରଭାବ ରହିବ ନାହିଁ ।

ସୋମବାର ସକାଳୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ଘନ କୁହୁଡ଼ି ଦେଖିବାକୁ ମଳିଥିଲା । ରାସ୍ତାଘାଟ ସବୁ କୁହୁଡ଼ିରେ ଆଚ୍ଛାଦିତ ହୋଇ ଯାଇଥିଲା । ଫଳରେ ଗମନାଗମନରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ସେହିପରି ପୁରୀରେ ମଧ୍ୟ ଘନକୁହୁଡ଼ି ଯୋଗୁଁ ଶ୍ରୀମନ୍ଦିର ଘୋଡ଼େଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏପରିକି ନୀଳଚକ୍ର ମଧ୍ୟ ଦେଖାଯାଇ ନଥିଲା । ତେବେ ଏସବୁ ଭିତରେ ୧୩ ଜିଲ୍ଲା ପାଇଁ ଘନକୁହୁଡ଼ି ପାଇଁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.