ଜାଲ ଦସ୍ତଖତ କରି ଠକୁଥିଲେ ମହିଳା, ୫ ହଜାରରେ ମେସିନ୍ କିଣି ଦଲାଲକୁ ବିକ୍ରି କରିବା ପୂର୍ବରୁ ଧରିଲା ସ୍ୱୟଂ ସହାୟକ ଗୋଷ୍ଠୀ

ଜଳେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଉନ୍ନତିକରଣ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଭିନ୍ନ ଯୋଜନା ଅନ୍ତର୍ଗତ ସେମାନଙ୍କ ପାଇଁ ବିଶେଷ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ । କିନ୍ତୁ ଏଥିରେ ବି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜାଲ ଦସ୍ତଖତ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଠକିଛନ୍ତି ଜଣେ ୪୨୦ ସିଆରପି(କମ୍ୟୁନିଟି ରିସୋର୍ସ ପର୍ସନ) । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ।

ସୂଚନାରୁ ପ୍ରକାଶ ଜଳେଶ୍ୱର ବ୍ଲକ ମାଙ୍କଡିଆ ପଂଚାୟତ କୁଅଁରପୁର ଗ୍ରାମର ଓଁ ନମଃ ଶିବାୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଲାଙ୍କ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ଏକ କୃଷି ଯନ୍ତ୍ର ଯୋଗାଇ ଦିଆଯିବ ବୋଲି ସିଆରପି ଲିନା ପୋଇ ସୁଚନା ଦେଇଥିଲେ । ଏହି କୃଷି ଯନ୍ତ୍ରର ମୂଲ୍ୟ ୭୦ହଜାର ଟଙ୍କା ହୋଇଥିବା ବେଳେ ସବସିଡିରେ ମାତ୍ର ୫ ହଜାର ଟଙ୍କାରେ ପାଇପାରିବେ ସ୍ୱୟଂ ସହାୟକ ସଦସ୍ୟା । କିନ୍ତୁ ସିଆରପି ଲିନା ଏଥିପାଇଁ ୭୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ସଦସ୍ୟାମାନେ ଏତେ ଦାମରେ ମେସିନ କିଣିବାକୁ ମନା କରିବାରୁ ଲିନା ଚଞ୍ଚକତା କରି ସବୁ ସଦସ୍ୟାଙ୍କ ଜାଲ ଦସ୍ତଖତ କରି ମାତ୍ର ୫ ହଜାର ଟଙ୍କା ଦେଇ ମେସିନ ଆଣି ପଶ୍ଚିମବଙ୍ଗ ଦଲାଲକୁ ବିକ୍ରି କରିବା ପାଇଁ ମସୁଧା ଚଳାଇଥିଲେ । ମାତ୍ର ଏହି କଥା ସଦସ୍ୟା ମାନେ ଜାଣିବା ପରେ ମେସିନ ବିକ୍ରି କରିବା ପାଇଁ ନଦେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । କେବଳ ଏତିକି ନୁହେଁ ସିଆରପି ଦିଦି ପ୍ରତ୍ୟେକ ହିତାଧିକାରୀଙ୍କ ପାଖରୁ ୮୦୦ଟଙ୍କା ହାତଗୁଞ୍ଜା ନେଇଛନ୍ତି । ତେବେ ସିଆରପି କୌଣସି କାମରେ ମିଶନ ଶକ୍ତି ଗୃହକୁ ଆସିଥିବା ବେଳେ ସଦସ୍ୟାମାନେ ତାଙ୍କୁ ଘେରି ଏ ବାବଦରେ ପ୍ରଶ୍ନ କରିଥିଲେ, ମାତ୍ର ଏହି ଅଭିଯୋଗ ମିଥ୍ୟା ବୋଲି କହିବା ସହିତ କିଣା ଯାଇଥିବା ମେସିନ ତାଙ୍କ ଘରେ ଅଛି ବୋଲି କହିଥିଲେ ୪୨୦ ମିଛୁଆ ସିଆରପି ।