fbpx

ପାକିସ୍ତାନରେ ଘଟିଲା ଏକ ବିରଳ ଘଟଣା: ଏକସଙ୍ଗେ ୬ ଜଣ ଶିଶୁଙ୍କୁ ଜନ୍ମଦେଲେ ଜଣେ ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଶିଶୁ ଜନ୍ମ ସହ ଜଡ଼ିତ ଏପରି କିଛି ମାମଲା ଘଟିଯାଏ, ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ପୂର୍ବରୁ ଏକାଧିକ ମୁଣ୍ଡ, ହାତ ଓ ଗୋଡ଼ ଥାଇ କିଛି ଶିଶୁ ଜନ୍ମଲାଭ କରିଥିବାର ଖବର ଆମେ ଶୁଣିଛେ । ତେବେ ଏହା ମଧ୍ୟରେ ଏକ ବିରଳ ମାମଲା ଦେଖିବାକୁ ମିଳିଛି ପାକିସ୍ତାନରେ । ଜଣେ ମହିଳା ଏକସଙ୍ଗେ ୬ ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ପାକିସ୍ତାନର ରାୱଲପିଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜିଲ୍ଲା ହସ୍ପିଟାଲରେ ମହିଳା ଜଣଙ୍କ ସମସ୍ତ ଶିଶୁଙ୍କୁ ଜନ୍ମ ଦେଇଥିବା ବେଳେ ଉଭୟ ମାଆ ଓ ଶିଶୁ ଏବେ ସୁସ୍ଥ ରହିଥିବା ଡାକ୍ତର କହିଛନ୍ତି ।

ଲକ୍ଷେରେ ଏପରି ଗୋଟିଏ ମାମଲା ଘଟିଥାଏ ବୋଲି ଡାକ୍ତର କହିଛନ୍ତି । ଦୀର୍ଘ ସମୟର ଅପରେସନ ପରେ ଏହି ଚମତ୍କାର ଦେଖିବାକୁ ମିଳିଥିଲା । ଡେଲିଭରି ସମୟରେ ଅନେକ ଜଟିଳତା ଦେଖିବାକୁ ମିଳିଥିଲା । ଜନ୍ମିତ ନବଜାତଙ୍କ ମଧ୍ୟରେ ୪ ଜଣ ପୁଅ ଓ ୨ ଜଣ ଝିଅ ରହିଛନ୍ତି । ସମସ୍ତ ଶିଶୁଙ୍କ ଓଜନ ୨ ପାଉଣ୍ଡରୁ କମ୍ ରହିଥିବା ବେଳେ ସେମାନଙ୍କୁ ଆଇସିୟୁରେ ରଖାଯାଇଛି । ଏହି ଚମତ୍କାର ପରେ ଡାକ୍ତର ଓ ହସ୍ପିଟାଲର ଷ୍ଟାଫମାନେ ବେଶ୍ ଖୁସି ଅଛନ୍ତି । ଈଶ୍ୱରଙ୍କ କୃପାରୁ ମା’ ଓ ଶିଶୁଙ୍କ ଜୀବନ ବଞ୍ଚି ପାରିଥିବା ଡାକ୍ତର କହିଛନ୍ତି । ତେବେ ଏକସଙ୍ଗେ ୬ ଶିଶୁ ଜନ୍ମ ନେବା ଘଟଣାକୁ ‘ସେକ୍ସଟୁପଲେଟସ’ କୁହାଯାଏ । ଏହା ଏକ ଦୁର୍ଲ୍ଲଭ ଘଟଣା । ୪.୭ ଅରବ ଲୋକଙ୍କ ମଧ୍ୟରୁ କେବଳ ଜଣଙ୍କ କ୍ଷେତ୍ରରେ ଏଭଳି ମାମଲା ଦେଖିବାକୁ ମିଳିଥାଏ ବୋଲି ରିପୋର୍ଟରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୦୨୨ ମସିହାରେ ଭାରତରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା । ଜୁଲାଇ ମାସରେ ରାଜସ୍ଥାନରେ ଜଣେ ମହିଳା ଏକସଙ୍ଗେ ୫ ଜଣ ଶିଶୁଙ୍କୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଥିଲେ । ବିବାହର ୭ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କର କୌଣସି ସନ୍ତାନ ନଥିଲେ । ଶିଶୁଙ୍କ ମଧ୍ୟରେ ୩ ଜଣ କନ୍ୟା ଓ ୨ ଜଣ ପୁତ୍ର ରହିଥିଲେ । ମାତ୍ର ୨୫ ବର୍ଷ ବୟସ ହୋଇଥିବା ସମୟରେ ମହିଳା ଏହି ସମସ୍ତ ଶିଶୁଙ୍କୁ ଏକସଙ୍ଗେ ଜନ୍ମ ଦେଇଥିଲେ ।

Get real time updates directly on you device, subscribe now.