fbpx

ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ ପାଇଁ ଚାଲିଗଲା ନିରୀହ ମହିଳାଙ୍କ ଜୀବନ, ସସପେଣ୍ଡ ହେଲେ ୪ ପୋଲିସ

Advertisement

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ପାଇଁ ଜଣେ ନିରୀହ ମହିଳା ପ୍ରାଣ ହରାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବା ସମୟରେ ତାଙ୍କ ପାଇଁ ଟ୍ରାଫିକ ବନ୍ଦ କରାଯାଇଥିଲା । ଏହି ସମୟରେ ବନ୍ଦନା ମିଶ୍ର(୫୦) ନାମକ ଜଣେ ମହିଳା ମେଡିକାଲ ଯିବା ବାଟରେ ଟ୍ରାଫିକରେ ଫସି ରହିଥିଲେ । ଟ୍ରାଫିକ ହଟିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା, ସେତେବେଳକୁ ମହିଳାଙ୍କ ମୃତ୍ୟୁ ଘଟିସାରିଥିଲା । ଏହି ଘଟଣା ନେଇ ରାଷ୍ଟ୍ରପତି ଶୋକପ୍ରକାଶ କରିବା ସହ ୩ ଜଣ ପୋଲିସଙ୍କୁ ସସପେଣ୍ଡ କରାଯାଇଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ମହିଳା ଜଣକ କିଛି ଦିନ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଏକ ରୋଗରେ ପୀଡ଼ିତ ଥିଲେ । ସେ ଇଣ୍ଡିଆନ ଇଣ୍ଡଷ୍ଟ୍ରି ଆସୋସିଏସନ (ଆଇଆଇଏ)ର କାନପୁର ମହିଳା ଶାଖାର ଅଧ୍ୟକ୍ଷା ଥିଲେ । ଗତ ଏପ୍ରିଲରେ କରୋନାରୁ ସୁସ୍ଥ ହୋଇଥିବା ବନ୍ଦନାଙ୍କର ବାନ୍ତି ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଉଥିଲା । ମାତ୍ର ବିଧିର ବିଧାନ ଥିଲା ବିଚିତ୍ର, ଅଧିକ ସମୟ ଫସି ରହିବାରୁ ଟ୍ରାଫିକରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିବା ସହ ଡିଏମ୍ ଓ ପୋଲିସ କମିଶନରଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ କାନପୁର ପୋଲିସ ମୁଖ୍ୟ କ୍ଷମାପ୍ରାର୍ଥନା କରିଛନ୍ତି । ବନ୍ଦନାଙ୍କ ଅନ୍ତିମ ଯାତ୍ରାରେ ଜିଲ୍ଲାର ଅନେକ ବରିଷ୍ଠ ଅଫିସରଙ୍କୁ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୪ ଜଣ ପୋଲିସଙ୍କୁ ନିଲମ୍ବିତ କରାଯିବା ସହ ଜଣେ ଅତିରିକ୍ତ ଡିଏସପିଙ୍କୁ ତଦନ୍ତ ଭାରି ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.