ହନୁମାନଙ୍କ ଲଙ୍କାକାଣ୍ଡ ବେଳେ ଅଘଟଣ, ଭାଙ୍ଗିଲା ନଡ଼ିଆ ଗଛ… ମହିଳା ମୃତ, ୪ ଗୁରୁତର

ନଡ଼ିଆ ଗଛ ଭାଙ୍ଗି ପଡ଼ି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଜଗତସିଂହପୁର: ରାମଲୀଳା ଚାଲିଥିବା ବେଳେ ଘଟିଗଲା ବଡ଼ ଧରଣର ଅଘଟଣ। ହନୁମାନଙ୍କ ଲଙ୍କାକାଣ୍ଡ ବେଳେ ଭାଙ୍ଗିଲା ନଡ଼ିଆ ଗଛ। ନଡ଼ିଆ ଗଛ ଭାଙ୍ଗି ପଡ଼ି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଏଭଳି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲାର ବଳରାମପୁର ଗାଁରେ। ଏଭଳି ଅଘଟଣରେ ମୃତ୍ୟୁ ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି ସମାଗୋଳା ଅଞ୍ଚଳର।

ସୂଚନା ମୁତାବତ, ଶୁକ୍ରବାର ରାତିରେ ବଳରାମପୁର ଗାଁରେ ରାମଲୀଳା ଚାଲିଥିଲା। ଏହି ସମୟରେ ରାମଲୀଳାରେ ହନୁମାନ ଚରିତ୍ରକୁ ନେଇ ନଡ଼ିଆ ଗଛରେ ରଶି ବାନ୍ଧି ଟ୍ରାକ୍ଟରରେ ଭିଡୁଥିବା ବେଳେ ହଠାତ୍ ଗଛଟି ଭାଙ୍ଗି ପଡିଥିଲା।

ଫଳରେ ଘଟଣାସ୍ଥଳରେ ଜଣେ ମହିଳା ଦର୍ଶକଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଚାରି ଜଣ ଗୁରୁତର ହୋଇଥିଲେ।

ଏହା ଦେଖି ସ୍ଥାନୀୟଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସର କାଚକୁ ବାଡେଇ ଭାଙ୍ଗିଦେଇଥିଲେ।

ପରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।