fbpx

ରାଜ୍ୟରେ ପୁଣି ବଢିବ ଶୀତ: ଏହି ସବୁ ଜିଲ୍ଲାକୁ ଦିଆଗଲା ୟେଲ୍ଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ବିଭିନ୍ନ ସ୍ଥାନରେ ପାରଦ ନିମ୍ନଗାମୀ ହେବା ସହ ରାତିର ତାପମାତ୍ରାରେ ଦ୍ରୁତ ହ୍ରାସ ଘଟିଛି । କେତେକ ସ୍ଥାନରେ ରାତ୍ରିର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ଥିବା ରେକର୍ଡ କରାଯାଇଛି । ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନ କୁହୁଡ଼ି ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଆଜି ରାଜ୍ୟର ୧୨ଟିରୁ ଅଧିକ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ିର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହିତ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଅପରାହ୍ନରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କୁହୁଡ଼ିର ସମ୍ଭାବନା ଥିବାରୁ ଯାନବାହନ ଚଳାଚଳ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ କହିଛି ।

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ିର ସମ୍ଭାବନା ରହିଛି । ଆସନ୍ତା ଏକ ସପ୍ତାହ ଧରି ରାଜ୍ୟରେ ଏହି ସ୍ଥିତି ଲାଗି ରହିବା ସହ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Get real time updates directly on you device, subscribe now.