fbpx

୨୮ରେ ଓଡିଶା ଆସୁଛନ୍ତି ନଡ୍ଡା,ଚାଲିଛି ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆସନ୍ତା ୨୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ବିଜେପିର ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଭୁବନେଶ୍ୱର ପହଞ୍ଚିବା ପରେ ସିଧାସଳଖ କନ୍ଧମାଳ ଲୋକସଭା ଓ ବାଲିଗୁଡା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ତୁମୁଡିବନ୍ଧ ଗସ୍ତ କରିବେ । ସେଠାରେ ପୂର୍ବାହ୍ନ ୧୧.୩୦ ସମୟରେ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବା ପରେ ଜଳେଶପଟା ଆଶ୍ରମ଼ସ୍ଥିତ ନୂତନ କନ୍ୟାଶ୍ରମକୁ ଉଦ୍ଘାଟନ କରିବେ ।

ଏହା ପରେ ଶ୍ରୀ ନଡ୍ଡା ପୁରୀ ଲୋକସଭା ଓ ଚିଲିକା ବିଧାନସଭା ଅନ୍ତର୍ଗତ ବାଣପୁର ପଲଟନ୍ ପଡିଆରେ ଅପରାହ୍ନ ୩ଟା ସମୟରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବେ । ଏହା ପରେ ଶ୍ରୀ ନଡ୍ଡା ବାଣପୁରସ୍ଥିତ ମାଁ ଭଗବତୀ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ନାଚୁଣୀସ୍ଥିତ କଲେଜ ଇନଡୋର ଷ୍ଟାଡିୟମରେ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ ।

ତେବେ ନଡ୍ଡାଙ୍କ ଏହି ଗସ୍ତକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ହେଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ଅନ୍ୟ ସମସ୍ତ ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । କିଛି ଦିନ ପୂର୍ବରୁ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ମଧ୍ୟ ଓଡିଶାଗସ୍ତରେ ଆସିଥିଲେ । ସେ ଏକ ଦଳୀୟ କାର୍ଯ୍ୟକୟମରେ ଯୋଗଦେଇ ବିଜେପି ଆଗକୁ କିପରି ଭଲ ପ୍ରଦର୍ଶନ କରିବ ତାହା ପାଇଁ ରଣନୀତି ପ୍ରସ୍ତୁତ କରିବା ସହିତ ୨୦୨୪ ପାଇଁ ଅଣ୍ଟା ଭିଡିବାକୁ ଆହ୍ୱାନ ଦେଇଥିଲେ ।

Get real time updates directly on you device, subscribe now.